CMଙ୍କ ସହ ବୈଠକରେ ଶିରିଡିବାସୀ ସନ୍ତୁଷ୍ଟ, ବିବାଦର ହେଲା ସମାଧାନ
20/01/2020 at 10:33 PM

ମୁମ୍ବାଇ ୨୦।୧: ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଉପୁଜିଥିବା ବିବାଦର ରବିବାର ସମାଧାନ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏ ନେଇ ଏକ ବୈଠକ ଡାକିଥିବା ବେଳେ ନିଷ୍ପତ୍ତିକୁ ଶିରିଡିବାସୀ ସ୍ୱାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଠାକରେ ସାଇବାବାଙ୍କ ଜନ୍ମସ୍ଥାନ ପାଥରୀକୁ ଏକ ତୀର୍ଥସ୍ଥାନ ଭାବେ ବିକାଶ କରିବାକୁ ଦେଇଥିବା ପ୍ରସ୍ତାବକୁ ଶିରିଡି ବାସିନ୍ଦା ଗ୍ରହଣ କରିଛନ୍ତି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ଉପସ୍ଥିତ ଥିଲେ।
ଉଦ୍ଧବ ଠାକରେ ସାଇବାବାଙ୍କ ଜନ୍ମସ୍ଥାନ ପାଥରୀର ବିକାଶ ଲାଗି ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣାକୁ ନେଇ ଶିରିଡିବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଶନିବାର ବନ୍ଦ ପାଳନ କରିଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀ ରବିବାର ଅପରାହ୍ନରେ ଏକ ବୈଠକ ଆହ୍ୱାନ କରିଥିବା ବେଳେ ଏଥିରେ ସିରିଡିବାସୀଙ୍କ ସହ ବିଜେପି ବିଧାୟକ ରାଧାକୃଷ୍ଣ ବିଖେ ମଧ୍ୟ ଯୋଗଦେଇଥିଲେ।
ବୈଠକରେ ମୁଖ୍ୟମନ୍ତ୍ରୀ ପାଥରୀର ବିକାଶ ଲାଗି ୧୦୦ କୋଟି ଟଙ୍କାର ପ୍ୟାକେଜକୁ ନେଇ କୌଣସି ବିରୋଧ ଅଛିକି ବୋଲି ପ୍ରଶ୍ନ କରିଥିଲେ। ତେବେ ଏଥିପ୍ରତି କାହାର ଆପତ୍ତି ନାହିଁ ବୋଲି ଶିରିଡିର ଲୋକେ କହିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ପାଥରୀକୁ ସାଇବାବାଙ୍କ ଜନ୍ମସ୍ଥାନ ଘୋଷଣାକୁ ବିରୋଧ କରୁଥିବା କହିଥିଲେ। ତେବେ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଅନଭିଜ୍ଞ ଥିବା ନେଇ ଜଣାଇବାରୁ ଘଟଣାର ଶାନ୍ତିପୂର୍ଣ୍ଣ ସମାଧାନ ହୋଇଯାଇଛି।