ସାଜିଦ ଖାନଙ୍କ ବିରୋଧରେ ଆଉ ଏକ ଯୌନ ଉତ୍ପୀଡ଼ନ ମାମଲା: ଗମ୍ଭୀର ଆରୋପ ଲଗାଇଲେ ଶେର୍ଲିନ ଚୋପ୍ରା, ଟ୍ୱିଟରରେ ଟ୍ୟାଗ୍ କରି କହିଲେ…
19/01/2021 at 6:12 PM

ମୁମ୍ବାଇ ୧୯/୦୧ : ବଲିଉଡ ନିର୍ଦ୍ଦେଶକ ସାଜିଦ ଖାନଙ୍କ ବିରୋଧରେ ପୁଣି ଆଉ ଜଣେ ଅଭିନେତ୍ରୀ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀ ଶେର୍ଲିନ ଚୋପ୍ରା ମଙ୍ଗଳବାର ଅପରାହ୍ନରେ ଏକ ଟ୍ୱିଟ କରିଥିଲେ ଯାହାକୁ ଦେଖି ସମସ୍ତଙ୍କ ହୋସ ଉଡି ଯାଇଥିଲା। ଶେର୍ଲିନ ଚୋପ୍ରା ସାଜିଦ ଖାନଙ୍କ ବିରୋଧରେ ଗମ୍ଭୀର ଆରୋପ ଲଗାଇଛନ୍ତି। ଟ୍ୱିଟରେ ସେ ସାଜିଦ ଖାନଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଆରୋପ ଲଗାଇଛନ୍ତି। ୨୦୧୫ ମସିହାରେ ଯେତେବେଳେ ଶେର୍ଲିନ ସାଜିଦଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ସେତେବେଳେ ଏମିତି କିଛି ଘଟିଥିଲା ଯାହା ଠିକ ନଥିଲା। ସେ କେବେ ଏସବୁ କଳ୍ପନା ବି କରିନଥିଲେ ବୋଲି ଶେର୍ଲିନ କହିଛନ୍ତି।

୨୦୧୫ ରେ ଶେର୍ଲିନଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା। ସେ କାମ ପାଇଁ ସାଜିଦ ଖାନଙ୍କ ପାଖକୁ ଯାଇଥିଲେ। କିନ୍ତୁ ସେତେବେଳେ ସାଜିଦ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ସାଜିଦ ତାଙ୍କ ସହ ଯେଉଁଭଳି ବ୍ୟବହାର କରିଥିଲେ ତାକୁ ସେ କେବେ ଭୁଲି ପାରିବେନି କି କେବେ ମନେ ପକାଇବାକୁ ବି ଚାହନ୍ତିନି ବୋଲି କହିଛନ୍ତି ଶେର୍ଲିନ।
ନିକଟରେ ଦିବଙ୍ଗତ ଅଭିନେତ୍ରୀ ଜିୟା ଖାନଙ୍କ ଭଉଣୀ କରିସ୍ମା ମଧ୍ୟ ସାଜିଦ ଖାନଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଛନ୍ତି। ଫିଲ୍ମ ହାଉସଫୁଲ ସୁଟିଂ ସମୟରେ ସାଜିଦ ଖାନ ଜିୟାଙ୍କ ସହ ଦୁର୍ବ୍ୟବହାର କରିଥିଲେ ବୋଲି ସେ କହିଛନ୍ତି। କିନ୍ତୁ ସେତେବେଳେ ସେ ଇଣ୍ଡଷ୍ଟ୍ରିରେ ନୂଆ ଥିଲେ ବୋଲି ଚୁପ ରହିଥିଲେ।

୨୦୧୮ ମସିହାରେ #MeToo Movement ସମୟରେ ସାଜିଦ ଖାନଙ୍କ ବିରୋଧରେ ଅନେକ ଯୌନ ଉତ୍ପୀଡ଼ନ ଆରୋପ ଲାଗିଥିଲା। ମନ୍ଦନା କରିମି, ସାଲୋନୀ ଚୋପ୍ରା, ସିମରନ ସୁରି, ମରିନା କୁମ୍ବର, ସାମ୍ବାଦିକା କରିସ୍ମା ଉପାଧ୍ୟାୟ ମଧ୍ୟ ସାଜିଦ ଖାନଙ୍କ ବିରୋଧରେ ଗମ୍ଭୀର ଆରୋପ ଲଗାଇଥିଲେ। ସେଥିପାଇଁ ତାଙ୍କୁ ହାଉସଫୁଲ-୪ରୁ ବାହାର କରିଦିଆଯାଇଥିଲା।