ଶ୍ୟାମ୍ ମେଟାଲିକ୍ସର ଦାଦାଗିରି ! ପାଉଁଶ ପାହାଡ ଠିଆ କରି ନଷ୍ଟ କରୁଛି ଗ୍ରାମ୍ୟ ଜଙ୍ଗଲ, ପ୍ରତିବାଦ କଲେ ହତ୍ୟା ଧମକ ମିଳୁଥିବା ଅଭିଯୋଗ
19/08/2019 at 5:40 PM

ସମ୍ବଲପୁର ୧୯|୮: ସମ୍ବଲପୁର ରେଙ୍ଗାଲି ପଣ୍ଡଲୋଇ ଗାଁରେ ଶ୍ୟାମ୍ ମେଟାଲିକ୍ସ୍ର ଦୌରାତ୍ମ୍ୟ ! କମ୍ପାନୀ ପ୍ରଥମେ ଚାରପଡାର ଗ୍ରାମ୍ୟ ଜଙ୍ଗଲ ନଷ୍ଟ କରି, ସେଠାରେ ବେଆଇନ୍ ଭାବେ ପାଉଁଶର ପାହାଡ ଛିଡାକଲା । ପ୍ରତିବାଦ କଲେ ଗାଁ ଲୋକଙ୍କୁ ଭଡାଟିଆ ଗୁଣ୍ଡା ଲଗାଇ ହତ୍ୟା ଧମକ ଦେଉଥିବା ବେଳେ ଏବେ ସେଠାରୁ ହଟିଯିବାକୁ ବାଧ୍ୟ କରୁଛି । ଜାଗା ନଛାଡିଲେ ଜୀବନରୁ ମାରି ଦେବାକୁ ଲୋକଙ୍କୁ ଧମକ ମିଳୁଥିବା ଅଭିଯୋଗ ହୋଇଛି । ସବୁ ଜାଣି ପୋଲିସ୍, ପ୍ରଶାସନ ନୀରବଦ୍ରଷ୍ଟା ସାଜିବାରୁ, ଗାଁ ଲୋକ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ର ଆଶ୍ରୟ ନେଇଛନ୍ତି। ଏହି ମାମଲାକୁ ବି ପ୍ରତ୍ୟାହାର କରିବାକୁ ସେମାନଙ୍କୁ ବାଧ୍ୟ କରାଯାଉଥିବା ସଙ୍ଗୀନ ଅଭିଯୋଗ ହୋଇଛି ।

ଶ୍ୟାମ୍ ମେଟାଲିକ୍ସ୍ର ଦାଦାଗିରି ! ଗ୍ରାମ୍ୟ ଜଙ୍ଗଲ ନଷ୍ଟ କରି ସେଠାରେ ପାଉଁଶର ପାହାଡ ସୃଷ୍ଟି କରିବା ପରେ, ଏବେ ଗାଁ ଲୋକଙ୍କୁ ସେଠାରୁ ହଟିଯିବାକୁ ଧମକ ଦେଉଛନ୍ତି କମ୍ପାନୀର ଭଡାଟିଆ ଗୁଣ୍ଡି ! ଯାହାକୁ ନେଇ ସମ୍ବଲପୁର ରେଙ୍ଗାଲି ବ୍ଲକ୍ ପଣ୍ଡଲୋଇ ଗାଁର ଲୋକେ ଏବେ ଭୟରେ ଦିନ କାଟୁଛନ୍ତି । କମ୍ପାନୀ ପାଇଁ ଗାଁ ଲୋକେ ଭିଟାମାଟି ଛାଡିବା ପରେ ଚାରପଡାରେ ବସବାସ କରୁଥିଲେ । କମ୍ପାନୀର ପାଉଁଶ ଉଡି ପୋଖରୀର ପାଣି ନଷ୍ଟ ହୋଇଯାଇଥିବା ବେଳେ ଚାଷ କାର୍ଯ୍ୟ ଗୁରୁତର ପ୍ରଭାବିତ ହୋଇଛି । ଦୀର୍ଘ ୩୫ ବର୍ଷ ହେବ ସେଠାରେ ବସବାସ କରି ଆସୁଥିଲେ ସୁଧା ଦିନେ କାଳେ ଜିଲ୍ଲା ପ୍ରଶାସନ କି କମ୍ପାନୀ କର୍ତ୍ତୃପକ୍ଷ ବିସ୍ତାପିତଙ୍କ ସୁବିଧା ଅସୁବିଧା ବୁଝିନାହାନ୍ତି । ଅଥଚ ଚାରପଡାରେ ଦୀର୍ଘ ୩୫ବର୍ଷ ହେଲା ବସତି ସ୍ଥାପନ କରି ରହୁଥିବା ପ୍ରାୟ ୧୫ଟି ପରିବାରକୁ ସେଠାରୁ ବଳପୂର୍ବକ ତଡିବାକୁ କମ୍ପାନୀ କର୍ତ୍ତୃପକ୍ଷ ମସୁଧା କରୁଥିବା ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ, ବ୍ଲକ୍ ପ୍ରଶାସନ ଓ ସ୍ଥାନୀୟ ପୋଲିସ୍ ନିକଟରୁ ନିରାଶ ହେବା ପରେ, ଗାଁ ଲୋକେ ଏବେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ର ଦ୍ବାରସ୍ଥ ହୋଇଛନ୍ତି ।

ଏନଜିଟି ମାମଲାର ଶୁଣାଣି କରି, ସମ୍ବଲପୁର ଜିଲ୍ଲାପାଳ, ରେଙ୍ଗାଲି ତହସିଲ୍ଦାର, ସମ୍ବଲପୁର ଡିଏଫ୍ଓ ଓ ସମ୍ବଲପୁର ଜିଲ୍ଲା ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀଙ୍କୁ, ଘଟଣାସ୍ଥଳ ପରିଦର୍ଶନ ପରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଉପର ଠାଉରିଆ ଭାବରେ, ସ୍ପଟ୍ ଭିଜିଟ୍ କରି ଏନଜିଟିକୁ ରିପୋର୍ଟ ଦିଆଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ଏନଜିଟିରୁ ମାମଲା ପ୍ରତ୍ୟାହାର କରିନେବାକୁ ସେମାନଙ୍କ ଉପରେ ଚାପ ପକାଯାଉଥିବା ମଧ୍ୟ ସେମାନେ କହିଛନ୍ତି । ଜିଲ୍ଲାପାଳ ଏ ନେଇ କ୍ୟାମେରା ଆଗରେ ମୁହଁ ଖୋଲୁନଥିବା ବେଳେ ଡିଏଫ୍ଓ କହିଛନ୍ତି ଟ୍ରିବ୍ୟୁନାଲ୍ର ନିର୍ଦ୍ଦେଶନାମା ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସବୁଜାଣି ଜିଲ୍ଲାପ୍ରଶାସନ ଓ ପୋଲିସ୍ ନୀରବଦ୍ରଷ୍ଟା ସାଜିଥିବା ବେଳେ, କମ୍ପାନୀର ଭଡାଟିଆ ଗୁଣ୍ଡାଙ୍କ ଧମକ ଲୋକଙ୍କ ଆଖିରୁ ନିଦ ହଯାଇ ଦେଇଛି । ଏମାନଙ୍କୁ ଏବେ ସୁରକ୍ଷା ଦେବ କିଏ ତାକୁ ନେଇ ଉଠିଛି ପ୍ରଶ୍ନ ?