ବିରାଟ କୋହଲି ଏବଂ ରବି ଶାସ୍ତ୍ରୀଙ୍କ ‘ବିଶେଷ ଖେଳାଳି’ଙ୍କୁ ଶ୍ରୀଲଙ୍କା ସିରିଜ୍‌ରେ ମିଳିବ ସୁଯୋଗ: ଧଓ୍ବନ

Published By : Prameya-News7 Bureau | July 17, 2021 IST

ନୂଆଦିଲ୍ଲୀ ୧୭/୭: ଶ୍ରୀଲଙ୍କା ଗସ୍ତରେ ଟିମ ଇଣ୍ଡିଆ ପକ୍ଷରୁ ଦିନିକିଆ ଏବଂ ଟି-୨୦ କ୍ୟାପ୍ଟେନ ଶିଖର ଧଓ୍ବନ ଖେଳାଳିଙ୍କ ଚୟନ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,  ଯଦି ବିରାଟ କୋହଲି ଏବଂ କୋଚ୍‌ ରବି ଶାସ୍ତ୍ରୀଙ୍କ ମତରେ ଟି-୨୦ ବିଶ୍ବକପ୍‌ ପୂର୍ବରୁ କେହି ବିଶେଷ ଖେଳାଳି ଅଛନ୍ତି ତେବେ ତାଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ନିଶ୍ଚିତ ଭାବେ ଧ୍ୟାନ ଦେବ। ଧଓ୍ବନ ଶ୍ରୀଲଙ୍କାରେ ୬ ମ୍ୟାଚ୍‌ର ଲିମିଟେଡ୍‌ ଓଭର ସିରିଜ୍‌ରେ ଅଧିନାୟକ ଥିବା ବେଳେ ଏହା ଟି-୨୦ ବିଶ୍ବକପ୍‌ ପୂର୍ବରୁ ଖେଳାଳିଙ୍କୁ ପରଖିବାର ଶେଷ ମଉକା ହେବ।

ଏହା ସହ ରବିବାର ଧଓ୍ବନ କହିଛନ୍ତି, ‘ମୋର ବିରାଟ କୋହଲି ଏବଂ ରବି ଶାସ୍ତ୍ରୀଙ୍କ ସହ ବିଶେଷ ଚର୍ଚ୍ଚା ହୋଇନାହିଁ। କିନ୍ତୁ ମୋର ବିଶ୍ବାସ ଅଛି ସେମାନେ ରାହୁଲ ଭାଇ ଏବଂ ଚୟନକର୍ତ୍ତାଙ୍କ ସହ ନିଶ୍ଚିତ ଭାବେ ଆଲୋଚନା କରିଥିବେ। ମୋତେ ଏନେଇ ସନ୍ଦେଶ ମିଳିବ ବୋଲି ଭାବୁଛି।’  ଏହା ବ୍ୟତୀତ କଲମ୍ବୋରେ ଶିଖର କହିଛନ୍ତି, ‘ଯେଉଁମାନେ ଏହି ସିରିଜ୍‌ ଖେଳିବେ ସେମା​‌ନେ ଟି-୨୦ ବିଶ୍ବକପ୍‌କୁ ଧ୍ୟାନରେ ରଖି ଖେଳିବେ। ନିଶ୍ଚିତ ଭାବେ ଯଦି ଚୟନକର୍ତ୍ତା, ରବି ଶାସ୍ତ୍ରୀ କିମ୍ବା ବିରାଟ କୋହଲିଙ୍କ ମନରେ ସେମିତି କୌଣସି ଖେଳାଳି ଥିବେ ତେବେ ସେମାନଙ୍କୁ ଖେଳିବାର ସୁଯୋଗ ମିଳିବ କାରଣ ତାହା ଏକ ଭଲ ମଞ୍ଚ । ଯଦି ଟି-୨୦ ବିଶ୍ବକପ୍‌ ପୂର୍ବରୁ କୌଣସି ଖେଳାଳିଙ୍କ ପ୍ରଦର୍ଶନ ଦେଖିବାକୁ ଚାହିଁବେ ତେବେ ଏହା ହିଁ ଶେଷ ସିରିଜ୍‌।’ 

ଯଦିଓ ଧଓ୍ବନ ପ୍ଲେଇଂ ଇଲେଭେନ୍‌ ନେଇ କୌଣସି ଖୁଲାସା କରିନାହାନ୍ତି କିନ୍ତୁ ସିରିଜ୍‌ରେ ଓପନିଂ ଯୋଡି ଚୟନ କରିସାରିଛନ୍ତି। ଏହା ସହ କେଉଁ ଖେଳାଳି ଖେଳିବାର ମଉକା ପାଇବେ ସେନେଇ ଜଣାପଡ଼ିନଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଦିନିକିଆରେ ଡେବ୍ୟୁ କରିବା ନିଶ୍ଚିତ ବୋଲି ଶିଖର ଧଓ୍ବନଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.