ଆଇପିଏଲ ନ ଖେଳିକି ବି ଆୟରଙ୍କୁ ମିଳିବ ଏତିକି କୋଟି ଟଙ୍କା, ଜାଣନ୍ତୁ କାରଣ

Published By : Prameya-News7 Bureau | April 04, 2021 IST

ନୂଆଦିଲ୍ଲୀ ୦୪।୦୪: ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର କାନ୍ଧରେ ଆଘାତ କାରଣରୁ ଆଇପିଏଲ ୨୦୨୧ର ସଂପୂର୍ଣ୍ଣ ସିଜିନ୍‌ରୁ ବାହାରି ଯାଇଛନ୍ତି। ଏହ ସତ୍ତ୍ଵେ ଦିଲ୍ଲୀ କ୍ୟାପିଟାଲ୍ସ ଆୟରଙ୍କୁ ତାଙ୍କର ପୂରା ଦରମା ଦେବ। ଏହି ଦରମା  କୋଟିଏ କି ଦୁଇ କୋଟି ନୁହେଁ ପୂରା ସାତ କୋଟି। ଆୟରଙ୍କୁ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଫିଲ୍ଡିଂ ସମୟରେ ଆଘାତ ଲାଗିଥିଲା। ଆହତ ଗୁରୁତର ଥିବାରୁ ସେ ସିରିଜ୍‌ରୁ ବାଦ୍ ପଡିଥିଲେ। ଆୟରଙ୍କ କାନ୍ଧର ଅସ୍ତ୍ରୋପ୍ରଚାର ଏପ୍ରିଲ ୮ରେ ହେବାକୁ ଯାଉଛି। ଏହି କାରଣରୁ ତାଙ୍କୁ କ୍ରିକେଟ୍‌ରୁ ୪ରୁ ୫ ମାସ ଦୂରରେ ରହିବାକୁ ପଡିବ। ତେଣୁ ସେ ଚଳିତ ଆଇପିଏଲ୍‌ରୁ ସଂପୂର୍ଣ୍ଣ ଭାବେ ବାହାରି ଯାଇଛନ୍ତି।

ଶ୍ରେୟସ ଆୟରଙ୍କୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ବୀମା ପଲିସି ଆଧାରରେ ପୂରା ଦରମା ମିଳିବ। ୨୦୧୧ରେ ଲାଗୁ ହୋଇଥିବା ଏହି ନୀତିରେ ଉଲ୍ଲେଖ ରହିଛି ଯେ, ଯଦି ଆହତ କିମ୍ବା ଦୁର୍ଘଟଣା କାରଣରୁ ଖେଳାଳି ଆଇପିଏଲର ସଂପୂର୍ଣ୍ଣ ସିରିଜ୍‌ରୁ ବାଦ୍ ପଡନ୍ତି, ତଥାପି ଅନୁବନ୍ଧିତ ଖେଳାଳିଙ୍କୁ ପୂରା ଦରମା ମିଳିବ। ଏହା ବ୍ୟତୀତ ସେହି ଖେଳାଳି ଏହି ଯୋଜନା ପାଇଁ ଯୋଗ୍ୟ ହେବେ ଯିଏ ଜାତୀୟ ଦଳର ଡ୍ୟୁଟି କରୁଥିବା ବେଳେ ଆହତ ହୋଇଥିବେ କିମ୍ବା ତାଙ୍କ ସହ କୌଣସି ଦୁର୍ଘଟଣା ଘଟିଥିବ। ଆୟର ଭାରତୀୟ ଦଳର ସଦସ୍ୟ ଥିଲେ ଯେବେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ ଚାଲିଥିଲା। ବିସିସିଆଇର ଏହି ଯୋଜନା ଅଣ ଅନୁବନ୍ଧିତ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ।

ଆୟର ଦିଲ୍ଲୀ କ୍ୟାପିଟାଲ୍ସର ପ୍ରମୁଖ ଖେଳାଳି। ସେ ଆଇପିଏଲରେ ସମସ୍ତ ୭୯ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳି ୨୨୦୦ ରନ କରିଛନ୍ତି। ୨୬ ବର୍ଷୀୟ ଆୟର ୟୁଏଇରେ ଖେଳାଯାଇଥିବା ଆଇପିଏଲ ୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ହୋଇଥିଲେ। ଆୟର ଗତ ସିଜିନ୍‌ରେ ୫୧୯ ରନ କରିଥିଲେ। ଏହା ବ୍ୟତୀତ ତାଙ୍କ ଅଧିନାୟକତ୍ଵରେ ଦଳ ଫାଇନାଲରେ ପ୍ରବେଶ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.