ଶିଖର ଧୱନ ପକ୍ଷୀଙ୍କୁ ଦାନା ଖୁଆଇବା ନାବିକଙ୍କୁ ପଡିଲା ମହଙ୍ଗା, କଟିଲା ଚାଲାଣ
25/01/2021 at 12:32 PM

ବାରାଣାସୀ ୨୫/୦୧ : ଟିମ୍ ଇଣ୍ଡିଆର ଗବ୍ବର ଶିଖର ଧୱନଙ୍କୁ ସାଇବେରିଆନ ପକ୍ଷୀଙ୍କୁ ଦାନା ଖୁଆଇବା ଦୁଇ ନାବିକଙ୍କୁ ମହଙ୍ଗା ପଡିଛି। ଜିଲ୍ଲା ପ୍ରଶାସନ ଦୁଇ ନାବିକଙ୍କ ଚାଲାଣ କାଟିଛନ୍ତି। ନାବିକଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଡଙ୍ଗା ଚଲାଇବାକୁ ପ୍ରତିବନ୍ଧକ ଲଗାଇଛନ୍ତି। ଜାନୁଆରୀ ୨୦ ତାରିଖରେ ଶିଖର ଧୱନ ବାରାଣାସୀ ଗସ୍ତରେ ଯାଇଥିଲେ। ସେଠାରେ ସେ ଡଙ୍ଗାରେ ବୁଲିଥିଲେ। ସେତେବେଳେ ସେ ସାଇବେରିଆନ ପକ୍ଷୀଙ୍କୁ ଦାନା ଖୁଆଇଥିଲେ। ଏହି ଘଟଣା ପରେ ନାବିକଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ବାରାଣାସୀରେ ବାର୍ଡ଼ ଫ୍ଲୁ ପାଇଁ ଗଙ୍ଗା ଘାଟ କୂଳରେ ସାଇବେରିଆନ ପକ୍ଷୀଙ୍କୁ ଦାନା ଖୁଆଇବା ଉପରେ ଜିଲ୍ଲା ପ୍ରଶାସନ ପ୍ରତିବନ୍ଧକ ଲଗାଇଛନ୍ତି। ପ୍ରତିବନ୍ଧକ ସତ୍ତ୍ୱେ ଶିଖର ଧୱନ ସାଇବେରିଆନ ପକ୍ଷୀଙ୍କୁ ଦାନା ଖୁଆଉଥିବା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଫଟୋ ଭାଇରାଲ ପରେ ବାରାଣାସୀ ଦଶାଶ୍ୱମେଘ ଥାନାରେ ସେହି ଡଙ୍ଗା ଚଲାଉଥିବା ନାବିକଙ୍କ ଚାଲାଣ କଟାଯାଇଛି।

ବାରାଣାସୀରେ ଥିବାବେଳେ ଶିଖର ଧୱନ କାଳ ଭୈରବ ମନ୍ଦିର ଦର୍ଶନ କରିଥିଲେ। ମନ୍ଦିର ଦର୍ଶନ ପରେ ଗଙ୍ଗା ଆଳତୀରେ ବି ସାମିଲ ହୋଇଥିଲେ। ଗଙ୍ଗାରେ ସେ ନୌକା ଚାଳନାର ମଜା ବି ନେଇଥିଲେ। ଡଙ୍ଗାରେ ବୁଲିବା ସମୟରେ ସେ ପକ୍ଷୀଙ୍କୁ ଦାନା ଦେଇଥିଲେ। ଏହି ଫଟୋ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଫଟୋ ପୋଷ୍ଟ ପରେ ତାହା ଇଣ୍ଟରନେଟରେ ଭାଇରାଲ ହୋଇଥିଲା।

ଭାଇରାଲ ହେବାପରେ ଜିଲ୍ଲା ଅଧିକାରୀ ନାବିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଜିଲ୍ଲା ଅଧିକାରୀ କୌଶଳ ରାଜ ଶର୍ମାଙ୍କ ଆଦେଶ ପରେ ବାରାଣାସୀ ଦଶାଶ୍ବମେଧ ଥାନାରେ ନାବିକ ସୋନୁ ସାହାଣୀ ଓ ଡଙ୍ଗା ମାଲିକ ପ୍ରଦୀପ ସାହାଣୀଙ୍କ ବିରୋଧରେ ଧାରା ୧୮୮ ଅନୁସାରେ ଚାଲାଣ କାଟିଛନ୍ତି। ତାଛଡା ପରବର୍ତ୍ତୀ ଆଦେଶ ଯାଏଁ ଡଙ୍ଗା ଚଳାଇବା ଉପରେ ରୋକ ଲଗାଇଛନ୍ତି।