ଝିଅ ପାଇଁ ବାହାରିଲେ ବାପା : ‘‘ସୋନାକ୍ଷୀଙ୍କ ରାମାୟଣ ଜ୍ଞାନ ପାଇଁ କୌଣସି ସାର୍ଟିଫିକେଟ ଦରକାର ନାହିଁ’’
10/04/2020 at 7:50 PM

ମୁମ୍ବାଇ ୧୦/୪: ବଲିଉଡରେ ସବୁବେଳେ ବିବାଦ ଘେରରେ ରହୁଥିବା ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ପୁଣି ଥରେ ଏପରି କିଛି କାରଣରୁ ଚର୍ଚ୍ଚାରେ ଥିଲେ। କିନ୍ତୁ ଏଥର ତାଙ୍କ ସମର୍ଥନରେ ନିଜେ ତାଙ୍କ ବାପା ଶତ୍ରୃଘ୍ନ ସିହ୍ନା ଛିଡ଼ା ହୋଇଛନ୍ତି। ଶତ୍ରୃଘ୍ନ ସିହ୍ନା ନିଜ ଝିଅକୁ ଟ୍ରୋଲ୍ କରିଥିବା ଲୋକଙ୍କୁ ଉଚିତ୍ ଜବାବ ଦେଇଛନ୍ତି। ସେ ଅଭିନେତା ମୁକେଶ ଖାନ୍ନାଙ୍କ ନାଁ ନ ନେଇ ତାଙ୍କୁ ପାଲଟା ଜବାବ ଦେଇଛନ୍ତି।
ଅଭିନେତା ମୁକେଶ ଖାନ୍ନା ନିକଟରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ଟାର୍ଗେଟ୍ କରିଥିଲେ। ତାଙ୍କ କହିବା ଅନୁସାରେ ରାମାୟଣ ଏବଂ ମହାଭାରତ ପୁଣି ଥରେ ପ୍ରସାରଣ ହେବା ଫଳରେ ସୋନାକ୍ଷୀ ସିହ୍ନା ଭଳି ଲୋକଙ୍କୁ ନିଜ ସଂସ୍କୃତି ବିଷୟରେ ଜାଣିବାକୁ ସାହାଯ୍ୟ କରିବ ଯେଉଁମାନଙ୍କୁ ନିଜ ସଂସ୍କୃତି ବିଷୟରେ କିଛି ଜ୍ଞାନ ନାହିଁ। ମୁକେଶ ଖାନ୍ନା କେବିସି ଦେଉଥିବାବେଳେ ଏକ ସୃଷ୍ଟି ହୋଇଥିବା ଏକ ବିବାଦ ବିଷୟରେ କହିଥିଲେ। ଏଠାରେ ସୋନାକ୍ଷୀ ରାମାୟଣ ସହ ଜଡ଼ିତ ଏକ ପ୍ରଶ୍ନର ଉତ୍ତର ଦେଇପାରିନଥିଲେ। ପ୍ରଶ୍ନ ଏୟା ଥିଲା ଯେ ରାମାୟଣ ଅନୁସାରେ ହନୁମାନ କାହା ପାଇଁ ସଞ୍ଜିବନୀ ବୁଟି ନେଇ ଆସିଥିଲେ। ଏହି ପ୍ରଶ୍ନ ପାଇଁ ସୋନାକ୍ଷୀଙ୍କୁ ଏକ୍ସପର୍ଟଙ୍କ ସାହାଯ୍ୟ ନେବାକୁ ପଡ଼ିଥିଲା।
ସୋନାକ୍ଷୀଙ୍କୁ ଏଥିପାଇଁ ଟ୍ରୋଲ୍ କରାଯାଇଥିଲା। କିନ୍ତୁ ଏଥର ମୁକେଶ ଖାନ୍ନାଙ୍କଠୁ ନିଜ ଝିଅ ବିଷୟରେ ଏପରି କଥା ଶୁଣି ଶତ୍ରୃଘ୍ନ ସିହ୍ନା ଆଗକୁ ଆସିଥିଲେ। ଶତ୍ରୃଘ୍ନ ସିହ୍ନା କହିଥିଲେ ଯେ ତାଙ୍କୁ ଲାଗୁଛି ଯେ କେତେକ ଲୋକଙ୍କୁ ସୋନାକ୍ଷୀଙ୍କ ସହ ଅସୁବିଧା ହେଉଛି। ସେ ରାମାୟଣର ପ୍ରଶ୍ନର ଉତ୍ତର ନ ଦେଇପାରିଲେ କ’ଣ ହେଲା? ପ୍ରଥମ କଥା ହେଉଛି ସେହି ବ୍ୟକ୍ତିଙ୍କୁ କିଏ ରାମାୟଣର ଏକ୍ସପର୍ଟ କରିଛି? ଏବଂ କିଏ ତାଙ୍କୁ ହିନ୍ଦୁ ଧର୍ମର ଗାର୍ଡ଼ିଆନ୍ କରିଛି?
ଶତ୍ରୃଘ୍ନ ସିହ୍ନା ଆହୁରି ମଧ୍ୟ କହିଥିଲେ ଯେ – ତାଙ୍କୁ ତାଙ୍କ ୩ପିଲାଙ୍କ ଉପରେ ଗର୍ବ ରହିଛି। ସୋନାକ୍ଷୀ ନିଜ ମଧ୍ୟରେ ଜଣେ ଷ୍ଟାର। ତାଙ୍କୁ ସୋନାକ୍ଷୀଙ୍କ କ୍ୟାରିୟର ସ୍ଥାପନ କରିବାରେ ସାହାଯ୍ୟ କରିବାକୁ ପଡ଼ିନାହିଁ। ସେ ଏପରି ଝିଅ,ଯାହା ଉପରେ ପ୍ରତ୍ୟେକ ପିତାଙ୍କ ଗର୍ବ ହେବ। ସେ ଯଦି ରାମାୟଣର ଉତ୍ତର ଦେଇପାରିଲେ ନାହିଁ ଏହାର ଅର୍ଥ ନୁହେଁ ଯେ ସେ ଜଣେ ଭଲ ହିନ୍ଦୁ ନୁହେଁ। ତାଙ୍କୁ କାହାର ସାର୍ଟିଫିକେଟର ଆବଶ୍ୟକତା ନାହିଁ।