ରାଇଫଲ ଧାର୍ ଆଣି ଅଭ୍ୟାସ କରୁଥିଲେ ସୁଟିଂ ଚାମ୍ପିୟନ: ଅଢେଇ ଲକ୍ଷ ଟଙ୍କାର ରାଇଫଲ ପଠାଇଲେ ସୋନୁ ସୁଦ୍

Published By : Prameya-News7 Bureau | June 27, 2021 IST

ମୁମ୍ବାଇ ୨୭/୦୬ : ଅଭିନେତା ସୋନୁ ସୁଦ୍ କରୋନା ମହାମାରୀ ସମୟରେ ଅଭାବୀ ଲୋକଙ୍କ ପାଇଁ ଭଗବାନ ଭଳି ଉଭା ହୋଇଛନ୍ତି। ଗତ ବର୍ଷ ମହାମାରୀ ସମୟରୁ ସେ ଲକ୍ଷ ଲକ୍ଷ ଲୋକଙ୍କୁ ସାହାଯ୍ୟ କଲେଣି ଏବଂ ଏବେ ମଧ୍ୟ ନିଜର ଏହି ମହତ କାର୍ଯ୍ୟ ଜାରି ରଖିଛନ୍ତି। ହଜାର ହଜାର ଲୋକଙ୍କୁ ଅକ୍ସିଜେନ ବିତରଣ, ହଜାର ହଜାର ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇବା, ଲୋକଙ୍କ ଅପରେସନ ଓ ଅନ୍ୟାନ୍ୟ ଚିକିତ୍ସା କରିବା, ପିଲାଙ୍କ ପାଠ ପଢା ପାଇଁ କେତେବେଳେ ମୋବାଇଲ ଫୋନ ତ ପୁଣି କେତେବେଳେ ସାଇକେଲ ଯୋଗାଇ ଦେଇଛନ୍ତି। ଅଭିନେତା ବିଭିନ୍ନ ଉପାୟରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି।

ବର୍ତ୍ତମାନ ସେ ଝାରଖଣ୍ଡର ଜଣେ ଶୁଟିଂ ଚାମ୍ପିଅନସିପ୍ ଙ୍କ ଇଚ୍ଛା ପୂରଣ କରିଛନ୍ତି। ଝାରଖଣ୍ଡର କୋନିକା ଲାୟକ ଏକାଦଶ ଝାରଖଣ୍ଡ ଷ୍ଟେଟ ରାଇଫଲ ଶୁଟିଂ ଚାମ୍ପିଅନସିପ୍ ୫୦ ମିଟର ରାଇଫଲ ବର୍ଗରେ ସ୍ୱର୍ଣ୍ଣ ପଦକ ଏବଂ ୫୦ ମିଟର ରାଇଫଲ ପ୍ରୋନ ଫାଇନାଲରେ ରୋପ୍ୟ ପଦକ ଜିତିଥିଲେ। ତେବେ ସେ ନିଜ ରାଇଫଲ ବିନା ଏହି କୀର୍ତ୍ତି ପୁରା କରିଥିଲେ। ସୋନୁ ସୁଦ କୋନିକା ଲାୟକକୁ ଅଢେଇ ଲକ୍ଷ ଟଙ୍କା ମୂଲ୍ୟର ଜର୍ମାନ ରାଇଫଲ ପଠାଇ ତାଙ୍କ ଜୀବନର ଇଚ୍ଛା ପୂରଣ କରିଛନ୍ତି।

ଏହାପରେ କୋନିକା ଏକ ଟୁଇଟ୍ କରିଛନ୍ତି, ମୁଁ ଏକାଦଶ ଝାରଖଣ୍ଡ ରାଜ୍ୟ ରାଇଫଲ ଶୁଟିଂ ଚାମ୍ପିୟନଶିପ -୨୦୨୦ ରେ ଏକ ସ୍ୱର୍ଣ୍ଣ ପଦକ ଏବଂ ରୋପ୍ୟ ପଦକ ଜିତିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଝାରଖଣ୍ଡ ସରକାରଙ୍କ ତରଫରୁ କୌଣସି ସହାୟତା ମିଳିନାହିଁ। ଦୟାକରି ଗୋଟିଏ ରାଇଫଲ ପାଇଁ ସାହାଯ୍ୟ କରନ୍ତୁ। ଏହି ଟୁଇଟ୍ ପରେ ସୋନୁ ସୁଦ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି - ମୁଁ ଆପଣଙ୍କ ପାଇଁ ରାଇଫଲ ପଠାଇବି। ଆପଣ ଦେଶ ପାଇଁ ପଦକ ଜିତିଛନ୍ତି। ଆପଣଙ୍କ ରାଇଫଲ ଆପଣଙ୍କ ପାଖରେ ପହଞ୍ଚିଯିବ। ସୋନୁ ସୁଦ ନିଜ ପ୍ରତିଶୃତି ରକ୍ଷା କରି କୋନିକାଙ୍କ ଇଚ୍ଛା ପୂରଣ କରିଛନ୍ତି।

ଧନବାଦର ରାଜ୍ୟ ସ୍ତରୀୟ ରାଇଫଲ ଶୁଟିଂ ଚାମ୍ପିୟନ କନିକା ଲାୟକଙ୍କୁ ଉପହାର ସ୍ୱରୂପ ଏକ ରାଇଫଲ ମିଳିଛି। ମାର୍ଚ୍ଚ ୧୦ ରେ ସୋନୁ ସୁଦ ଟ୍ୱିଟ୍ କରି କୋନିକାଙ୍କୁ ରାଇଫଲ ଦେବାକୁ ପ୍ରତିଶୃତି ଦେଇଥିଲେ। କୋନିକା କହିଛନ୍ତି ଯେ ଜୁନ୍ ୨୪ ରେ ଏହି ରାଇଫଲ ତାଙ୍କ ପାଖରେ ପହଞ୍ଚିଥିଲା। କୋନିକା କହିଛନ୍ତି ଯେ ସୋନୁ ସୁଦ ନିଜେ ତାଙ୍କ ସହ ଏକ ଭିଡିଓ କଲ କରି କଥା ହୋଇଥିଲେ। ବର୍ତ୍ତମାନ ସେ ଲଗାତାର ଅଭ୍ୟାସ କରିପାରିବେ।

ରାଇଫଲ ଅଭାବରୁ କୋନିକା ଆଗାମୀ ଇଷ୍ଟ ଜୋନ୍ ଶୁଟିଂ ଚାମ୍ପିଅନସିପ୍ ପାଇଁ ଅଭ୍ୟାସ କରିବାରେ ଅସମର୍ଥ ହୋଇଥିଲେ। ସେ ଚାମ୍ପିୟନସିପରେ ଝାରଖଣ୍ଡର ପ୍ରତିନିଧିତ୍ୱ କରିବେ। ସୂଚନା ଅନୁଯାୟୀ, ଗତ ବର୍ଷ କୋନିକା ଏକାଦଶ ଝାରଖଣ୍ଡ ରାଜ୍ୟ ରାଇଫଲ ଶୁଟିଂ ଚାମ୍ପିୟନସିପ ଜିତିଥିଲେ। ସେ ଧାର ଆଣି ଅଭ୍ୟାସ କରୁଥିଲେ।

ସୋନୁ ସୁଦ କହିଛନ୍ତି ଜଣେ ପ୍ରତିଭାଶାଳୀ ବ୍ୟକ୍ତିଙ୍କୁ ସାହାଯ୍ୟ କରି ସେ ବହୁତ ଖୁସି। ଆମ ଦେଶର ପ୍ରତିଭା ଏହିଭଳି ବେକାର ହେବା କଥା ନୁହେଁ। କୋନିକାଙ୍କ ଯାତ୍ରାର ଏକ ଅଂଶ ହେବାର ସୁଯୋଗ ପାଇଥିବାରୁ ସେ ନିଜକୁ ଧନ୍ୟ ମନେକରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.