ଭୋକ ବିକଳରେ ସିନା ପାଂଚ ଟଂକାର ବିସ୍କୁଟ ଚୋରି କରିଥିଲା ଛାତ୍ର, ହେଲେ ଛାତ୍ରକୁ ବାଡ଼େଇ ବଡ଼େଇ ମାରିଦେଲା ଦୋକାନୀ
11/02/2019 at 5:51 PM

ଭାଗଲପୁର ୧୧/୨- ଆଜି ବି ଲୋକ ଭୋକ ବିକଳରେ ବାର ଶୁଣ୍ଢିପିଣ୍ଡା ହେଉଛନ୍ତି । ପେଟ ପାଇଁ କିଏ କେତେ ପ୍ରକାର ନାଟ କରୁଛନ୍ତି । କିଏ କିଏ ବି ଭୋକର ଜ୍ବାଳା ସହି ନ ପାରି ଚୋରି ବି କରିଛନ୍ତି । ଚୋରି କରିବା ଅପରାଧ କିନ୍ତୁ କେହି ଯଦି ଜୀବନ ଟିକେ ବଂଚେଇବାକୁ ସାମାନ୍ୟ ୫ଟଂକାର ବିସ୍କୁଟ ଚୋରି କରି ଖାଇଦିଏ, ତାକୁ ବାଡ଼େଇ ବାଡ଼େଇ ମାରିଦେବା କଣ ଅପରାଧ ନୁହେଁ । ୫ଟଂକା ବିସ୍କୁଟ ପାଇଁ ଜଣେ ନାବାଳକର ଜୀବନ ନେଇଯିବା କେଉଁ ମାନବିକତାରେ ଲେଖା କହିଲେ ?
ଏଭଳି ଘଟଣା ଘଟିଛି ଅମରପୁର ବାସୁଦେବପୁର ପଶ୍ଚିମଟୋଲା ଅଂଚଳରେ । ଦେବେନ୍ଦ୍ର ପ୍ରସାଦଙ୍କ ପୁଅ ନୀତିଶ କୁମାରଙ୍କୁ ବାଡ଼େଇ ବଡ଼େଇ ଦୋକାନୀ ମାରିଦେଇଥିବା କଥା ପୋଲିସ ସୂତ୍ରରୁ ପ୍ରକାଶ ।
ନୀତିଶ କୁମାର ସପ୍ତମ ଶ୍ରେଣୀର ଛାତ୍ର ଥିଲା । ସ୍କୁଲଯିବା ରାସ୍ତାରେ ନୀତିଶ ବିସ୍କୁଟ କିଣିବାକୁ ଦୋକାନ ପାଖରେ ଠିଆ ହୋଇଥିଲା ସତ ହେଲେ ତା ପାଖରେ କିଛି ପଇସା ନଥିଲା । ଦୋକାନୀ କାରୁ ଯାଦବ ଅନ୍ୟଜଣେ ଗରାଖକୁ ଗୁଟଖା ଦେଵା ସମୟରେ ନୀତିଶ ସୁବିଧା ଦେଖି ବିସ୍କୁଟ ଚୋରି କରିଥିଲା । ଏହିକଥା ଦୋକାନୀ ଜାଣିବା ପରେ ଅମାନୁଷିକ ଭାବେ ନୀତିଶକୁ ବାଡ଼େଇଥିଲା ।
ନୀତିଶ ପ୍ରବଳ ମାଡ଼ ଖାଇ ପ୍ରାଣ ବିକଳରେ ପଳେଇଆସିଥିଲା । ହେଲେ ଘର ପହଂଚିଲା ବେଳକୁ ଅବସ୍ଥା ଗୁରୁତର ହୋଇଯାଇଥିଲା । ପରିବାର ଲୋକ ଡ଼ାକ୍ତରଖାନରେ ଭର୍ତ୍ତି କରିଥିଲେ । କିନ୍ତୁ ଡ଼ାକ୍ତରଖାନାରେ ନୀତିଶର ମୃତ୍ୟୁ ହୋଇଥିଲା ।
ଏହି ଘଟଣାରେ ପରିବାର ତରଫରୁ ମାମଲା ରୁଜୁ କରାଯାଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଜଣେ ଭୋକ ପାଇଁ ଚୋରି କରୁଥିବା ବେଳେ ଜଣେ କରୁଛି ଅପରାଧ । ଚୋରି ଅପରାଧ ହେଲେ ବି ପାଂଚ ଟଂକାର ବିସ୍କୁଟ ପାଇଁ କାହାର ପ୍ରାଣ ନେଇଯିବା କେଉଁ ପ୍ରକାର ମାନବିକତା କହିଲେ ?