କୋହଳ ସୁଯୋଗରେ ଅସମ୍ଭାଳ ଭିଡ : ଭଦ୍ରକରେ ମଲ୍ ସିଲ୍, ବଜାରରେ ପ୍ରଶାସନର ଚଢାଉ
12/06/2020 at 2:18 PM

ଭଦ୍ରକ ୧୨।୬: ଅସମ୍ଭାଳ ହେଲାଣି ଭିଡ । କଟକଣା ଟିକେ କୋହଳ ହେବାରୁ ବଜାରରେ ଭିଡ ଜମାଇଲେ ଲୋକ । ମାସ୍କ ତ ଦୂରକଥା, ସାମାଜିକ ଦୂରତା ନିୟମକୁ ଫୁ କରିଦେଲେଣି । କେବଳ ଗ୍ରାହକ କାହିଁକି ଦୋକାନ ଓ ମଲ୍ ଗୁଡିକ ମଧ୍ୟ ସମାନ ଢଙ୍ଗରେ ରଜ ବେପାର ପାଇଁ ସମସ୍ତଙ୍କୁ ଭିତରେ ଏକସାଙ୍ଗରେ ପ୍ରବେଶ କରାଉଛନ୍ତି । ଦୋକାନ ବଜାର, ରାସ୍ତାଘାଟ ସବୁ ଜାମ୍ । କାରଣ ଏବେ ରଜ ବଜାରରେ ଭିଡ ଜମିଛି ।

ଏହି ସମୟରେ ଏମିତି ଅବସ୍ଥା ନଜରକୁ ଆସିଲା ଜିଲ୍ଲା ପ୍ରଶାସନର । ଭଦ୍ରକ ଜିଲ୍ଲା ପ୍ରଶାସନର ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଓ ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲା । ଉପଜିଲ୍ଲାପାଳ ପୀତାମ୍ବର ସାମଲ , ଭଦ୍ରକ ତହସିଲଦାର ବିକାଶ ଜ୍ୟୋତି ଦାସ ଓ ଏସଡିପିଓ ସୁନୀଲ ନନ୍ଦଙ୍କ ନେତୃତ୍ବରେ ଚଢ଼ାଉ କରାଯାଇଥିଲା ।

ଭଦ୍ରକ ସହରରେ ୫ଟି ଏନଫୋର୍ସମେଣ୍ଟ ଟିମ୍ ଚଢାଉ କରିଥିଲା । କେତେକ ଦୋକାନ ଓ ମଲ୍ ସରକାରୀ ନିୟମକୁ ଉଲଂଘନ କରି ବ୍ୟବସାୟ କରୁଥିବା ବେଳେ ଚଢ଼ାଉ ହୋଇଥିଲା । ଦୋକାନ ଓ ମଲ୍ ଭିତରୁ ଗ୍ରାହକଙ୍କୁ ବାହାର କରି ଦୋକାନଗୁଡିକୁ ସିଲ୍ କରିଛି ପ୍ରଶାସନ ।

ମେଡିକାଲ ଛକରେ ଥିବା ଏମ ବଜାର, ବାଇପାସରେ ଥିବା ରିଲାଏନ୍ସ ସ୍ମାର୍ଟକୁ ସିଲ୍ କରିଛି ପ୍ରଶାସନ । କଚେରୀ ବଜାର ଓ ଅନ୍ୟ ବଜାର ଉପରେ ଚଢ଼ାଉ ଜାରି ରହିଛି । ଆହୁରି ଅଧିକ ଦୋକାନ ସିଲ୍ ହେବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାର ବିଭିନ୍ନ ବ୍ଲକରେ ମଧ୍ୟ ସମାନ ଢଙ୍ଗରେ ଚଢାଉ ଜାରି ରହିଛି ।