ଶ୍ରୀଲଙ୍କା ଗସ୍ତରେ ଦଳର ମଙ୍ଗ ସମ୍ଭାଳି ପାରନ୍ତି ଶିଖର ଧାଓ୍ଵନ, ଦୁଇ ଯୋଡି ଭାଇକୁ ମିଳିପାରେ ସୁଯୋଗ

Published By : Prameya-News7 Bureau | May 20, 2021 IST

ନୂଆଦିଲ୍ଲୀ ୨୦।୦୫: ଭାରତୀୟ କ୍ରିକେଟ୍ ଦଳ ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତ କରିବ। ଏହି ଗସ୍ତରେ ଦୁଇ ଦେଶ ମଧ୍ୟରେ ତିନି ଦିନିକିଆ ଓ ତିନି ଟି-୨୦ ମ୍ୟାଚ୍ ଖେଳାଯିବ। ଅପରପକ୍ଷେ ଏହି ସମୟରେ ବରିଷ୍ଠ ଖେଳାଳି ଇଂଲଣ୍ଡ ଗସ୍ତରେ ଥିବେ। ଏହି କାରଣରୁ ଯୁବ ଖେଳାଳିଙ୍କୁ ଶ୍ରୀଲଙ୍କା ଗସ୍ତରେ ସୁଯୋଗ ଦିଆଯାଇପାରେ। ଏହି ଗସ୍ତ ପାଇଁ ରାହୁଲ ଦ୍ରାବିଡଙ୍କୁ କୋଚିଂ ଦାୟିତ୍ଵ ଦିଆଯାଇଛି। ସୂଚନା ଅନୁଯାୟୀ, ଶିଖର ଧାଓ୍ଵନ ଏହି ଗସ୍ତରେ ଦଳର ଅଧିନାୟକ ହୋଇ ପାରନ୍ତି।

କ୍ରିକବଜ୍‌ର ଖବର ଅନୁଯାୟୀ, ଶ୍ରୀଲଙ୍କା ଗସ୍ତ ପାଇଁ ଶିଖର ଧାଓ୍ଵନଙ୍କୁ ଅଧିନାୟକ କରାଯାଇପାରେ। ଦୁଇ ଭାଇ  ଯୋଡିଙ୍କୁ ଦଳରେ ସାମିଲ କରାଯାଇପାରେ। ହାର୍ଦ୍ଦିକ ଓ କୃଣାଲ ପାଣ୍ଡ୍ୟାଙ୍କ ବ୍ୟତୀତ  ଦୀପକ ଚହର ଓ ରାହୁଲ ଚହରଙ୍କୁ ଦଳରେ ସ୍ଥାନ ମିଳିପାରେ। ରାହୁଲ ଚହର ଚଳିତ ଆଇପିଏଲ୍‌ରେ ଦମଦାର ପ୍ରଦର୍ଶନ କରି ୭ ମ୍ୟାଚ୍‌ରୁ ୧୧ ଓ୍ଵିକେଟ୍ ନେଇଥିଲେ।

ପାଡିକଲ ଓ ରାଣା କରି ପାରନ୍ତି ପଦାର୍ପଣ

ଆରସିବିର ଓପନିଂ ବ୍ୟାଟସମ୍ୟାନ ଦେବଦତ୍ତ ପାଡିକଲ ଓ କେକେଆରର ନୀତିଶ ରାଣାଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳିପାରେ। ଏହି ଦୁଇ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରି ପାରନ୍ତି। ଦୁଇ ଖେଳାଳି ଇଂଲଣ୍ଡ  ବିପକ୍ଷ ସିରିଜ୍‌ରେ ଫିଟନେସ୍ ଟେଷ୍ଟରେ ଫେଲ୍ ହେବାରୁ ଦଳରେ ସୁଯୋଗ ପାଇନଥିଲେ। ଦ୍ରୁତ ବୋଲର ଭୁବନେଶ୍ଵର କୁମାର ମଧ୍ୟ ଶ୍ରୀଲଙ୍କା ଗସ୍ତରେ ଯାଇ ପାରନ୍ତି। ଆହତ ଶ୍ରେୟସ ଆୟର ମଧ୍ୟ ଶ୍ରୀଲଙ୍କା ଗସ୍ତରେ ଯାଇ ପାରନ୍ତି। କିନ୍ତୁ ଏହା ତାଙ୍କ ଫିଟନେସ୍ ଉପରେ ନିର୍ଭର କରେ।

ସମ୍ଭାବିତ ଦଳ

ଶିଖର ଧାଓ୍ଵନ(ଅଧିନାୟକ), ଦେବଦତ୍ତ ପାଡିକଲ ଶ୍ରେୟର ଆୟର(ଫିଟନେସ୍ ଉପରେ ନିର୍ଭର), ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ, ସଞ୍ଜୁ ସାମସନ, ନୀତିଶ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଲ ପାଣ୍ଡ୍ୟା, ରାହୁଲ ତେଓ୍ଵତିଆ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଜୟଦେବ ଉନାଦକତ, ନବଦୀପ ସାଇନି, ଭୁବନେଶ୍ଵର  କୁମାର, ଖଲିଲ ଅହମ୍ମଦ, ଦୀପକ ଚହର, ରାହୁଲ ଚହର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.