ନେପାଳର ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ନେବେ ଶେର ବାହାଦୂର ଦେଉବା

Published By : Prameya-News7 Bureau | July 13, 2021 IST

କାଠମାଣ୍ଡୁ ୧୩/୭: ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ ନେପାଳର ସର୍ବୋଚ୍ଚ ନ୍ୟାୟାଳୟ ଝଟ୍‌କା ଦେବା ପରେ ଆଜି ଶେର ବାହାଦୂର ଦେଉବା ନେପାଳର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ନେଇ ସୂଚନା ମିଳିଛି । କେପି ଓଲିଙ୍କୁ ପଦରୁ ହଟାଇ ଶେର ବାହାଦୂର ଦେଉବାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ରାଷ୍ଟ୍ରପତିଙ୍କୁ ନିର୍ଦେଶ ଦେଇଥିଲେ ନେପାଳର ସର୍ବୋଚ୍ଚ ଅଦାଲତ ।  ଏହା ସହ ଲଗାତାର ଦ୍ବିତୀୟ ଥର ସଂସଦ ଭାଙ୍ଗିବାକୁ ନେଇ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ମଧ୍ୟ ଗତକାଲି ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ଭଣ୍ଡାରୀ ୫ ମାସରେ ଦୁଇ ଥର ପାଇଁ ୨୨ ମେରେ ଲୋକସଭା ଭଙ୍ଗ କରିଦେଇଥି​‌ଲେ। ଏହା ସହ ରାଷ୍ଟ୍ରପତି ୧୨ ଏବଂ ୧୯ ନଭେମ୍ବରରେ ମଧ୍ୟବର୍ତ୍ତୀକାଳୀନ ନିାର୍ବାଚନ କରିବା ପାଇଁ ଘୋଷଣା କରିଥିଲେ। ଏହା ବିରୋଧରେ ସୁପ୍ରିମକୋର୍ଟରେ ୩୦ଟି ଆବେଦନ ହୋଇଥିଲା। ଏହାକୁ ନେଇ ଗତକାଲି ରାୟ ପ୍ରକାଶ ପାଇଥିଲା ।

ସମସ୍ତ ଆବେଦନକୁ ତର୍ଜମା କରିବା ପ​‌ରେ କୋର୍ଟ ଶେର ବାହାଦୂର ଦେଉବାଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ନି​‌ଷ୍ପତ୍ତି ବିରୋଧରେ ନେପାଳର ବିରୋଧୀ ମେଣ୍ଟ ମଧ୍ୟ ଏକ ଆବେଦନ ଦାଖଲ କରିଥିଲା । ତେବେ ଓଲି ଏବେ ନେପାଳରେ ଅଳ୍ପ ମତ ସରକାର ଚଳାଉଛନ୍ତି । କାରଣ ୨୭୫ ସିଦସ୍ୟ ବିଶିଷ୍ଟ ସଂସଦରେ ବିଶ୍ବାସ ମତ ହରାଇସାରିଛନ୍ତି କେପି ଓଲି।

ସୁପ୍ରିମକୋର୍ଟ ସଂସଦରେ ଏକ ସ୍ବତନ୍ତ୍ର ଅଧିବେଶନ ଡାକି ୨୦ ଜୁଲାଇ ସୁଦ୍ଧା ବହୁମତ ସାବ୍ୟସ୍ତ କରିବାକୁ ଶେର ବାହାଦୂରଙ୍କୁ ନିର୍ଦେଶ ମଧ୍ୟ ଦେଇଛନ୍ତି। ଶେର ବାହାଦୂର ଦେଉବା ନେପାଳର ବରିଷ୍ଠ ବିରୋଧୀ ନେତା। ସେ ନେପାଳର ୪୦ ତମ ପ୍ରଧାନମନ୍ତ୍ରୀ ଭାବେ ୨୦୧୭ରେ ଶପଥ ନେଇଥିଲେ। ସେ ୧୯୯୫ରୁ ୧୯୯୭ ପର୍ଯ୍ୟନ୍ତ, ପୁଣି ୨୦୦୧ରୁ ୨୦୦୨ ଏବଂ ୨୦୦୪ରୁ ୨୦୦୫ ଯାଏଁ ନେପାଳର ପ୍ରଧାନମନ୍ତ୍ରୀ ହୋଇଥିଲେ । ବର୍ତ୍ତମାନ ଶେର ବାହଦୁର ନେପାଳୀ କଂଗ୍ରେସର ଅଧ୍ୟକ୍ଷ ଅଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.