ଶୋଏବ ଅଖତରଙ୍କ ଦାବି: ଟିମ୍‌ ଇଣ୍ଡିଆ ଦୁଇ ଭାଗ, କୋହଲିଙ୍କ ସପକ୍ଷରେ କିଛି, ଅନ୍ୟମାନେ ବିରୋଧୀ

Published By : Prameya-News7 Bureau | November 02, 2021 IST

ଇସ୍ଲାମାବାଦ/ନୂଆଦିଲ୍ଲୀ ୦୨/୧୧: କିଛି ଦିନ ପୂର୍ବରୁ ଟି-୨୦ ବିଶ୍ବକପ୍‌ ପାଇଁ ଟିମ୍‌ ଇଣ୍ଡିଆ ପ୍ରବଳ ଦାବିଦାର ଥିବା କ୍ରିକେଟ ପଣ୍ଡିତ ଦାବି କରିଆସୁଥିଲେ। କିନ୍ତୁ ଏବେ ଏମିତି ସମୟ ଆସି ପହଞ୍ଚିଛି ଯେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତୀୟ କ୍ରିକେଟ ଟିମ୍‌ ସେମିଫାନାଲ୍‌ ଦୌଡ଼ରୁ ବି ବାଦ ପଡ଼ିବାକୁ ଯାଉଛି । ଏହାରି ଭିତରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର କହିଛନ୍ତ, ଭାରତୀୟ କ୍ରିକେଟ ଟିମ୍‌ ଦୁଇ ଫାଳ ହୋଇଯାଇଛି । ଗୋଟିଏ ଭାଗ କୋହଲିଙ୍କ ସହିତ ଥିବା ବେଳେ ଅନ୍ୟଟି ତାଙ୍କ ବିପକ୍ଷରେ ରହିଛି ।

କ୍ରିକେଟ ବିଶେଷଜ୍ଞଙ୍କ ମତରେ ଦୀର୍ଘ ସମୟ ଧରି ବାୟୋ ବବଲ୍‌, ଭୁଲ ଟିମ୍‌ ଚୟନ ଏବଂ ଖରାପ ରଣନୀତି ପାଇଁ ଟିମ୍‌ ଇଣ୍ଡିଆର ସ୍ଥିତି ଖରାପ ହୋଇପଡ଼ିଛି। କିନ୍ତୁ ଅଖତରଙ୍କ କହିବା କଥା ହେଉଛି, ଟିମ୍‌ ଇଣ୍ଡିଆରେ ଫାଟ ସୃଷ୍ଟି ହୋଇଛି। ସ୍ପୋର୍ଟ୍ସ କୀଡ଼ାରେ ଏକ ଭିଡିଓରେ ଅଖତର କହିଛନ୍ତି, ‘ମୁଁ କାହିଁକି ଜାଣିପାରୁଛି କି ଟିମ୍‌ ଇଣ୍ଡିଆ ଦୁଇ ଭାଗରେ ବାଣ୍ଟି ହୋଇସାରିଛି ? ଗୋଟିଏ କୋହଲିଙ୍କ ସହ ଏବଂ ଅନ୍ୟଟି ତାଙ୍କ ବିପକ୍ଷରେ ରହିଛି। ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ। ଟିମ୍‌ ଭାଗ ହେଲା ପରି ଲାଗୁଛି। ମୋତେ ଜଣାନାହିଁ ଏମିତି କାହିଁକି ହେଉଛି । ବୋଧହୁଏ ଅଧିନାୟକ ଭାବେ ତାଙ୍କର ଏହା ଶେଷ ଟି-୨୦ ବିଶ୍ବକପ୍‌। ହୋଇପାରେ ସେ ଭୁଲ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସେ ବହୁତ ଭଲ କ୍ରିକେଟର ଏବଂ ତାଙ୍କୁ ଆମେ ସମ୍ମାନ କରିବା ଦରକାର।’

ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ବରଣ କରିବା ପରେ କୋହଲି କହିଥିଲେ, ବୋଧହୁଏ ଆମେ ଏତେ ସାହସ ଦେଖାଇ ପାରିଲୁନାହିଁ। ଏହି ମନ୍ତବ୍ୟକୁ ନେଇ ତାଙ୍କୁ ସମାଲୋଚନା ମଧ୍ୟ କରାଯାଇଥିଲା। ୧୯୮୩ରେ  ଟିମ୍‌ ଇଣ୍ଡିଆକୁ ପ୍ରଥମ ଓ୍ବାର୍ଲଡ କପ୍‌ ବିଜେତା କରାଇଥିବା ଅଧିନାୟକ କପିଲ ଦେବ କହିଥିଲେ, ବିରାଟଙ୍କ ଏହି ବୟାନ ବିଲକୁଲ ଭଲ ସନ୍ଦେଶ ଦେଉନାହିଁ। ଅଖତର କହିଛନ୍ତି ଯେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଯେଉଁଭଳି ଭାବେ ପ୍ରଦର୍ଶନ କଲା ସେଥିପାଇଁ ସମାଲୋଚନା ହେବା ଦରକାର। ଭାରତୀୟ ଟିମ୍‌ ପାକିସ୍ତାନ ବିପକ୍ଷରେ ୧୦ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ୮ ଓ୍ବିକେଟ୍‌ରେ ପରାସ୍ତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.