ଲକ୍‌ଡାଉନ୍‌ : ଗାଁ ଦାଣ୍ଡ ଓ ଛକରେ ଜଗିଛି ପୋଲିସ , କିନ୍ତୁ ୫୦ମେଣ୍ଢା ନେଇଗଲା ଚୋର

Published By : Prameya-News7 Bureau | April 16, 2020 IST

ବାଲିପାଟଣା ୧୬।୦୪: କରୋନା ସ୍ଥିତି ନେଇ ଚାରିଆଡେ ଲକ୍‌ଡାଉନ୍‌ ଜାରି ରହିଛି । ସାରା ରାଜ୍ୟରେ କରୋନା କଟକଣା ପାଇଁ ଛକ, ଗାଁ ଗଣ୍ଡାରେ କଡ଼ା ପୋଲିସ ପ୍ରହରା । ଘଣ୍ଟାକୁ ଘଣ୍ଟା ପୁଲିସ ଗାଡ଼ି ପଇଁତରା ମାରୁଛି । ଏତେ କଡ଼ା ପ୍ରହରା ସତ୍ତ୍ୱେ ଗୁହାଳ ଘରେ ଗାଡ଼ି ଲଗାଇ ୫୦ମେଣ୍ଢା ଟେକିନେଲେ ଦୁର୍ବୃତ୍ତ । ଯାହାର ଟିକେ ବି ସୁରାକ୍‌ ପାଇଲାନି ବାଲିପାଟଣା ପୋଲିସ ।

{"id":255113,"width":560,"height":373,"sizeSlug":"large"}

ସୂଚନାଯୋଗ୍ୟ ଯେ, ବାଲିପାଟଣା ଥାନା ଅନ୍ତର୍ଗତ ବିଶୁନିଆପଡା ଗ୍ରାମର ହରିଚନ୍ଦନ ପରିଡ଼ା ଓ ତାଙ୍କ ଭାଇ ସୁକାନ୍ତ ପରିଡ଼ାଙ୍କ ଗୁହାଳ କବାଟ ଭାଙ୍ଗି ୫୦ଟି ମେଣ୍ଢା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଦୀର୍ଘ ୪ମାସ ହେବ ବାଲିପାଟଣା ଥାନା ଅଞ୍ଚଳରେ ବାରମ୍ବାର ମେଣ୍ଢା ଚୋରି ଚାଷୀଙ୍କ ନିଦ ହଜାଇ ଦେଇଛି । ଗତ ୫ ମାସ ମଧ୍ୟରେ ପାଖାପାଖି ୬୦୦ମେଣ୍ଢା, ଛେଳି ଓ ଗାଈଙ୍କ ଚୋରି ଏଠାକାର ଚାଷୀଙ୍କ ନିଦ ହଜାଇ ଦେଲାଣି । ଏପରି ଅସମୟରେ ଚାଷୀ ରୋଜଗାର ହରାଇ ବସିଛି । ଏଣେ ଛେଳି, ମେଣ୍ଢା ଚୋରଙ୍କ ଦାଉ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି । ବାରମ୍ବାର ଏପରି ହେଉଥିଲେ ମଧ୍ୟ ପୁଲିସ୍‌ ଜାଣିପାରୁନି ।

ଦୁଇମାସ ତଳେ ମେଣ୍ଢା ଚୋରି କରି ନେଉଥିବା ବେଳେ ଟିକିପଡା ଗ୍ରାମ ନିକଟରେ ଏକ ଟାଟା ମ୍ୟାଜିକ୍‌ ଦୁର୍ଘଟଣା ଘଟିଥିଲା । ଗୋଟିଏ ମେଣ୍ଢା ମଧ୍ୟ ସେଠାରେ ମରି ପଡିଥିଲା । କିନ୍ତୁ ପୋଲିସ୍‌ ସେ ସମୟରେ ଚୋର ଧରିବାରେ ବିଫଳ ହୋଇଥିଲା । ଯାହା ଫଳରେ ମାତ୍ର ଏକମାସ ବ୍ୟବଧାନରେ ପୁଣି ୫୦ଟି ମେଣ୍ଢା ଉଠାଇନେବାରେ ଚୋରମାନେ ସଫଳ ହେଲେ । ଦିନରେ ବେପାରୀ ସାଜି ଏମାନେ ମେଣ୍ଢା, ଛେଳି ଠାବ କରି ରାତିରେ ଚୋରି କରୁଥିବା ଜଣାପଡିଛି । ଏମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.