ମୋଦୀଙ୍କ ସହ ହାତ ମିଳାଇବେ ଉଦ୍ଧବ ? ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଶିବସେନା ବିଧାୟକଙ୍କ ଚିଠି

Published By : Prameya-News7 Bureau | June 20, 2021 IST

ମୁମ୍ବାଇ ୨୦/୬: ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାରଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଏହାରି ମଧ୍ୟରେ ଶିବସେନା ବିଧାୟକ ପ୍ରତାପ ସରନାଏକଙ୍କ ଏକ ଚିଠି ସାମ୍ନାକୁ ଆସିଛି। ସେ ଏହି ଚିଠି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ହାତ ମିଶାଇଲେ ଶିବସେନା ଲାଭରେ ରହିବ ବୋଲି ପ୍ରତାପ ଚିଠି​‌ରେ ଲେଖିଛନ୍ତି। ମେଣ୍ଟ ସରକାରର ସହଯୋଗୀ ଦଳ ଏନସିପି ଉପରେ ମଧ୍ୟ ସେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ତେବେ ଏହି ଚିଠି ୧୦ ଦିନ ପୂର୍ବରୁ ପ୍ରତାପ ପଠାଇଥିବା କୁହାଯାଉଛି।

ଶିବସେନା ବିଧାୟକ ପ୍ରତାପ ସରନାଏକ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଦେଇଥିବା ଚିଠିରେ ଲେଖିଛନ୍ତି, ଏନସିପି ଏବଂ କଂଗ୍ରେସ ନିଜ ଦଳରୁ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି। କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ବେଳେ ଏନସିପି ଶିବସେନା ନେତାଙ୍କୁ ଅଲଗା କରିବାକୁ ଚେଷ୍ଟା କରୁଛି। ଏମିତି ଲାଗୁଛି ଏନସିପିକୁ ପରୋକ୍ଷରେ କେନ୍ଦ୍ରର ସମର୍ଥନ ମିଳୁଛି। କାରଣ ଏବେ ଯାଏ ଏନସିପି ନେତାଙ୍କ ପଛରେ କେନ୍ଦ୍ରୀୟ ଏଜେନ୍ସି ପଡ଼ିନାହିଁ ବୋଲି ପ୍ରତାପ ଲେଖିଥିବା ଜଣାପଡ଼ିଛି।

ସେ ଆହୁରି ମଧ୍ୟ ଲେଖିଛନ୍ତି, ‘ ଆମେ ଆପଣଙ୍କୁ ଏବଂ ଆପଣଙ୍କ ନେତୃତ୍ବ ଉପରେ ବିଶ୍ବାସ କରୁଛି। କିନ୍ତୁ କଂଗ୍ରେସ ଏବଂ ଏନସିପି ଶିବସେନାକୁ ଶକ୍ତିହୀନ କରିବାକୁ ପ୍ରୟାସ କରୁଛନ୍ତି। ଯଦି ଆପଣ ପିଏମ ମୋଦୀଙ୍କ ନିକଟତର ହେବେ ଲାଭ ହେବ ବୋଲି ମୋତେ ଲାଗୁଛି। ଯଦି ପୁଣି ଥରେ ଆମେ ଏକାଠି ହୋଇଯାଆନ୍ତି ତେବେ ଦଳ ଏବଂ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଫାଇଦା ହେବ।’ 

ଏହା ସହ ବିନା କୌଣସି ଭୁଲରେ ମଧ୍ୟ କେନ୍ଦ୍ରୀୟ ଏଜେନ୍ସି ଆମକୁ ଟାର୍ଗେଟ କରୁଛି ବୋଲି ପ୍ରତାପ ଲେଖିଛନ୍ତି। ଯଦି ଆପଣ ମୋଦୀଙ୍କ ନିକଟତର ହେବେ ତେବେ ରବୀନ୍ଦ୍ର ଓ୍ବାୟକର, ଅନିଲ ପରବ, ପ୍ରତାପ ସରନାଏକ ଭଳି ନେତା ଏବଂ ସେମାନଙ୍କ ପରିବାରର ପୀଡ଼ା ସମାପ୍ତ ହୋଇଯିବ। ଏହା କାର୍ଯ୍ୟକର୍ତ୍ତାଙ୍କ ମନର ଭାବନା ବୋଲି ଉଦ୍ଧବଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ବିଧାୟକ।

ଏବେ ପ୍ରତାପ ସରନାଏକ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର କଡ଼ା ନଜରରେ ଅଛନ୍ତି। ଠାଣେର ଶିବସେନା ବିଧାୟକ ପ୍ରତାପ ସରନାଏକଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରହିଛି। ଏନେଇ ଜଣାପଡ଼ିବା ପରେ ଇଡି ପ୍ରତାପଙ୍କ ଘର ଏବଂ ଫାର୍ମ ହାଉସ୍‌ରେ ଚଢ଼ାଉ ମଧ୍ୟ କରିଥିଲା। ସରନାଏକଙ୍କ କହିବା କଥା ହେଲା ରାଜ୍ୟ ଏବଂ କେନ୍ଦ୍ର କଳି​‌ରେ ସେ ବଳି ପଡ଼ୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.