ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଶିବସେନା ନେତା ସଞ୍ଜୟ ରାଉତ କହିଲେ, 'ମୃତ୍ୟୁକୁ ମାର୍କେଟିଙ୍ଗ ଭଳି ବ୍ୟବହାର କରାଯାଉଛି'

Published By : Prameya-News7 Bureau | June 28, 2020 IST

ମୁମ୍ବାଇ ୨୮/୦୬ : ଶିବସେନାର ବରିଷ୍ଠ ନେତା ଓ 'ସାମନା'ର କାର୍ଯ୍ୟକାରୀ ସମ୍ପାଦକ ସଞ୍ଜୟ ରାଉତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି | ସାମନାରେ ପ୍ରକାଶିତ ଏକ ଲେଖାରେ ସେ କହିଛନ୍ତି ଯେ, ସୁଶାନ୍ତଙ୍କ ମୃତ୍ୟୁ ଡିପ୍ରେସନ ଯୋଗୁଁ ହୋଇଛି | ତଥାପି କିଛି ନିର୍ଦେଶକ ପ୍ରଶ୍ନ କରୁଛନ୍ତି | ଯଦି ଆପଣ ଜାଣିଥିଲେ ତାହେଲେ ତାଙ୍କୁ ବଞ୍ଚାଇବା ପାଇଁ କଣ କରିଛନ୍ତି ? ସମସ୍ତ ଗଣମାଧ୍ୟମ ଲଗାତାର ସୁଶାନ୍ତଙ୍କ ଖବର ପ୍ରସାରଣ କରୁଛନ୍ତି | ନବୀ ମୁମ୍ବାଇରେ ଜଣେ ଯୁବକ ଚାକିରୀ ହରାଇବାରୁ ଆତ୍ମହତ୍ୟା କରିଛନ୍ତି, କିନ୍ତୁ ତା ପ୍ରତି କାହାର ଦୃଷ୍ଟି ନାହିଁ | ଅସଲରେ ସୁଶାନ୍ତଙ୍କ ମୃତ୍ୟୁକୁ ମାର୍କେଟିଙ୍ଗ ଭଳି ବ୍ୟବହାର କରାଯାଉଛି |'

ସଞ୍ଜୟ ରାଉତ କହିଛନ୍ତି ଯେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ନାନା ପ୍ରଶ୍ନ ଛିଡା ହୋଇଛି | କିନ୍ତୁ ଏ ସମସ୍ତ ଭିତରେ ସୁଶାନ୍ତଙ୍କୁ ମଧ୍ୟ ଲୋକପ୍ରିୟତା ମିଳିଛି | ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ କଳାକାର କେବଳ ନିଜ ଦକ୍ଷତା ବଳରେ ଛିଡା ହୋଇଛନ୍ତି | ସେ ନବାଜୁଦ୍ଦିନ ସିଦ୍ଦିକିଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି | ସେ ଆହୁରି କହିଛନ୍ତି ଯେ କେବଳ ପରିବାର ଲୋକେ ଦେଖିଲେ ବକ୍ସ ଅଫିସରେ ଫିଲ୍ମ ଚାଲେନାହିଁ | ଶାହରୁଖ ଖାନ, ସଲମାନ ଖାନ ଭଳି ବଡ ବଡ ଅଭିନେତାଙ୍କ ଫିଲ୍ମ ମଧ୍ୟ ଅନେକଥର ଧରାଶାୟୀ ହୋଇଛି |

ସଞ୍ଜୟ ରାଉତ ନିଜ ଲେଖାରେ ମହାରାଷ୍ଟ୍ରରେ ହୋଇଥିବା ଆଉ ଦୁଇ ଆତ୍ମହତ୍ୟା ସମ୍ପର୍କରେ ମଧ୍ୟ କହିଛନ୍ତି | କିନ୍ତୁ ଉବଭୟ ମାମଲାକୁ ନେଇ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ନଥିଲା | କାରଣ ଏଥିରେ ଟିଆରପି ମାମଲା ନଥିଲା ବୋଲି ସେ କହିଛନ୍ତି |

ସଞ୍ଜୟ ଆଗକୁ କହିଛନ୍ତି ଯେ ସେ ସୁଶାନ୍ତ ସିଂହଙ୍କ ଅଭିନୀତ ଫିଲ୍ମ ଏମ.ଏସ.ଧୋନି ଦେଖିଛନ୍ତି | ସେ ଏଥିରେ ବହୁତ ଭଲ ଅଭିନୟ କରିଥିଲେ | ଵାଲା ସାହେବ ଠାକରେଙ୍କ ପରେ ଜର୍ଜ ଫର୍ଣ୍ଣଦିଜଙ୍କ ଉପରେ ଫିଲ୍ମ କରିବାକୁ ଭାବୁଥିଲେ | ସେତେବେଳେ ଯେଉଁ ୨-୩ କଳାକାରଙ୍କୁ ନେଇ କଥାବାର୍ତା ଚାଲିଥିଲା ତାଙ୍କ ମଧ୍ୟରେ ସୁଶାନ୍ତ ସିଂହ ରାଜପୁତଙ୍କ ନାଁ ସାମିଲ ଥିଲା ବୋଲି ସେ କହିଛନ୍ତି | ସଞ୍ଜୟ ରାଉତ କହିଛନ୍ତି ଯେ, ସୁଶାନ୍ତଙ୍କ ପାଖରେ ବୈଭବ, କୀର୍ତ୍ତି,ଧନ ସବୁକିଛି ଥିଲା କିନ୍ତୁ ସେ ନିଜଠାରୁ ହାରିଗଲେ | ଏହିଭଳି ଲୋକଙ୍କ ଚିକିତ୍ସା ବଡ ବଡ ମନୋବୈଜ୍ଞାନିକ ମଧ୍ୟ କରି ପାରିବେନି |

ସଞ୍ଜୟ କହିଛନ୍ତି ଯେ, ସୁଶାନ୍ତଙ୍କ ମୃତ୍ୟୁ ସମ୍ବନ୍ଧୀୟ ଯାଞ୍ଚରେ ସେହି କଳାକାରଙ୍କୁ ପୋଲିସ ପାଖରେ ପେସ ହେବାକୁ ପଡୁଛି ଯେଉଁମାନଙ୍କ ସହିତ ସୁଶାନ୍ତଙ୍କ ବ୍ରେକଅପ ହୋଇସାରିଥିଲା | ଏହିଭଳି ଯାଞ୍ଚ ଉପରେ ସେ ପ୍ରଶ୍ନ କରିଛନ୍ତି | ସୁଶାନ୍ତଙ୍କ ମୃତ୍ୟୁ ସମ୍ପର୍କରେ ସୋସିଆଲ ମିଡ଼ିଆରେ ଚାଲିଥିବା ଖବର ଉପରେ ମଧ୍ୟ ସେ କହିଛନ୍ତି | ସେ କହିଛନ୍ତି ସୁଶାନ୍ତଙ୍କ ଆତ୍ମହତ୍ୟା ଏକ ଇଫେକ୍ଟ ଭଳି | ସିନେମା ପରଦାରେ ଯେଭଳି ଫିଲ୍ମ ପୂର୍ବରୁ ସ୍ପେଶାଲ ଇଫେକ୍ଟ ଦେଖିବାକୁ ମିଳିଥାଏ ସୁଶାନ୍ତଙ୍କ ଆତ୍ମହତ୍ୟା ଠିକ ସେହିଭଳି | ମୃତ୍ୟୁ ପରେ ମଧ୍ୟ ଶାନ୍ତିରେ ବଂଚିବାକୁ ଦେଉନାହାନ୍ତି | ମାମଲା ଏହିବଳି ହୋଇଗଲାଣି ଯେ ସୁଶାନ୍ତଙ୍କ ପୀଡିତ ଆତ୍ମା ମଧ୍ୟ ଡିପ୍ରେସନର ଶିକାର ହୋଇଯିବ | ବର୍ତ୍ତମାନ ଏସବୁ ବନ୍ଦ କରିବା ଉଚିତ ବୋଲି ସଞ୍ଜୟ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.