ଶିକ୍ଷକ ଓ ପିଅନ ମିଶି ନିସ୍ତୁକ ପିଟିଲେ ଛାତ୍ରଙ୍କୁ, ଭାଙ୍ଗିଗଲା କାନ୍ଧର ହାଡ : ଥାନାରେ ମାମଲା

Published By : Prameya-News7 Bureau | November 08, 2019 IST

ଯାଜପୁର ୮।୧୧ : ଶିକ୍ଷକ ଓ ପିଅନଙ୍କ ମାଡରେ ଛାତ୍ରର କାନ୍ଧର ହାଡ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି  । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ବନ୍ଧଗାଁ ସ୍ଥିତ ଲାଙ୍ଗୁଳା ବାବା ଉଚ୍ଚ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । 

{"id":180876}

ସୂଚନାଯୋଗ୍ୟ ଯେ, ବନ୍ଧଗାଁ ସ୍ଥିତ ଲାଙ୍ଗୁଳା ବାବା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀର ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କ ମଧ୍ୟରେ ଏକ ବହି ହଜିବାକୁ ନେଇ ବିବାଦ ହୋଇଥିଲା । ଗୋଡିସାହି ଗ୍ରାମର ଘନଶ୍ୟାମ ପ୍ରଧାନଙ୍କ ପୁଅ ପ୍ରଭାତ ପ୍ରଧାନ ଲାଙ୍ଗୁଳା ବାବା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢନ୍ତି । କିଛିଦିନ ତଳେ ନିଜ ଶ୍ରେଣୀର ଜଣେ ଛାତ୍ରୀଙ୍କ ଏକ ବହି ହଜିଯାଇଥିବା ବେଳେ ପ୍ରଭାତ ସେହି ବହିଟିକୁ ପାଇଥିଲେ । କିନ୍ତୁ ପରେ ଛାତ୍ରୀ ଜଣଙ୍କ ନିଜ ବହି ଚିହ୍ନି ପାରି ପ୍ରଭାତଙ୍କୁ ବହି ଫେରାଇବାକୁ କହିଥିଲେ ।

{"id":180877}

ପ୍ରଭାତ ଏହାକୁ ଅସ୍ବୀକାର କରିବାରୁ ଏନେଇ ଉଭୟଙ୍କ ମଧ୍ୟରେ କଳହ ଲାଗିଥିଲା । ପାଟି ଶୁଣି ନିକଟ ଶ୍ରେଣୀରେ ଥିବା ଶିକ୍ଷକ ସନ୍ତୋଷ ସାହୁ ଆସି ଉଭୟଙ୍କୁ ତାଗିଦ କରିଥିଲେ । ଉଭୟଙ୍କୁ ଶ୍ରେଣୀରୁ ବାହାରକୁ ଡାକି କଳହର କାରଣ ପଚାରି ବୁଝିଥିଲେ । ପରେ ପ୍ରଭାତକୁ ଛାତ୍ରୀଙ୍କ ବହି ଫେରାଇବାକୁ କହିଥିଲେ । ହେଲେ ସେ ମନା କରିବାରୁ ଉକ୍ତ ଶିକ୍ଷକ ତାଙ୍କୁ ମାଡ ମାରିଥିଲେ । ସେ ଏନେଇ ଶିକ୍ଷକଙ୍କୁ ପ୍ରତିବାଦ କରିବାରୁ ସେଠାରେ ଥିବା ସ୍କୁଲର ପିଅନ ସେଠାକୁ ଆସି ଏକ କ୍ରିକେଟ ଷ୍ଟମ୍ପ୍‌ରେ ଛାତ୍ରଙ୍କୁ ପିଟିବା ସହ ଶ୍ରେଣୀ ଗୃହରେ ପୁରାଇ ତାଲା ପକାଇ ଦେଇଥିବାର ଅଭିଯୋଗ ହୋଇଛି।  ।

{"id":180878}

ଖବର ପାଇ ଛାତ୍ରଙ୍କ ବାପା ଆସି ତାଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତରୀ ପରୀକ୍ଷା ପରେ ଛାତ୍ରଙ୍କ ଡାହାଣ ପଟ କାନ୍ଧର ହାଡ ଭାଙ୍ଗିଥିବା ଜଣାପଡିଛି । ଏନେଇ ଛାତ୍ରଙ୍କ ବାପା ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।    

{"id":180879}

ଛାତ୍ରଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରଖିଛି । ଏନେଇ ପୋଲିସ କୌଣସି ପ୍ରତିକ୍ରିୟା ଦେଇନାହିଁ । ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉଭୟ ଶିକ୍ଷକ ଓ ପ୍ରଧାନ ଶିକ୍ଷକ । ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସମ୍ପୃକ୍ତ ଶିକ୍ଷକ ସନ୍ତୋଷ ସାହୁ କହିଛନ୍ତି । ଅନ୍ୟପଟେ ଛାତ୍ରଙ୍କୁ ଶିକ୍ଷକ ମାରିଥିବା ନେଇ ସେଠାରେ ଉପସ୍ଥିତ ଛାତ୍ରୀ ଜଣଙ୍କ ସ୍ବୀକାର କରିଛନ୍ତି । ତେବେ ଏହି ଘଟଣା ସମ୍ପର୍କରେ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ  କିଛି କହିବାକୁ ମନା କରି ଦେଇଛନ୍ତି ।

{"id":180880}

ସେପଟେ ଏହି ଘଟଣାକୁ ସମ୍ପୃକ୍ତ ଶିକ୍ଷକ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ଅସ୍ବୀକାର କରିଥିବା ବେଳେ ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ସମ୍ପୃକ୍ତ ଶିକ୍ଷକ ଓ ପିଅନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.