ସ୍ତ୍ରୀ ଓ ମାଆକୁ ଛୁରୀ ମାରିଦେଲେ ପୂର୍ବତନ ଭାରତୀୟ ସଟପୁଟ୍ ଖେଳାଳି, ହତ୍ୟା ପରେ ପୁଅକୁ ଫୋନ୍ କରି କହିଲେ, 'ପୋଲିସକୁ ଡାକିଦେ, ମୁଁ ହତ୍ୟାକାରୀ'

Published By : Prameya-News7 Bureau | August 27, 2020 IST

ଓ୍ୱାଶିଂଟନ, ୨୭|୦୮:  ଏସିଆନ ଚାମ୍ପିଅନସିପରେ ବ୍ରୋଞ୍ଜ୍ ପଦକ ବିଜେତା ତଥା ଭାରତର ପ୍ରତିଭାବାନ ଗୋଳିଫିଙ୍ଗା ବା ସଟପୁଟ୍ ଖେଳାଳି ଇକବାଲ ସିଂ ହତ୍ୟା ଅଭିଯୋଗରେ ଆମେରିକାରେ ଗିରଫ ହୋଇଛନ୍ତି  । ସେ ତାଙ୍କ ମାଆ ଓ ପତ୍ନୀଙ୍କୁ ହତ୍ୟାକରିଥିବା ଅଭିଯୋଗ ହୋଇଛି ।

୬୨ ବର୍ଷୀୟ ଇକବାଲ ପେନସିଲଭାନିଆର ଦେଲାଓ୍ୱାରରେ ରୁହନ୍ତି । ସେ ଗତ ରବିବାର ମାଆ ଓ ପତ୍ନୀଙ୍କୁ ହତ୍ୟା କରିଥିବା ନେଇ ନିଜେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଯେତେବେଳେ ନ୍ୟୁଟାଇନ୍ ଟାଉନସିପରେ ଥିବା ଇକବାଲଙ୍କ ଘରେ ପହଁଚିଥିଲା ସେତେବେଳେ ଇକବାଲଙ୍କ ହାତ ସାରା ରକ୍ତ ଲାଗିଥିଲା । ଏପରିକି ସେ ନିଜେ ମଧ୍ୟ ଛୁରୀ ମାଡରେ ଆହତ ହୋଇଥିଲେ । ଏହାସହ ତଳେ ଦୁଇଜଣ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡି ରହିଥିଲା ।

ପୋଲିସ ତାଙ୍କ ମାଆ ନସିବ କୌର ଓ ପତ୍ନୀ ଜଶପାଲ କୌରଙ୍କ ମୃତେଦେହ ଉଦ୍ଧାର କରିଛି । ସେ ଇକବାଲ କଣ ପାଇଁ ତାଙ୍କ ମାଆ ଓ ପତ୍ନୀଙ୍କୁ ହତ୍ୟା କଲେ ତାହା ଏବେବି ରହସ୍ୟ ଘେରରେ ରହିଛି । ହତ୍ୟା ପରେ ଇକବାଲ ନିଜ ଝିଅ ଓ ପୁଅଙ୍କୁ ମଧ୍ୟ ହତ୍ୟାକାଣ୍ଡ ବାବଦରେ ଜଣାଇଥିଲେ । ପୁଅଙ୍କୁ ପୋଲିସକୁ ଡାକିଦେ ବୋଲି କହିଥିଲେ ।

ଏବେ ଇକବାଲଙ୍କୁ ପୋଲିସ ହେପାଜତରେ ରଖାଯାଇଛି । ଏହାସହ ତାଙ୍କ ଜାମିନ ଆବେଦନ ମଧ୍ୟ  ଖାରଜ ହୋଇଯାଇଛି । ସୂଚନାଯୋଗ୍ୟ, ଇକବାଲ କୁଏତରେ ଅନୁଷ୍ଠିତ ୧୯୮୩ ଏସିଆନ ଆଥଲେଟିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ । ଏହା ପରେ ସେ ଆମେରିକା ଚାଲିଯାଇଥିଲେ ।ଏହାସହ ଏକ ଟ୍ୟାକ୍ସି କ୍ୟାବ୍ ଡ୍ରାଇଭର ଭାବେ ସେଠାରେ କାମ କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.