୧୦ କୋଟି ଟଙ୍କାର ଜୋରିମାନା ଭରି ଦେଲେ ଶଶିକଳା, ଜେଲ୍‌ରୁ ଖୁବ୍ ଶୀଘ୍ର ମୁକୁଳି ପାରନ୍ତି

Published By : Prameya-News7 Bureau | November 18, 2020 IST

ଚେନ୍ନାଇ ୧୮।୧୧: ତାମିଲନାଡୁର ଦିବଗନ୍ତ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ପୂର୍ବତନ ସହଯୋଗୀ ତଥା ଆୟବର୍ହିଭୂତ ସଂପତ୍ତି ମାମଲାରେ ସଜା କାଟୁଥିବା ଭିକେ ଶଶିକଳା ବୁଧବାର ବେଙ୍ଗାଲୁରୁର ଅଦାଲତରେ ୧୦ କୋଟି ଟଙ୍କାର ଜୋରିମାନା ଭରିଛନ୍ତି। ତାଙ୍କ ଓକିଲ ଏହି  ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ଏବେ ଶଶିକଳା ଶୀଘ୍ର ଜେଲ୍‌ରୁ ମୁକୁଳିବାର ଆଶା ରହିଛି। ଏହା ମଧ୍ୟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନୀସ୍ଵାମୀ ସ୍ପଷ୍ଟ କରିଛନ୍ତି ଯେ, ଶଶିକଳାଙ୍କ ସମ୍ଭାବିତ ମୁକ୍ତିରେ ତାଙ୍କ ପରିବାରର ସହ ଦୂରତା ବଜାୟ ରଖିବାରେ ଆନ୍ନାଦ୍ରମୁକର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆସିବ ନାହିଁ। ସେ କହିଛନ୍ତି ପାର୍ଟି ଓ ସରକାର ଉଭୟ ଶଶିକଳାଙ୍କଠୁ ଦୂରତା ବଜାୟ ରଖିବେ।

କୋଏମ୍ବାଟୁରରୁ ପଲାନୀସ୍ଵାମୀ କହିଛନ୍ତି, ଶଶିକଳାଙ୍କ ମାମଲାରେ ପାର୍ଟିର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ। ଶଶିକଳାଙ୍କ ଓକିଲ ରାଜା ସେନ୍ତୁର ପାଣ୍ଡିୟନ କହିଛନ୍ତି ବେଙ୍ଗାଲୁରୁ ଅଦାଲତରେ ୧୦ କୋଟି ଟଙ୍କା ଜୋରିମାନା ଭରାଯାଇଛି। ଅଦାଲତ ଖୁବ୍ ଶୀଘ୍ର ଜେଲ୍ ଅଧିକାରୀଙ୍କୁ ଜୋରିମାନା ରାଶି ଜାମ କରିବାର ସୂଚନା ଦେବେ। ଆଶା କରୁଛି ନିର୍ଦ୍ଧାରିତ ୨୧ ତାରିଖ ପୂର୍ବରୁ ଶଶିକଳାଙ୍କୁ  ଜେଲ୍‌ରୁ ଖଲାସ ହେବେ। କଏଦୀଙ୍କ ଭଲ ବ୍ୟବହାର ଆଧାରରେ ସଜା କମ ହେବା ଉପରେ ଓକିଲ କହିଛନ୍ତି ଯେ, ଶଶିକଳାଙ୍କୁ ସମୟ ପୂର୍ବରୁ ମୁକ୍ତ କରାଯିବ ଏବଂ ଏହି ସଂପର୍କରେ ଆଇନଗତ ପ୍ରକ୍ରିୟା ଜାରି ରହିଛି।

ଉଲ୍ଲେଖଯୋଗ୍ୟ, ୬୪ କୋଟି ଟଙ୍କାର ଆୟବର୍ହିଭୂତ ମାମଲାରେ ୨୦୧୭ ଫେବୃଆରୀରେ ଶଶିକଳା ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ସେହି ଦିନ ସଜା ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟ ଶଶିକଳା ଏବଂ ତାଙ୍କର ଦୁଇ ଜଣ ସଂପର୍କୀୟଙ୍କ ବିରୋଧରେ ନିମ୍ନ ଅଦାଲତ ଦେଇଥିବା ସଜାକୁ କାଏମ ରଖିଥିଲେ। ଏହା ପରେ ୨୦୧୭ ଫେବୃଆରୀ ୧୫ରେ ସେ ଅଦାଲତରେ ଆତ୍ମ ସମର୍ପଣ କରିଥିଲେ। ଅଦାଲତ ତିନି ଜଣଙ୍କୁ ଜେଲ୍ ଦଣ୍ଡ ସହିତ ୧୦ କୋଟି ଟଙ୍କା ବ୍ୟତୀତ ୧୦  ହଜାର ଟଙ୍କାର ଜୋରିମାନା ଲଗାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.