ନିୟମ ଭାଙ୍ଗିଲେ ରଦ୍ଦ ହେବ ଦୋକାନୀଙ୍କ ଟ୍ରେଡିଂ ଲାଇସେନ୍ସ, କରୋନା ଚିକିତ୍ସା ପାଇଁ ଭ୍ୟାକ୍ସିନ୍ ନ ବାହାରିବା ପର୍ଯ୍ୟନ୍ତ ଜାରି ରହିବ ଲକ୍ଡାଉନ: ବିଏମ୍ସି ଏବଂ ପୋଲିସ୍ କମିଶନର
5/04/2020 at 6:24 PM

ଭୁବନେଶ୍ବର୫/୪: ସାମାଜିକ ଦୂରତା ଓ ଲକଡାଉନ୍ ନିୟମ ପାଳନ ନ କଲେ ଗ୍ରାହକ ଏବଂ ଦୋକାନୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ ସଂପୃକ୍ତ ଦୋକାନୀମାନଙ୍କ ଟ୍ରେଡିଂ ଲାଇସେନ୍ସ ରଦ୍ଦ କରାଯିବ। ବିଏମ୍ସି ଏବଂ ପୋଲିସ୍ କମିଶନର ମିଳିତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି। ରବିବାର ପ୍ରେସମିଟ୍ କରି ପୋଲିସ୍ କମିଶନର ସୂଚନା ଦେଇଛନ୍ତି। ଦୋକାନକୁ ଜଣେ ପରେ ଜଣେ ଗ୍ରାହକ ପ୍ରବେଶ କରିବେ। ତାହାଠାରୁ ଅଧିକ ସଂଖ୍ୟାରେ ଗ୍ରାହକ ରୁଣ୍ଡ ବା ଏକାଠି ହେଲେ ଦୋକାନର ଟ୍ରେଡିଂ ଲାଇସେନ୍ସ ସହ ଉକ୍ତ ଗ୍ରାହକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍ କମିଶନର ପ୍ରେସମିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି।
ରବିବାର ରାତି ୮ଟା ପରେ ସଟଡାଉନ୍ ଉଠିବାରେ ଗ୍ଲୋସରୀ କିମ୍ବା ଅତ୍ୟାବଶ୍ୟକୀୟ ଦୋକାନୀମାନଙ୍କ ସମ୍ନାରେ ଗ୍ରାହକଙ୍କ ଭିଡ ଲାଗିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଏମ୍ସି ଏବଂ ପୋଲିସ୍ କମିଶନରଙ୍କ ନିଷ୍ପତ୍ତିକ୍ରମେ ଏହି ନିୟମକୁ ଆହୁରି କଠୋର କରାଯାଇଛି। ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତା ରହିବା ଆବଶ୍ୟକ। ସେଥିପାଇଁ ଦୋକାନରେ ଜଣେ ପିଲାଙ୍କୁ ନିୟୋଜିତ କରିବାକୁ କୁହାଯାଇଛି।
ଅନ୍ୟପଟେ ପୋଲିସ୍ କମିଶନର ସୁଧାଂଶୁ ସଡ଼ଙ୍ଗୀ କହିଛନ୍ତି ଯେ, ଲକ୍ଡାଉନ ନିୟମ ଶେଷ ହେବା ପରେ ବି ଏହି ନିୟମ ବଳବତ୍ତର ରହିବ। ଯେପର୍ଯ୍ୟନ୍ତ କରୋନା ଭଳି ମାରତ୍ମକ ଭାଇରସ୍ର ଚିକିତ୍ସା ପାଇଁ ଭ୍ୟାକ୍ସିନ ନ ବାହାରିଛି ସେପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ। ଯଦି କୌଣସି ଗ୍ରାହକ କିମ୍ବା ଦୋକାନୀ ଏହି ନିୟମ ଉଲଂଘନ କରନ୍ତି ତେବେ ସେମାନଙ୍କ ବିରୋଧରେ ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭୁବନେଶ୍ବର ସର୍ବାଧିକ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ପରେ ବିଏମ୍ସି ରାଜଧାନୀର ବିଭିନ୍ନ ଅଞ୍ଚଳକୁ ସିଲ୍ କରିଛି।