କଂଗ୍ରେସକୁ ଶିବସେନାର ଆକ୍ଷେପ- ବିନା ମୁଣ୍ଡ ଥିବା ଶରୀରର କିଛି ଫାଇଦା ନାହିଁ, କଂଗ୍ରେସ ଏକ ରୁଗ୍‌ଣ ପାର୍ଟି

Published By : Prameya-News7 Bureau | October 01, 2021 IST

ମୁମ୍ବାଇ ୦୧।୧୦: କଂଗ୍ରେସ ପାର୍ଟିକୁ ଦରକାର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ। ନେତୃତ୍ଵକୁ ନେଇ ଜାରି ରହିଥିବା ସଂଶୟ କଂଗ୍ରେସ ପତନର ପ୍ରମୁଖ କାରଣ। ଏହାର ପ୍ରଭାବ ପଞ୍ଜାବରେ ଦେଖିବାକୁ ମିଳି ସାରିଛି। ଏଥିପାଇଁ ପାର୍ଟିକୁ ଜଣେ ସ୍ଥାୟୀ ଅଧ୍ୟକ୍ଷଙ୍କ ଆବଶ୍ୟକତା ରହିଥିବା କହିଛି ଶିବସେନା। ମହାରାଷ୍ଟ୍ର ସରକାରରେ ସହଯୋଗୀ କଂଗ୍ରେସକୁ ନିଜର ମୁଖପତ୍ର ସାମନା ଜରିଆରେ ଏମିତି ଉପଦେଶ ଦେଇଛି ଶିବସେନା।

ଶିବସେନା ଲେଖିଛି ଯେ, ରାହୁଲ ଗାନ୍ଧୀ ଦଳ ଭିତରେ ଥିବା ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ଅନେକ ବରିଷ୍ଠ ନେତାଙ୍କୁ ବିଜେପିରେ ମିଶିବାରେ ରୋକି ପାରି ନାହାନ୍ତି।  କଂଗ୍ରେସକୁ ପଛକୁ ନେବାରେ ହିଁ ଏହି ସବୁ ଲୋକଙ୍କ ହାତ ରହିଛି। ତେଣୁ କଂଗ୍ରେସକୁ ସଂପ୍ରତି ଜଣେ ପୂର୍ଣ୍ଣକାଳୀନ ସଭାପତିର ଆବଶ୍ୟକତା ରହିଛି।

ଶିବସେନା କହିଛି, କଂଗ୍ରେସ ବର୍ତ୍ତମାନ ଏକ ରୁଗ୍‌ଣ ପାର୍ଟିରେ ପରିଣତ ହୋଇ ସାରିଛି। ଏହାକୁ ଚିକିତ୍ସାର ଆବଶ୍ୟକାତ ରହିଛି। କିଛି ଲୋକ ଚିକିତ୍ସା ମଧ୍ୟ କରୁଛନ୍ତି, ମାତ୍ର ଏହା ଜାଣିବା ଜରୁରୀ ଯେ, ଚିକିତ୍ସା ସେହି ଦିଗରେ କାମ କରୁଛି କି ନାହିଁ। ରାହୁଲ ଗାନ୍ଧୀ ପାର୍ଟିରେ ଯୁବ ଏବଂ ବରିଷ୍ଠ ନେତାଙ୍କୁ ଏକାଠି ନେଇ ଚାଲିବାକୁ ପ୍ରୟାସ ଚଳାଇଛନ୍ତି। ମାତ୍ର କିଛି ବରିଷ୍ଠ ନେତାଙ୍କୁ ଏହା ଜଣା ନାହିଁ ଯେ, ନୂତନ ନେତା କେମିତି କାମ କରିବେ। ଏହି ସବୁ ଲୋକ ହାଇକମାଣ୍ଡଙ୍କ ସମାଲୋଚନା କରିବାରେ ପଛଉ ନାହାନ୍ତି। ଏମିତି ଲାଗୁଛି ପୁରୁଣା ନେତା ହିଁ ବିଜେପି ସହିତ ଭିତିରିଆ ସଂପର୍କ ରଖିଛନ୍ତି।

ଉଦ୍ଧବ ଠାକରେ କହିଛନ୍ତି, କଂଗ୍ରେସରେ ଅନେକ ଯୁବ ନେତା ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଦାବି କରୁଛନ୍ତି। ସେମାନଙ୍କର ଦାବି ଭୁଲ୍ ନୁହେଁ। କାରଣ ବିନା ମୁଣ୍ଡ ଥିବା ଶରୀରର କିଛି ଫାଇଦା ନାହିଁ। ବିନା ଅଧ୍ୟକ୍ଷରେ ପାର୍ଟି ନିର୍ବାଚନରେ କେମିତି ମୁକାବିଲା କରି ପାରିବ। ଏହି ପ୍ରଶ୍ନର ଉତ୍ତର ଗାନ୍ଧୀ ପରିବାରକୁ ଦେବା ଉଚିତ୍ ଯେ, କେହି ଏହି ଗୁରୁ ଦାୟିତ୍ଵ ତୁଲାଇବାକୁ ପ୍ରସ୍ତୁତ। କଂଗ୍ରେସ ପାର୍ଟିକୁ ସ୍ଥାୟୀ ପାର୍ଟି ଅଧ୍ୟକ୍ଷ କରାଯିବା ନେଇ ଯେଉଁ ସଂଶୟ ରହିଛି ତାକୁ ସମାପ୍ତ କରିବା ଉଚିତ୍ ବୋଲି ଠାକରେ କହିଛନ୍ତି।

ଉଦ୍ଧବ ଠାକରେ କହିଛନ୍ତି, ପଞ୍ଜାବରେ ଜଣେ ଦଳିତ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରି କଂଗ୍ରେସ ବହୁତ ବଡ ପଦକ୍ଷେପ ଉଠାଇଥିଲା। ମାତ୍ର ନବଜୋତ ସିଂହ ସିଦ୍ଧୁ ରାହୁଲ ଗାନ୍ଧୀଙ୍କ ପାଇଁ ସମସ୍ୟାର କାରଣ ପାଲଟିଛନ୍ତି। ପାର୍ଟିକୁ ଏମିତି ବ୍ୟକ୍ତିଙ୍କୁ ନା ଅଧିକ ଗୁରୁତ୍ଵ ଦେବା ଉଚିତ୍ ନା ଭରସା ରଖିବା ଉଚିତ୍। ବିଶେଷ କରି ଯେଉଁମାନେ ପାର୍ଟିରେ ଯୋଗ ଦେଇଛନ୍ତି ତାକୁ ପାର୍ଟି ଅଧିକ ବିଶ୍ଵାସ କରିବା ଉଚିତ୍ ନୁହେଁ। ଜଣେ ସ୍ଥାୟୀ ଅଧ୍ୟକ୍ଷ ହିଁ ସିଦ୍ଧୁଙ୍କ ପରି କୁହାଳିଆ ନେତାଙ୍କ ମୁହଁ ବନ୍ଦ କରି ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.