ବିଧାୟକ ଉମା ସାମନ୍ତରାୟଙ୍କୁ ନୋଟିସ୍, ସପ୍ତାହକ ମଧ୍ୟରେ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ

Published By : Prameya-News7 Bureau | October 10, 2020 IST

ପୁରୀ ୧୦।୧୦: ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍। ସପ୍ତାହକ ମଧ୍ୟରେ କାରଣ ଦର୍ଶାଇବାକୁ ନୋଟିସ୍ ଜାରି କରାଯାଇଛି । କୋଭିଡ୍ କରୋନା ପଜିଟିଭ ଥାଇ ମଧ୍ୟ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟରେ ଯୋଗଦେବା ପାଇଁ ସ୍ବର୍ଗଦ୍ବାରକୁ ଯାଇଥିଲେ । ଏନେଇ ପୁରୀ ସମୂଦ୍ରକୂଳ ଥାନାରେ ଅଭିଯୋଗ ହୋଇଥିଲା ।

ଅଭିଯୋଗ ଆସିବା ପରେ ବିଧାୟକ ଉମା ସାମନ୍ତରାୟ ନିଜ ଭୁଲ ସ୍ବୀକାର କରିଥିଲେ । ସେ କହିଥିଲେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ତାଙ୍କୁ ମର୍ମାହତ କରିଥିଲା । କରୋନା ପଜିଟିଭ ଥାଇ ମଧ୍ୟ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟରେ ଯୋଗଦେବା ପାଇଁ ସ୍ବର୍ଗଦ୍ବାରକୁ ଯାଇଥିଲି । ଆଇନର ଉର୍ଦ୍ଧ୍ବରେ କେହି ନାହିଁ । ଯାହା ବି କାର୍ଯ୍ୟାନୁଷ୍ଠାନ ହେବ ମାନିନେବେ ବୋଲି ଉମା ସାମନ୍ତରାୟ କହିଥିଲେ ।

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ସମୟରେ ସ୍ବର୍ଗଦ୍ବାରା କୋଭିଡ୍‌ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏ ନେଇ ସୂଚନା ଦେଇଥିଲେ ଏସପି ଅଖିଳେଶ୍ବର ସିଂହ ।

ଏସପି କହିଥିଲେ ଯେ, ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । କିନ୍ତୁ କରୋନା ପଜିଟିଭ୍‌ ବ୍ୟକ୍ତି ୧୭ ଦିନ କ୍ବାରେଣ୍ଟାଇନ୍‌ରେ ରହିବା ନିୟମ ଅନୁଯାୟୀ ମନ୍ତ୍ରୀ ସମୀର ଦାଶ ଠିକ୍‌ ଥିଲେ । ମନ୍ତ୍ରୀଙ୍କ ପଜିଟିଭ ହେବାକୁ ୨୨ ଦିନ ହୋଇଯାଇଥିଲା । ମନ୍ତ୍ରୀଙ୍କୁ ସରକାର ପ୍ରତିନିଧି ରୂପେ ପଠାଇଥିଲେ । କିନ୍ତୁ ବିଧାୟକ ଏହି ନିୟମ ଉଲ୍ଲଂଘନ କରିଥିଲେ । ତେଣୁ ତାଙ୍କ ବିରୋଧରେ ସମୁଦ୍ରକୂଳ ଥାନାରେ ୨୬୯, ୨୭୦ ଓ ୩ ମହାମାରୀ ଆଇନ୍ ଅନୁଯାୟୀ ମାମଲା (୧୬୧/୨୦) ରୁଜୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.