ଆଶ୍ଚର୍ଯ୍ୟ ଓ ଅଲୌକିକ, ଭକ୍ତ ବିସ୍ମିତ : ସିଧା ହେଲେ ଶତାୟୁ ଶିବଲିଙ୍ଗ

Published By : Prameya-News7 Bureau | June 04, 2021 IST

ଲମତାପୁଟ,୦୪/୦୬:ଶତାଧିକ ବର୍ଷ ଧରି ଢଳି ରହିଥିବା ଶିବଲିଙ୍ଗ ସିଧା ହୋଇଯାଇଛି । ସ୍ୱପ୍ନାଦେଶ ପାଇ କୋଳେଇ ନେବାପରେ ଢଳି ରହିଥିବା ଶିବଲିଙ୍ଗ ସିଧା ହୋଇଛନ୍ତି । ଏକଥା ଆମେ କହୁନୁ, କହିଛନ୍ତି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍‌ କଡ୍ରିଗାଁ ଶୈବପୀଠର ପୂଜକ ନରସିଂହ ପୂଜାରୀ ଓ ତାଙ୍କ ପୁଅ ପୂର୍ଣ୍ଣ ପୂଜାରୀ । କେହି ଏହାକୁ ସହଜରେ ବିଶ୍ୱାସ କରୁ ନଥିବା ବେଳେ ଲମତାପୁଟ ବ୍ଲକ୍‌ କଡ୍ରିଗାଁର ଏହି ଶୈବପୀଠକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ତେବେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଉପଯୁକ୍ତ ପରୀକ୍ଷା କରାଯିବା ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ କହିଛନ୍ତି ।

ଏ ସମ୍ପର୍କରେ ମନ୍ଦିରର ପୂଜକ ଶ୍ରୀ ପୂଜାରୀ କହିଛନ୍ତି, ଗତ ଶୁକ୍ରବାର ଓ ଶନିବାର ତାଙ୍କ ଦେହ ଖରାପ ଥିଲା । ଦୁଇ ଦିନ ଧରି ତାଙ୍କ ପୁଅ ପୂର୍ଣ୍ଣ ମନ୍ଦିରରେ ପୂଜା କରିଥିଲେ । ଶନିବାର ରାତିରେ ପୂର୍ଣ୍ଣଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ସ୍ୱପ୍ନରେ ମହାଦେବ କହିଥିଲେ, ‘ଦୀର୍ଘ ବର୍ଷ ଧରି ମୋତେ ଶୁଆଇ ରଖିଛ, କୋଳେଇ ନେଲେ ମୁଁ ଉଠିବି’ । ରବିବାର ସକାଳେ ପୂର୍ଣ୍ଣ ଏହି ଘଟଣା ସମ୍ପର୍କରେ ତାଙ୍କ ସ୍ତ୍ରୀଙ୍କୁ ଜଣାଇଥିଲେ । ଏହାପରେ ସେ ମନ୍ଦିରର ନୀତିକାନ୍ତି କରିବା ଲାଗି ଚାଲିଯାଇଥିଲେ । ମନ୍ଦିର ଧୋଇବା ସହ ଠାକୁରଙ୍କୁ ଭୋଗଲାଗି କରିଥିଲେ । ପରେ ସ୍ୱପ୍ନାଦେଶ ଅନୁସାରେ ଶିବଲିଙ୍ଗକୁ କୋଳେଇ ନେଇଥିଲେ । ସଙ୍ଗେ ସଙ୍ଗେ ତାହା ସିଧା ହୋଇଯାଇଥିଲେ । ରାତିର ସ୍ୱପ୍ନ ସତ ହୋଇଥିବା ନେଇ ତାଙ୍କ ବାପାଙ୍କୁ ଜଣାଇଥିଲେ ।

ଅନ୍ୟପକ୍ଷରେ ଗାଁର କେତେକ ଯୁବକ ପ୍ରତିଦିନ ଭଳି ରବିବାର ମଧ୍ୟ ଠାକୁର ଦର୍ଶନ କରିବାକୁ ଯାଇଥିବା ସମୟରେ ଶିବଲିଙ୍ଗ ସିଧା ହୋଇଥିବା ଦେଖିଥିଲେ । ଏହା କିପରି ସମ୍ଭବ ହେଲା ବୋଲି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଧୀରେ ଧୀରେ ଏହି ଖବର ପୂରା ଗାଁରେ ପ୍ରଚାରିତ ହୋଇଥିଲା । ହେଲେ କୋଭିଡ୍‌ କଟକଣା ଯୋଗୁ ଭକ୍ତଙ୍କ ପ୍ରବେଶ ନିଷେଧ ଥିବାରୁ କୌଣସି ଭକ୍ତ ମନ୍ଦିରକୁ ଯାଇପାରୁ ନଥିବା ଗ୍ରାମବାସୀ କହିଛନ୍ତି । କିମ୍ବଦନ୍ତୀ ଅନୁଯାୟୀ, ଜୟପୁର ମହାରାଜା ଏହି ରାସ୍ତା ଦେଇ ଯିବା ସମୟରେ ଶିବଲିଙ୍ଗ ଦେଖି ନିଜ ବାସଗୃହକୁ ନେଇ ପୂଜାର୍ଚ୍ଚନା କରିବା ଲାଗି ନିଷ୍ପତ୍ତି ନେଇଥିଲେ । ସ୍ଥାନୀୟ ଲୋକଙ୍କୁ ଶିବଲିଙ୍ଗ ଉଠାଇବା ପାଇଁ କହିଥିଲେ । କିନ୍ତୁ କେହି ଉଠାଇ ପାରି ନଥିଲେ । ଏହାପରେ ରାଜା ହାତୀ ସାହାଯ୍ୟରେ ଶିବଲିଙ୍ଗ ଉଠାଇବା ପାଇଁ ଉଦ୍ୟମ କରିଥିଲେ । ସେବେଠାରୁ ଶିବଲିଙ୍ଗ ଗୋଟିଏ ପଟକୁ ଢଳି ରହିଥିଲେ । ଶେଷରେ ନିକଟ କଡ୍ରି ଗାଁ ମାଳି ସଂପ୍ରଦାୟର ଲୋକଙ୍କୁ ଏଠାରେ ପୂଜାର୍ଚ୍ଚନା କରିବା ଲାଗି ରାଜା ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ରାଜା ମାସକୁ ୭ଟି ରୌପ୍ୟମୁଦ୍ରା ଦେଇ ଆସୁଥିଲେ । ଆଜି ମଧ୍ୟ ଏଠାରେ ମାଳି ସଂପ୍ରଦାୟ ଦ୍ୱାରା ପୂଜାର୍ଚ୍ଚନା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.