ଜୟାଙ୍କ ବୟାନରେ ଖୁସି ଶିବସେନା, ମୁଖପତ୍ର ସାମ୍‌ନାରେ କଲେ ପ୍ରଶଂସା

Published By : Prameya-News7 Bureau | September 16, 2020 IST

ନୂଆଦିଲ୍ଳୀ ୧୬/୦୯: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ମାମଲାକୁ ନେଇ ଚାଲିଥିବା ତଦନ୍ତ ଯୋଗୁ ବଲିଉଡକୁ ଖୁବ୍ ସମାଲୋଚନା କରାଯାଉଛି। ବଲିଉଡ୍ ଇଣ୍ଡଷ୍ଟ୍ରିକୁ ଗଟର କୁହାଯିବାରୁ ରାଜ୍ୟସଭା ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ ସଂସଦରେ ପତ୍ରିକ୍ରିୟା ରଖିଲେ। ସେ ପରୋକ୍ଷ ଭାବେ ରବି କିଶନ ଓ କଙ୍ଗନାଙ୍କୁ ଟାର୍ଗେଟ କଲେ।

ଯେଉଁମାନଙ୍କୁ ଇଣ୍ଡଷ୍ଟ୍ରି ନାଁ ଓ ଲୋକପ୍ରିୟତା ଦେଲା ସେମାନେ ଏହାକୁ ଗଟର କହିବାରେ ଆଦୌ ସହମତି ପ୍ରକାଶ କରି ନାହାନ୍ତି ଜୟା। ଏହା ସହ ଯେଉଁ ଥାଳିରେ ଖାଇଲେ ସେଥିରେ ଛେଦ କଲେ ବୋଲି ମଧ୍ୟ କହିଲେ। ତେବେ ଜୟାଙ୍କ ଏଭଳି ବୟାନରେ ବିଶେଷ ଖୁସି ହୋଇଛି ଶିବସେନା। ଶିବସେନା ତାର ସମ୍ପାଦକୀୟରେ ଜୟାଙ୍କର ଆଜି ଖୁବ୍ ପ୍ରଶଂସା କରିଛି। ଏହା ସହ ଜୟା ସତ କହିବା ଯୋଗୁ ହିଁ ଲୋକପ୍ରିୟତା ହାସଲ କରିଥିବା ଉଲ୍ଲେଖ କରାଯାଇଛି।

ଶିବସେନା ମୁଖପତ୍ର ‘ସାମ୍ନା’ରେ ଲେଖାଯାଇଛି, ‘‘ଭାରତର ସିନେଜଗତ ପବିତ୍ର ଗଙ୍ଗା ଭଳି ନିର୍ମଳ, ଏମିତି କେହି ଦାବି କରିବେ ନାହିଁ। ମାତ୍ର କିଛି କଳାକର ଦାବି କରିବେ ସିନେ ଦୁନିଆ ଗଟର, ଅବଶ୍ୟ ଏଭଳି ବି ନ କୁହାଯାଇପାରେ। ଜୟା ତାଙ୍କ ଏହି ଯନ୍ତ୍ରଣାକୁ ବ୍ୟକ୍ତି କରିଥିଲେ। ଜୟାଙ୍କ ଏହି ବିଚାର ଖୁବ୍ ମହତ୍ବପୂଣ୍ର୍ଣ। ସାମାଜିକ ଓ ରାଜନୈତିକ ଜୀବନକୁ ଜୟା କେବେ ଲୁଚାଇ ରଖି ନାହାନ୍ତି।’’

ମହିଳାଙ୍କ ଉପରେ ଅତ୍ୟାଚର ମାମଲାରେ ଜୟା ଭାବୁକ ହୋଇ ସ୍ବର ଉତ୍ତୋଳନ କରନ୍ତି। ଏମିତି ସମୟରେ ଯେତେବେଳେ ବଲିଉଡର ବଦନାମୀ ଓ ସମାଲୋଚନା କରାଯାଉଛି ସେତେବେଳେ ତାଣ୍ଡବ କରୁଥିବା ପାଣ୍ଡବଙ୍କ ପାଟି ବି ବନ୍ଦ ଅଛି। ଶିବସେନା ଆହୁରି ଲେଖିଛି ଯେ ମନୋରଞ୍ଜନ ଦୁନିଆରେ ଏବେ ଯେତେବେଳେ ଲାଇଟ୍, କ୍ୟାମେରା, ଆକ୍ସନ ବନ୍ଦ ଅଛି ସେତେବେଳେ ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ବଲିଉଡକୁ ସାମାଜିକ ଗଣମାଧ୍ୟମରେ ବଦନାମ କରଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.