ନବଜୋତ ସିଂହ ସିଦ୍ଧୁଙ୍କୁ ସମର୍ଥନ କରିଥିବାରୁ ଶିଳ୍ପା ସିନ୍ଦେଙ୍କୁ ଦୁଷ୍କର୍ମ ଧମକ

Published By : Prameya-News7 Bureau | February 26, 2019 IST

ମୁମ୍ବାଇ ୨୬/୨: ଟିଭି ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ଶିଳ୍ପା ସିନ୍ଦେଙ୍କୁ ସୋଶିଆଲ ମିଡିଆରେ ଦୁଷ୍କର୍ମର ଧମକ ମିଳୁଛି। ଏହି ସବୁ ଧମକ ତାଙ୍କୁ ରାଜନେତା ଏବଂ ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁ ପୁଲଓ୍ବାମା ଆକ୍ରମଣରେ ଦେଇଥିବା ବୟାନକୁ ସମର୍ଥନ କରିବା ଫଳରେ ମିଳିଛି। ଏଥିରେ ଶିଳ୍ପା କହିଛନ୍ତି ଯେ ସେ ଖୁବ୍ ଶୀଘ୍ର ଏହି ଲୋକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଶିଳ୍ପା ଚଳିତ ମାସ ୫ତାରିଖ କଂଗ୍ରେସ ପାର୍ଟିରେ ସାମିଲ ହୋଇଛନ୍ତି।

ଶିଳ୍ପା ସିଦ୍ଧୁଙ୍କୁ ସମର୍ଥନ କରି ତାଙ୍କ ଉପରେ ଫିଲ୍ମ  ଏବଂ ଟିଭି ଇଣ୍ଡଷ୍ଟ୍ରିରେ ଲାଗିଥିବା ବ୍ୟାନକୁ ଭୁଲ୍ କହିଛନ୍ତି। ଶିଳ୍ପାଙ୍କ କହିବାନୁସାରେ ‘‘ପ୍ରତ୍ୟେକଙ୍କୁ ନିଜର ରାୟ ରଖିବାର ଅଧିକାର ରହିଛି। ମୋତେ ଲାଗେ ଯେ ପାକିସ୍ତାନୀ କଳାକାରଙ୍କ କେବଳ ଟ୍ୟାଲେଣ୍ଟ ଦେଖି ତାଙ୍କୁ ବଲିଉଡରେ କାମ କରିବାକୁ ସୁଯୋଗ ଦିଆଯିବା ଉଚିତ୍। କୈାଣସି କଳାକାରଙ୍କ ଉପରେ ବ୍ୟାନ୍ ଲଗାଯିବା ଅନୁଚିତ୍,କିନ୍ତୁ ଦୁଃଖର କଥା ଏହିଭଳି ମାମଲାରେ ଇଣ୍ଡଷ୍ଟ୍ରିର ଅନ୍ୟାନ୍ୟ ସଂସ୍ଥା କଳାକାରଙ୍କ ବିରୁଦ୍ଧରେ ଛିଡ଼ା ହୁଅନ୍ତି। ମୋତେ ମଧ୍ୟ ବ୍ୟାନ୍ କରାଯାଇଥିଲା ଏବଂ ମୁଁ ଭଲଭାବେ ଜାଣେ ବ୍ୟାନ୍ ଲାଗିଲେ କିଭଳି ଲାଗେ। ’’

ଆହୁରି ମଧ୍ୟ ଶିଳ୍ପା କହିଛନ୍ତି-‘‘ ଲୋକଙ୍କୁ ଏହା ବୁଝିବା ଉଚିତ୍ ଯେ ସିଦ୍ଧୁ ଏବଂ ଇମରାନ ଦୀର୍ଘ ଦିନ ଯାଏଁ ଏକାଠି ଖେଳିଛନ୍ତି। ସେଥିପାଇଁ ସେ ଇମରାନଙ୍କ ସପକ୍ଷରେ କହିଥିଲେ । ଏହିଭଳି ପ୍ରସଙ୍ଗ ଉଠାଇ ଆମେ କେବଳ ଶାନ୍ତି ଏବଂ ଶାନ୍ତି ଉଦ୍ୟମକୁ ଭଙ୍ଗ କରୁଛୁ’’।

ପୁଲଓ୍ବାମା ଆକ୍ରମଣ ପରେ ସମଗ୍ର ଦେଶ ପାକିସ୍ତାନ ବିରୋଧରେ ନିଆଁ ବର୍ଷୁଥିବାବେଳେ ସିଦ୍ଧୁ ପାକିସ୍ତାନକୁ ସମର୍ଥନ କରି ବୟାନ୍ ଦେଇଥିଲେ। ସିଦ୍ଧୁ ନିଜ ବନ୍ଧୁ ଇମରାନ ଖାନଙ୍କ ଉଦ୍ଦେଶ୍ୟ ଭଲ ବୋଲି କହିଥିଲେ। ସିଦ୍ଧୁ କହିଥିଲେ ଯେ-‘‘ କିଛି ଲୋକଙ୍କ କାରନାମାକୁ ନେଇ ସମଗ୍ର ଦେଶକୁ ଦୋଷୀ ବୋଲି କହିବା ଭୁଲ୍। ଯେଉଁମାନେ ଏଥିରେ ସାମିଲ ଅଛନ୍ତି ତାଙ୍କୁ ଦଣ୍ଡ ମିଳିବା ଉଚିତ୍।’’

ଏହି ବୟାନ୍ ପରେ ସିଦ୍ଧୁଙ୍କୁ ସବୁଆଡ଼େ ସମାଲୋଚନା କରାଯାଇଥିଲା। ତାଙ୍କୁ କପିଳ ଶର୍ମାଙ୍କ ଶୋ ରୁ ମଧ୍ୟ ହଟାଇ ଦିଆଯାଇଥିଲା। ଏଥି ସହିତ ତାଙ୍କୁ ଫିଲ୍ମସିଟି ମୁମ୍ବାଇରେ ଆସିବାକୁ ମଧ୍ୟ ଅନୁମତି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.