ଜୋତା-ଚପଲକୁ ସାବଧାନ : କରୋନା ଇନ୍ଫେକ୍ସନ୍ ସେ ବାଟରୁ ବି ଆସିପାରେ
30/03/2020 at 3:11 PM

ନୂଆଦିଲ୍ଲୀ ୩୦।୦୩: ସାରାଦେଶରେ ଏବେ କରୋନା ଭାଇରସ ହୁ ହୁ ହୋଇ ବଢିଚାଲିଛି। ପ୍ରତ୍ୟେକ ଦିନ ଦେଶରେ ନୂଆ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । କରୋନା ଭାଇରସର ସଂକ୍ରମଣରୁ ରକ୍ଷାପାଇବା ପାଇଁ ଡାକ୍ତର, ବିଶେଷଜ୍ଞମାନେ କେତେ ପ୍ରକାରର ପରାମର୍ଶ ଦେଉଛନ୍ତି । ଲୋକମାନଙ୍କୁ ପରିଷ୍କାର ପରିଚ୍ଛନ୍ନତା ବିଶେଷ କରି ହାତକୁ ହ୍ୟାଣ୍ଡୱାସରେ ଧୋଇବା, ହାତ ଦ୍ୱାରା ମୁହଁକୁ ବାରମ୍ବାର ନ ଛୁଇଁବା ଇତ୍ୟାଦି ଶିଖାଯାଉଛି । ଇତିମଧ୍ୟରେ ଭାଇରସ ବ୍ୟାପିବା ସଂପର୍କରେ ଏକ ନୂଆ କଥା ଜଣାପଡ଼ିଛି । ତାହା ହେଲା ଜୋତା ମାଧ୍ୟମରେ କରୋନା ସଂକ୍ରମଣ ହୋଇପାରେ ।
ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଜୋତାର ସୋଲ ବ୍ୟାକ୍ଟେରିଆ, ଫଙ୍ଗସ ଏବଂ ଭାଇରସର ବାହକ ବନିପାରେ । ଡେଲି ମେଲ୍ର ଏକ ରିପୋର୍ଟ ଅନୁସାରେ ଜୋତାର ସୋଲ୍ରେ ଏହି ଭାଇରସ ୫ ଦିନ ଯାଏ ରହିପାରେ । ବିଶେଷକରି ସର୍ବସାଧାରଣ ସ୍ଥାନ, ସୁପରମାର୍କେଟ, ଟ୍ରାନ୍ସପୋର୍ଟ କେନ୍ଦ୍ର ଏବଂ ହସ୍ପିଟାଲ ଭଳି ସ୍ଥାନରେ ପିନ୍ଧାଯାଇଥିବା ଜୋତାରେ ଏହି ଭାଇରସ ରହିଥାଏ । ଏହି ସବୁ ସ୍ଥାନରେ ଉପସ୍ଥିତ ଥିବା କରୋନା ଆକ୍ରାନ୍ତ ବ୍ୟକ୍ତି କାଶିଲେ କିମ୍ବା ଛିଙ୍କିଲେ ତାଙ୍କର ନାକ, ପାଟିରୁ ଡ୍ରପଲେଟ ବାହାରି ବାୟୁ ମାଧ୍ୟମରେ ମାଟି ଉପରେ କିମ୍ବା ଜୋତାର ଫିତାରେ, ହିଲ୍ରେ ପଡ଼ିଥାଏ । ପରବର୍ତ୍ତୀ ସମୟରେ ତାହା ଜୋତାର ସୋଲ୍କୁ ଯାଇଥାଏ । ସେହିପରି ଜୋତାର ସୋଲ ଡ୍ୟୁରେବଲ ସିନ୍ଥେଟିକ୍ ମ୍ୟାଟେରିଆଲ ଅର୍ଥାତ୍ ରବର, ପ୍ଲାଷ୍ଟିକ୍, ଚମଡ଼ା ଇତ୍ୟାଦି ଦ୍ୱାରା ପ୍ରସ୍ତୁତ ହୋଇଥାଏ । ଏହି ସବୁ ମ୍ୟାଟେରିଆଲରେ ଭାଇରସ ରହିବାର ଆଶଙ୍କା ଖୁବ୍ ଅଧିକ ଥାଏ । ତେଣୁ ଯେକୌଣସି ସର୍ବସାଧାରଣ ସ୍ଥାନରୁ ଆସିବାପରେ ଜୋତାକୁ ଭଲ ଭାବେ ସାନିଟାଇଜରରେ ଧୁଅନ୍ତୁ ।