ଗଣମାଧ୍ୟମ ଉପରେ ଶିଳ୍ପାଙ୍କ ରାଗ, ୨୯ ଜଣ ସାମ୍ବାଦିକଙ୍କ ବିରୋଧରେ ୨୫ କୋଟିର ମାନହାନୀ ମୋକଦ୍ଦମା

Published By : Prameya-News7 Bureau | July 29, 2021 IST

ମୁମ୍ଵାଇ ୨୯।୦୭: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅପରାଧରେ ଫସିଥିବା ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିବାରେ ଲାଗିଛି। ଗଣମାଧ୍ୟମ ଏହି କେସକୁ ପ୍ରମୁଖତାର ସହ ପ୍ରସାରଣ  କରୁଛି। ହେଲେ ରାଜ କୁନ୍ଦ୍ରାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏହାକୁ ହଜମ କରି ପାରି ନାହାନ୍ତି। ଗଣମାଧ୍ୟମକୁ ନେଇ ସେ ଏବେ ବେଶ୍ କ୍ଷୁବ୍ଧ। ଶିଳ୍ପା ବମ୍ବେ ହାଇକୋର୍ଟରେ ୨୯ ଜଣ ସାମ୍ବାଦିକ ଏବଂ ଗଣମାଧ୍ୟମ ପ୍ରତିଷ୍ଠାନ ବିରୋଧରେ ୨୫ କୋଟି ଟଙ୍କାର ମାନହାନୀ ମୋକଦ୍ଦମା ଦାୟର କରିଛନ୍ତି। ଏହା ଉପରେ ଶୁକ୍ରବାର ଶୁଣାଣି ହେବାର ଅଛି। ଶିଳ୍ପା ସେଟ୍ଟୀ କହିଛନ୍ତି, ଅଶ୍ଳୀଳ ଚଳଚ୍ଚିତ୍ର କେସରେ ମିଥ୍ୟା ଖବର ଜରିଆରେ ତାଙ୍କ ଛବି ଖରାପ କରାଯାଉଛି।

ଶିଳ୍ପା ହାଇକୋର୍ଟରେ ଦାବି କରିଛନ୍ତି ଯେ, ଗଣମାଧ୍ୟମକୁ ତାଙ୍କ ବିରୋଧରେ ଅପମାନଜନକ ଖବର ପ୍ରସାରଣ ଉପରେ ରୋକ୍ ଲଗାଇବାକୁ ଆଦେଶ ଦିଆଯାଉ। ସେ ଅଭିଯୋଗ କରିଛନ୍ତି ଯେ, ଗଣମାଧ୍ୟମ ପ୍ରତିଷ୍ଠାନ ନିଜର ଲୋକପ୍ରିୟତା ବଢାଇବା ପାଇଁ ଚାଞ୍ଚଲ୍ୟକର ଖବର ପ୍ରସାରଣ କରୁଛନ୍ତି। ତାଙ୍କ ସ୍ଵାମୀଙ୍କ ବିରୋଧରେ ଚାଲିଥିବା କେସ୍‌କୁ ନେଇ ତାଙ୍କ ବିରୋଧରେ ମଧ୍ୟ ମିଥ୍ୟା ଖବର ଦେଖାଉଛନ୍ତି।

ତେଣୁ ଏହି ଗଣମାଧ୍ୟମ ପ୍ରତିଷ୍ଠାନକୁ ତାଙ୍କ ବିରୋଧରେ ପ୍ରସାରଣ କରୁଥିବା ଅପମାନଜନକ ଖବର ହଟାଇବାକୁ ଆଦେଶ ଦିଆଯାଉ ବୋଲି ଶିଳ୍ପା ହାଇକୋର୍ଟରେ ଦାବି କରିଛନ୍ତି। ଏଥିସହ ବିନା ସର୍ତ୍ତରେ ଗଣମାଧ୍ୟମ କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି। ଶିଳ୍ପା ଯାହାଙ୍କ ବିରୋଧରେ ଏହି ମୋକଦ୍ଦମା ରୁଜୁ କରିଛନ୍ତି, ସେମାନଙ୍କ ମଧ୍ୟରେ ଫେସବୁକ, ଇନଷ୍ଟାଗ୍ରାମ ଓ ଗୁଗଲ ମଧ୍ୟ ସାମିଲ। ଶିଳ୍ପାଙ୍କ ମତରେ ଗଣମାଧ୍ୟମ ଦ୍ଵାରା ତାଙ୍କ ବ୍ୟକ୍ତିଗତ ଜୀବନକୁ କ୍ଷୁର୍ଣ୍ଣ କରାଯାଉଛି। ତାଙ୍କ ବ୍ୟକ୍ତିଗତ  ଜୀବନ ବିଷୟରେ ମିଥ୍ୟା ଏବଂ ଅପମାଜନକ କଥା କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.