ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ

Published By : Prameya-News7 Bureau | November 27, 2020 IST

ପୁରୀ୨୭/୧୧: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । ସକାଳ ୭ଟାରେ ଆରମ୍ଭ ହେଲା ଜୀଜିଉଙ୍କ ନାଗାର୍ଜୁନ ବେଶ। ବିଳମ୍ବରେ ଜୀଜିଉଙ୍କ ନାଗାର୍ଜୁନ ବେଶ ଆରମ୍ଭ ହୋଇଛି। ସିଂହାରୀ ଏବଂ ଖୁଣ୍ଟିଆ ସେବାୟତଙ୍କ ବିବାଦ ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ସମାଧାନ ହୋଇଛି।

ଚଳିତ ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶ ଆଭୂଷଣ ଏବଂ ଦର୍ଶନ ପ୍ରସ୍ତୁତିର ଅବଗଣନା ସରିଛି। ମହାପ୍ରଭୁ ରତ୍ନସିଂହାସନରେ ନାଗାର୍ଜୁନ ବେଶର ଦିବ୍ୟ ଆଭୂଷଣରେ ସଜେଇ ହୋଇଛନ୍ତି। ସୁବର୍ଣ୍ଣ ଅଳଙ୍କାର ସହ ନାଗାର୍ଜୁନ ବେଶ ଆଭୂଷଣ ଲାଗିରେ ମହାପ୍ରଭୁଙ୍କ ବୀରବେଶରେ ବିରାଜମାନେ ହୋଇଛନ୍ତି । ପାଳିଆ ସେବକମାନେ କହିଛନ୍ତି ମହାପ୍ରଭୁ ଦିବ୍ୟ ବେଶରେ ସଜେଇ ବସିଛନ୍ତି। କିନ୍ତୁ ଭକ୍ତ ନଥିବାରୁ ଶ୍ରୀମୁଖ ମଳିନ ପଡ଼ିଯାଇଛି। ଆଇନର ଡୋରି ଭକ୍ତି ଭାବନାର ଡୋରିକୁ ଅଟକାଇ ଦେଇଛି ।

ଶ୍ରୀମନ୍ଦିର ଚୌହଦିରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ ହୋଇଛି । ଶ୍ରୀମନ୍ଦିର ସେବାୟତଙ୍କ ବ୍ୟତୀତ ଅନ୍ୟମାନଙ୍କ ପାଇଁ ଏହି କଟକଣା ଲାଗୁ ହେବ । ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି ରାତି ଦୁଇଟାରୁ ବେଶ ଓଲାଗି ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚୌହଦିରେ ୧୪୪ ଧାରା ଜାରି ରହିବ । ବିଶେଷ କରି ଶ୍ରୀମନ୍ଦିର ଚାରିପାଖସ୍ଥିତ ମରିଚକୋଟ୍‌ ଛକ, ଦୋଳମଣ୍ଡପ ସାହି ଛକ, ଜହ୍ନିଖାଇ ମୁଣ୍ଡିଆ ଛକ, କାକୁଡ଼ିଖାଇ ଛକ, ଧାନକୁଟୀ ସାହି ରଘୁନାଥ ଲଜ୍‌, ଗାଣ୍ଡୁଆ ଚଉରା ଛକ, ଗଡନ୍ତି ଛକ, ଦୋଳବେଦୀ କୋଣ ଛକ ଆଦି ଇଲାକା ମଧ୍ୟରେ ୧୪୪ ଧାରା କଟକଣା ରହିବ। କୋଭିଡ୍‌ କଟକଣା ମଧ୍ୟରେ ପୁରୀ ସହରବାସୀ ଓ ସେବାୟତଙ୍କ ସହଯୋଗରେ ବିନା ଭକ୍ତରେ ରଥଯାତ୍ରା ପାଳନ ହୋଇଛି । ଏଥିପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

ସେ କହିଛନ୍ତି ଯେ, ନାଗାର୍ଜୁନ ବେଶ ଭଳି ମହାପ୍ରଭୁଙ୍କ ଗୁରୁତ୍ୱପୂର୍ଣ୍ଣ ନୀତିକୁ ଶୃଙ୍ଖଳାର ସହ ପାଳନ କରିବାକୁ ସହରବାସୀ ଏବଂ ସେବାୟତଙ୍କ ସହଯୋଗ ଆବଶ୍ୟକ । ପତିତପାବନଙ୍କ ନାଗାର୍ଜୁନ ବେଶ ହେଉନାହିଁ । ତେଣୁ ପୁରୀ ସହର ଏବଂ ଜିଲ୍ଲା ବାହାର ଲୋକମାନେ ପୁରୀ ନ ଆସିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ସୁରକ୍ଷା ବ୍ୟବସ୍ଥାରେ ସିଂହଦ୍ୱାର ସାମ୍ନା କାକୁଡ଼ିଖାଇ ଛକ ପାଖରୁ ଲକ୍ଷ୍ମୀବଜାର ଛକ ପର୍ଯ୍ୟନ୍ତ ଇଲାକାକୁ ବ୍ୟାରିକେଡ୍‌ଦେଇ ସିଲ୍‌ କରି ଦିଆଯାଇଛି । ଏହା ଭିତରକୁ ଭକ୍ତ ତଥା ସର୍ବସାଧାରଣଙ୍କ ପ୍ରବେଶ ରାତି ୨ଟାରୁ ବେଶ ଓଲାଗି ପର୍ଯ୍ୟନ୍ତ ମନା ହୋଇଛି । ଶୁକ୍ରବାର ଅପରାହ୍ଣ ୨ଟାରେ ବେଶ ଓଲାଗି ହେବେ। କୋଭିଡ୍‌ କଟକଣା ମଧ୍ୟରେ ଶ୍ରୀମନ୍ଦିର ଭିତରେ ବେଶ ବିଧି ପାଳନ ହୋଇଛି । ବେଶ ଓଲାଗି ପରେ ଭକ୍ତଙ୍କ ପାଇଁ ଦର୍ଶନ ସିଂହଦ୍ୱାର ବ୍ୟାରିକେଡ୍‌ ସମ୍ମୁଖରେ ସୁବିଧା ମିଳିବ। ଅରୁଣ ସ୍ତମ୍ଭ ନିକଟକୁ ଦର୍ଶନାର୍ଥୀଙ୍କ ପ୍ରବେଶ ଉପରେ ରୋକ୍‌ ଲାଗିଛି। ପ୍ରବେଶ ନିଷେଧ ଇଲାକାକୁ ପୁଲିସ ବଳ ପ୍ରହରା ଦେଉଛନ୍ତି।

ଶ୍ରୀମନ୍ଦିର ଚୌହଦିକୁ ମଧ୍ୟ ପୁଲିସ ବ୍ୟାରିକେଡ୍‌ କରାଯାଇଛି। ଦୋଳମଣ୍ଡପ ସାହି, ଲୋକନାଥ ରୋଡ, ପାଣିଟାଙ୍କି ଛକ, ମିଶ୍ର ସାହି ଛକ, ଦକ୍ଷିଣ ଦ୍ୱାର ସାମ୍ନା ଧାନକୁଟି ସାହି, ଶ୍ରୀନଅର ରାସ୍ତାକୁ ବ୍ୟାରିକେଡ୍‌ ମଧ୍ୟରେ ରଖାଯାଇଛି । ଖାଲି ସେତିକି ନୁହେଁ ମ୍ୟୁନିସପାଲିଟି ଛକରୁ ଯାନବାହନ ପ୍ରବେଶ ନିଷେଧ କରାଯାଇଛି । ମରିଚ୍‌କୋଟ ଛକରେ ଆଉ ଏକ ବ୍ୟାରିକେଡ୍‌ ଲାଗିଛି। ଏହି ବ୍ୟାରିକେଡ୍‌ ସମ୍ମୁଖରେ ପୁଲିସ ଛାଉଣି ପକାଇଛି । ପ୍ରଶାସନ ଘୋଷଣା କରିଛି ସେବକ ବେଶରେ ଅଣସେବକ ଶ୍ରୀମନ୍ଦିର ପ୍ରବେଶ କରିବାକୁ ଉଦ୍ୟମ କଲେ ଦଣ୍ଡବିଧି ଲାଗୁ ହେବ । ସେବକ ଏବଂ ଶ୍ରୀମନ୍ଦିର କର୍ମଚାରୀ ବଡ଼ଦେଉଳ ଭିତରକୁ ମୋବାଇଲ ଫୋନ ନେଇପାରିବେ ନାହିଁ । ରତ୍ନସିଂହାସନରେ ପ୍ରଭୁଙ୍କ ବିରଳ ନାଗାର୍ଜୁନ ବେଶର ମୋବାଇଲ ଫଟୋ ଏବଂ ଭିଡିଓ କରିବାର ପ୍ରୟାସକୁ ଏହି କଟକଣା ପ୍ରତିହତ କରିବ ବୋଲି ପ୍ରଶାସନ ଆଶା କରୁଛି । ଶ୍ରୀମନ୍ଦିର ଚାରିଦ୍ୱାରରେ ସେବକଙ୍କୁ ଚିହ୍ନଟ କରିବାକୁ ମଧ୍ୟ ପୁଲିସ ସହ ଶ୍ରୀଜଗନ୍ନାଥ ଟେମ୍ପୁଲ୍‌ ପୁଲିସ ନିୟୋଜିତ ହୋଇଛନ୍ତି । ମହାପ୍ରଭୁଙ୍କ ବେଶକୁ ଭକ୍ତମାନେ କୌଣସି ବିଧି ଉଲ୍ଲଂଘନ ଉପାୟ ଅବଲମ୍ବନରେ ଦର୍ଶନ କରିବାର ସମସ୍ତ ରାସ୍ତାକୁ ବନ୍ଦ କରି ଦେଇଛି ପ୍ରଶାସନ ।

ଦର୍ଶନ ରୂପରେଖ ଏବଂ ସୁରକ୍ଷା ବ୍ୟବସ୍ଥାରେ ଶ୍ରୀମନ୍ଦିର ସିଂହଦ୍ୱାର ବ୍ୟତୀତ ଅନ୍ୟ ତିନି ଦ୍ୱାରରେ ବ୍ୟାରିକେଡ୍‌ ନିର୍ମାଣ ହୋଇଛି । ବ୍ୟାରିକେଡ୍‌ ଦେଇ କେବଳ ସେବାୟତ ଏବଂ ଡ୍ୟୁଟିରେ ଥିବା କର୍ମଚାରୀ ପ୍ରବେଶ କରିପାରିବେ । ପୁରୀରେ ଅବସ୍ଥାପିତ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ତଦାରଖରେ ଏସ୍‌ପି ଏହି ସୁରକ୍ଷା ବ୍ୟବସ୍ଥାର ନିୟନ୍ତ୍ରଣରେ ରହିବେ । ସାମଗ୍ରିକ ସୁରକ୍ଷା ଦାୟିତ୍ୱରେ ରହିବେ ୨୪ ପ୍ଳାଟୁନ୍‌ । ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ ୨ ଜଣ ଅତିରିକ୍ତ ଏସ୍‌ପି । ୮ ଜଣ ଡିଏସ୍‌ପି ଆଉ କମାଣ୍ଡାଣ୍ଟ ତଥା ୧୯ ଇନ୍ସପେକ୍ଟର ସୁରକ୍ଷା ବ୍ୟବସ୍ଥାର ସଞ୍ଚାଳନ କରିବେ । ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ ୭୭ ଏଏସ୍‌ଆଇ ଆଉ ଡେପୁଟି ସୁବେଦାର । ଏମାନଙ୍କୁ ସହଯୋଗ କରିବେ ୬୦ ହୋମଗାର୍ଡ ।

ଗୁରୁବାର ରାତିରୁ ପୁରୀର ସମସ୍ତ ପ୍ରବେଶ ପଥରେ ଯାଞ୍ଚ କଡ଼ାକଡ଼ି କରାଯାଇଛି । ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଉତ୍ତରା, ପିପିଲି ଟୋଲ୍‌ଗେଟ୍‌ ନିକଟରେ ପୁଲିସ ଯାଞ୍ଚ କରୁଛି । ପୁରୀ ପଟକୁ କୌଣସି ଲୋକଙ୍କୁ ଛାଡ଼ୁନାହିଁ । ସେହିପରି କୋଣାର୍କ, ବ୍ରହ୍ମଗିରି ପଟୁ ପୁରୀ ପ୍ରବେଶ ପଥରେ ଯାଞ୍ଚ କରାଯାଉଛି 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.