ବିଜୟ ରୂପାନୀଙ୍କ ଇସ୍ତଫା ଉପରେ ବିଜେପିକୁ ଶିବସେନାର କଟାକ୍ଷ, କ'ଣ ଗୁଜରାଟ ମୋଡେଲ୍‌ର ବେଲୁନ ଫାଟିଗଲା ?

Published By : Prameya-News7 Bureau | September 14, 2021 IST

ମୁମ୍ବାଇ ୧୪।୦୯: ରାତାରାତି ଗୁଜରାଟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ ଏବେ ସବୁଠି ଚର୍ଚ୍ଚା। କଂଗ୍ରେସ ପରେ ଭାରତୀୟ ଜନତା ପାର୍ଟି(ବିଜେପି)ର ରାଜ୍ୟ ନେତୃତ୍ଵ ପରିବର୍ତ୍ତନକୁ ନେଇ ତାତ୍ସଲ୍ୟ କରିଛି ଶିବସେନା। ଦିନ ଥିଲା ମହାରାଷ୍ଟ୍ରରେ ଏକାଠି ମିଶି ସରକାର ଚଲାଉଥିବା ଉଦ୍ଧବ ଠାକରେଙ୍କ ପାର୍ଟି ଶିବସେନାରର ପ୍ରଶ୍ନ କଣ ଏହା ଉଚିତ୍ ଗୁଜରାଟ ମୋଡେଲ୍ ? ଶିବସେନା ଏହା ମଧ୍ୟ ଦାବି କରିଛି ଯେ, ବିଜେପିର ଗୁଜରାଟର ବିକାଶ ମୋଡେଲ୍ ଧରାଶାୟୀ ହୋଇଛି।

ଶିବସେନା ନିଜର ମୁଖପତ୍ର 'ସାମନା'ର ସଂପାଦକୀୟରେ କହିଛି ଯେ, ଗୁଜରାଟବାସୀ କୋଭିଡ୍-୧୯ର ଦ୍ଵିତୀୟ ଲହରରେ ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟସେବାକୁ ନେଇ ବିଜେପି ପ୍ରତି ଖୁବ୍ ଅସନ୍ତୁଷ୍ଟ ଅଛନ୍ତି। ବୋଧହୁଏ  ବିଜେପିକୁ ହୃଦବୋଧ ହୋଇ ଯାଇଛି ଯେ, ପ୍ରଭାବଶାଳୀ ପାଟିଦାର ମଧ୍ୟ ଦଳ ପ୍ରତି ଖପ୍ପା ଅଛନ୍ତି। ଏହି କାରଣରୁ ବିଜେପି ବିଜୟ ରୂପାନୀଙ୍କ ଇସ୍ତଫା କରାଇ ନେତୃତ୍ଵ ପରିବର୍ତ୍ତନ କରିଛି ଆଉ ଭୂପେନ୍ଦ୍ର ପଟେଲ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରିଛି।

ବିଜେପିର ପୂର୍ବତନ ସହଯୋଗୀ ଶିବସେନା ଆକ୍ଷେପ କରି କହିଛି, କଂଗ୍ରେସରେ ମଧ୍ୟ ଏହା ହେଉଥିଲା ଏବଂ ଆମକୁ ଏହାକୁ ଗଣତନ୍ତ୍ର କହିବାକୁ ପଡୁଥିଲା। ହେଲେ ବିଜେପିରେ ମଧ୍ୟ ଏହି ପରମ୍ପରା ଦେଖିବାକୁ ମିଳିଛି। ଅଚାନକ ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇ ଦିଆଯାଉଛି। ଏମିତି ଇସ୍ତଫାକୁ ନେଇ ଶିବସେନା ଦାବି କରିଛି ଯେ, ଗୁଜରାଟର ବିକାଶ, ଶାସନ ଏବଂ ଗଣତନ୍ତ୍ରର ମୋଡେଲ୍‌ର ବେଲୁନ୍ ଫାଟି ଯାଇଛି। ଶିବସେନା ସଂପାଦକୀୟ ଜରିଆରେ ପ୍ରଶ୍ନ କରିଛି ଯେ, ପଟେଲ୍‌ଙ୍କୁ ଗତ ଚାରି ବର୍ଷରେ ମନ୍ତ୍ରୀ କରାଯାଇନଥିଲା, ମାତ୍ର ତାଙ୍କୁ ସିଧାସଳଖ ମୁଖ୍ୟମନ୍ତ୍ରୀ କରି ଦିଆଗଲା। ଯଦି ଗୁଜରାଟ ବାସ୍ତବରେ ପ୍ରଗତିର ରାସ୍ତାରେ ଥିଲା, ତେବେ ବିଜେପି ରାତାରାତି କାହିଁକି ନିଜର ମୁଖ୍ୟମନ୍ତ୍ରୀ ବଦଳାଇଲା ?

ଶିବସେନା କହିଛି, ଏହି ପରି ବିଜେପି ଉତ୍ତରାଖଣ୍ଡ, କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀଙ୍କୁ ରାତାରାତି ବଦଳାଇଛି। ମଧ୍ୟ ପ୍ରଦେଶରେ ମଧ୍ୟ ଦଳ ଏମିତି ପରିବର୍ତ୍ତନ କରିବାର ସଙ୍କେତ ମିଳିଛି। କେବଳ ବିଜେପି ଶାସିତ ରାଜ୍ୟ ନୁହେଁ ଯେଉଁ ରାଜ୍ୟରେ ବିଜେପି ସରକାରରେ ନାହିଁ ସେଠାରେ ମଧ୍ୟ ନେତୃତ୍ଵ ପରିବର୍ତ୍ତନ ହେବ ବୋଲି ଦାବି କରିଛି ଶିବସେନା। ହେଲେ ଏହା ତାଙ୍କର ଆଭ୍ୟନ୍ତରୀ ମାମଲା ବୋଲ କହିଛି ଶିବସେନା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.