ନିଜଠୁ ୪୬ ବର୍ଷ ସାନ ଯୁବକଙ୍କୁ କରିଥିଲେ ବିବାହ ! ଏବେ ଚିନ୍ତାରେ କଟୁଛି ୮୧ ବର୍ଷିୟା ମହିଳାଙ୍କ ଦିନ
6/01/2021 at 5:35 PM

ୱେଷ୍ଟନ: ବ୍ରିଟେନ ୱେଷ୍ଟନର ବାସିନ୍ଦା ୮୧ ବର୍ଷ ବୟସ୍କା ଆଇରିସ୍ ଜୋନସ୍ ତାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚାରେ। ଜୋନ୍ସ ନିକଟରେ ଆଇଟିଭିର ଏକ ସୋ’ ରେ ଅଂଶଗ୍ରହଣ କରିଥିଲେ। ଯେଉଁଥିରେ ସେ ତାଙ୍କର ବୈବାହିକ ଜୀବନ ସମ୍ପର୍କରେ ସୂଚିତ କରିଥିଲେ। ତାଙ୍କ ବୟସ ୮୧ ତେବେ ସେ ତାଙ୍କଠାରୁ ବୟସରେ ୪୬ ବର୍ଷ ଛୋଟ ୩୫ବର୍ଷ ବୟସ୍କ ମହମ୍ମଦ ଅହମ୍ମଦଙ୍କୁ ବିବାହ କରିଛନ୍ତି। ମହମ୍ମଦ ଇଜିପ୍ଟ ନାଗରିକ। ତାଙ୍କୁ ବ୍ରିଟେନ ଆସିବାକୁ ଭିସା ମିଳୁ ନାହିଁ। ଏଣୁ ଜୋନସଙ୍କ ଦିନ ଏବେ ଚିନ୍ତାରେ କଟୁଥିବା ସେ କହିଛନ୍ତି।

ଜୋନ୍ସ ତାଙ୍କ ସ୍ୱାମୀଙ୍କ ପାଖକୁ ମଧ୍ୟ ଯାଇ ପାରୁନାହାନ୍ତି। କାରଣ ଇଜିପ୍ଟର ପାଗ ତାଙ୍କ ଦେହରେ ଯିବନି। ତେଣେ ବୟସ ତାଙ୍କୁ ସାଥ ଦେଉନି। ଏଥିରେସେ କଣ କରିବେ କିଛି ବୁଝିପାରୁନାହାନ୍ତି ବୋଲି ଟେଲିଭିଜନ କାର୍ଯ୍ୟକ୍ରମରେ କହିଥିଲେ। ହୁଏତ ଆଜି ହିଁ ତାଙ୍କର ମୃତ୍ୟୁ ହୋଇପାରେ ନଚେତ କାଲି, ତେବେ ପାଖରେ ସ୍ୱାମୀ ନଥିବାରୁ ସେ ଚିନ୍ତିତ ରହୁଥିବା କହିଛନ୍ତି।

ଏକ ଫେସବୁକ୍ ଗ୍ରୁପରେ ମହମ୍ମଦଙ୍କ ସହ ଜୋନ୍ସଙ୍କ ଭେଟ ହୋଇଥିଲା। କ୍ରମଶଃ ବନ୍ଧୁତା ମଜଭୁତ ହେବା ସହ ଉଭୟ ବିବାହ ଲାଗି ନିଷ୍ପତ୍ତି ନେଇଥିଲେ। ଜୋନ୍ସ ଇଜିପ୍ଟ ଯାଇ ମହମ୍ମଦଙ୍କ ସହ ସମୟ ବିତାଇଥିଲେ। ଗତ ନଭେମ୍ବରରେ ଉଭୟ ବିବାହ ବନ୍ଧରେ ଆବଦ୍ଧ ହୋଇଛନ୍ତି। ତେବେ ବିବାହ ପରଠାରୁ ମହମ୍ମଦ ଓ ଜୋନ୍ସ ଏକାଠି ହୋଇପାରିନାହାନ୍ତି।

ମେଟ୍ରୋ ଡଟ୍ କୋ ଡଟ୍ ୟୁକେ ରିପୋର୍ଟ ମୁତାବକ ଜୋନ୍ସ ଯାହାଙ୍କୁ ଭଲ ପାଉଛନ୍ତି ତାଙ୍କଠାରୁ ତାଙ୍କୁ ପୃଥକ କରିଦିଆଯାଇଛି। ଯାହାକି ତାଙ୍କ ଲାଗି ଅତ୍ୟନ୍ତ କଷ୍ଟକର ବୋଲି ସେ କହିଛନ୍ତି। ମୋ ପାଖରେ ସମୟ କମ୍, ଏହା ସତ୍ତ୍ୱେ ୩ ଥର ଇଜିପ୍ଟ ଯାଇଛି। ହେଲେ ସବୁଥର ତାଙ୍କୁ ସାଙ୍ଗରେ ଆଣି ନପାରି ଫେରିଛି। ଏଣୁ ଜୋନ୍ସ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍ଙ୍କୁ ତାଙ୍କ ସ୍ୱାମୀଙ୍କୁ ଭିସା ପ୍ରଦାନ ନିମନ୍ତେ ନିବେଦନ କରିଛନ୍ତି। ହୁଏତ ବ୍ରିଟେନ ଅର୍ଥନୀତି ଲାଗି ସେ ଆସେଟ୍ ହୋଇପାରନ୍ତି ବୋଲି କହିଛନ୍ତି ଜୋନ୍ସ।