ଗମ୍ଭୀରଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ଜୋରଦାର ଝଟକା: ଅଦାଲତ କହିଲେ- କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଯାଇ ପାରିବ ନାହିଁ

Published By : Prameya-News7 Bureau | July 26, 2021 IST

ନୂଆଦିଲ୍ଲୀ ୨୬।୦୭: କୋଭିଡ୍-୧୯ ଔଷଧର ବେଆଇନ କ୍ରୟ ଏବଂ ବିତରଣ କରିବା ମାମଲାରେ ପୂର୍ବତନ କ୍ରିକେଟ୍ ଖେଳାଳି ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟରୁ ମଧ୍ୟ ନିସ୍ତାର ମିଳିଲାନାହିଁ। ଗୌତମ ଗମ୍ଭୀରଙ୍କ ଫାଉଣ୍ଡେସନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ଗମ୍ଭୀର ସର୍ବୋଚ୍ଚ ଅଦାଲତର ଦ୍ଵାରସ୍ଥ ହୋଇଥିଲେ। ହେଲେ ସୁପ୍ରିମକୋର୍ଟ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଛନ୍ତି।

ବିଚାରପତି ଡି ଓ୍ଵାଇ ଚନ୍ଦ୍ରଚୂଡ ଓ ବିଚାରପତି ଏମଆର ଶାହାଙ୍କ  ପୀଠ କହିଛନ୍ତି, ଯେଉଁ ସମୟରେ ଲୋକେ ଔଷଧ ପାଇଁ ଡହଳ ବିକଳ ହେଉଥିଲେ, ଏପଟ ସେପଟ ଘୂରି ବୁଲୁଥିଲେ, ସେହି ସଙ୍କଟ ସମୟରେ ଏକ ଟ୍ରଷ୍ଟ କହୁଛି ଯେ, ଆପଣଙ୍କୁ ଆମେ ଔଷଧ ଦେବୁ। ଏମିିତି କଡା ଶବ୍ଦରେ ଭର୍ତ୍ସନା କରି ପୀଠ ଗମ୍ଭୀରଙ୍କ ଟ୍ରଷ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଛନ୍ତି। ଏହି ମାମଲାରେ ଆମେ କିଛି କରି ପାରିବୁ ନାହିଁ, କିନ୍ତୁ ଏହା ଉପରେ ନଜର ରଖି ପାରିବୁ  ବୋଲି ବିଚାରପତି କହିଛନ୍ତି।

ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ଆବେଦନକାରୀଙ୍କୁ ଦିଲ୍ଲୀ ହାଇକୋର୍ଟର ଦ୍ଵାରସ୍ଥ ହୋଇ ସେଠାରେ ଆଶ୍ଵସ୍ତି ପାଇଁ ପ୍ରାର୍ଥନା କରିବା ଉଚିତ୍। ଫାଉଣ୍ଡେସନ ପକ୍ଷରୁ ହାଜର ବରିଷ୍ଠ ଓକିଲ କୈଳାଶ ବାସଦେବ ଔଷଧି ଓ ପ୍ରସାଧନ ଆଇନ ଆଧାରରେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ନିବେଦନ କରିଥିଲେ। ପୀଠଙ୍କ ଆଭିମୁଖ୍ୟ ଦେଖି ଗମ୍ଭୀରଙ୍କ ଫାଉଣ୍ଡେସଙ୍କ ଓକିଲ ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି।

ଦିଲ୍ଲୀ ସରକାରର ଔଷଧ ନିୟନ୍ତ୍ରକ ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟକୁ ଅବଗତ କରାଇଥିଲେ ଯେ, ଗମ୍ଭୀରଙ୍କ ଫାଉଣ୍ଡେସନ କରୋନା ରୋଗୀଙ୍କ ପାଇଁ ଫାବିଫ୍ଲ୍ୟୁ ଔଷଧ  ବେଆଇନ ଭାବେ କିଣି ଜମା କରି ରଖିଥିଲେ। ଏଥିରେ ଗୌତମ ଗମ୍ଭୀର ଦୋଷୀ। ଅଦାଲତ ବହୁ ମାତ୍ରାରେ ଔଷଧ କ୍ରୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟ କହିଛନ୍ତି, ବାସ୍ତବରେ ସେହି ସମୟରେ ଯେଉଁ ଲୋକଙ୍କୁ ଔଷଧ ଦରକାର ଥିଲା, ସେମାନଙ୍କୁ ଔଷଧ ମିଳିନଥିବ କାରଣ ବହୁତ ମାତ୍ରା ଔଷଧ କ୍ରିକେଟ୍‌ରୁ ନେତା ହୋଇଥିବା ଗମ୍ଭୀର ହାସଲ କରି ନେଇଥିଲେ।

ଅଦାଲତକୁ ସୂଚିତା କରାଯାଇଥିଲା ଯେ, ଆପ୍ ବିଧାୟକ ପ୍ରବୀଣ କୁମାରଙ୍କୁ ମଧ୍ୟ ଔଷଧ ଏବଂ ପ୍ରସାଧନ ଆଇନ ଆଧାରରେ  ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.