ED ଅଫିସ ଏବେ ବିଜେପି ହେଡ୍ କ୍ବାର୍ଟର ! ଶିବ ସେନା ଲଗାଇଲା ହୋର୍ଡିଂ

Published By : Prameya-News7 Bureau | December 28, 2020 IST

ମୁମ୍ବାଇ ୨୮/୧୨ : ଶିବ ସେନା ପକ୍ଷରୁ ମହାରାଷ୍ଟ୍ର ପ୍ରବର୍ତ୍ତନ ନିର୍ଦେଶାଳୟ (ED) କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ଜନତା ପାର୍ଟିର ଏକ  ପୋଷ୍ଟର ଲଗାଯାଇଛି । ED ଅଫିସ ସମ୍ମୁଖରେ ଏପରି ପୋଷ୍ଟର ଲଗାଇବା ପରେ ଶିବ ସେନା କହିଛି ଯେ ଏହା ED ଅଫିସ ନୁହେଁ ବରଂ ବିଜେପିର ମୁଖ୍ୟ କାର୍ଯ୍ୟାଳୟ । ଶିବ ସେନା ରାଜ୍ୟସଭା ସାଂସଦ ତଥା ମୂଖପାତ୍ର ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ, ପ୍ରବର୍ତ୍ତନ ନିର୍ଦେଶାଳୟ ସମନ୍ ଜାରି କରିବା ପରେ ଏପରି କରିଛି ଶିବ ସେନା ।

ପଞ୍ଜାବ ଏବଂ ମହାରାଷ୍ଟ୍ର କୋ-ଅପରେଟିଭ୍ ବ୍ୟାଙ୍କରେ ହୋଇଥିବା ମନି ଲଣ୍ଡରିଂ ମାମଲାରେ, ED ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ସମନ ଜାରି କରିଛି । ବର୍ଷାଙ୍କୁ ଡିସେମ୍ବର ୨୯ରେ ହାଜର ହେବା ପାଇଁ ନୋଟିସରେ ଉଲ୍ଲେଖ ରହିଛି । ତେବେ ଏଥିରେ ଉତକ୍ଷିପ୍ତ ହୋଇ ଶିବ ସେନାର ସମର୍ଥକମାନେ ପ୍ରବର୍ତ୍ତନ ନିର୍ଦେଶାଳୟ ଆଗରେ ବିଜେପି ପୋଷ୍ଟର ଲଗାଇବା ସହ ଏହାକୁ ପ୍ରବର୍ତ୍ତନ ନିର୍ଦେଶାଳୟ ନୁହେଁ ବରଂ ବିଜେପି ପାର୍ଟି ଅଫିସ ବୋଲି କହିଛନ୍ତି । ଏହା ପୂର୍ବରୁ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ୨ ଥର ବର୍ଷାଙ୍କୁ ସମନ ଜାରି କରିଛି ।

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା CBI, ଆୟକର ବିଭାଗ ଭଳି ବିଜେପି, ଅନ୍ୟ କେନ୍ଦ୍ରୀୟ ସଂସ୍ଥାଗୁଡିକୁ ବ୍ୟବହାର କରୁଥିବା ଶିବ ସେନା ଅଭିଯୋଗ କରିଛି । ଯେଉଁ ରାଜ୍ୟରେ ବିଜେପି ସରକାର ନାହିଁ କେବଳ ସେହି ରାଜ୍ୟ ଗୁଡିକରେ ହିଁ ଏପରି କରାଯାଉଥିବା ଅଭିଯୋଗ କରିଛି ଶିବ ସେନା ।

ତେବେ ଜାରି ହୋଇଥିବା ସମନକୁ ନେଇ ସୋମବାର ସଞ୍ଜୟ ରାଉତ କହିଛନ୍ତି, ‘କାହାକୁ ଭୟ କରିବାର ନାହିଁ । ଜଣେ ମହିଳାଙ୍କୁ ସମନ ଜାରି କରିବା ଭିରୁତାର ପରିଚୟ ’। ED ପକ୍ଷରୁ କିଛି କାଗଜପତ୍ର ମଗାଯାଇଛି ଏବଂ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଛି । ଏ ନେଇ ଭୟ କରିବାର ନାହିଁ, ତଦନ୍ତକୁ ସାମ୍ନା କରାଯିବ ବୋଲି ସଞ୍ଜୟ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.