ରେଡ୍ ମାର୍କରେ ସେୟାର ବଜାର : ସେନସେକ୍ସ ୪୭୭ ଅଙ୍କ ହ୍ରାସ, ଡଲାର ତୁଳନାରେ କମୁଛି ଟଙ୍କାର ମୂଲ୍ୟ

Published By : Prameya-News7 Bureau | January 18, 2021 IST

ନୂଆଦିଲ୍ଲୀ ୧୮/୦୧ : ସପ୍ତାହର ପ୍ରଥମ କାରବାର ଦିନରେ ସେୟାର ବଜାର ଲାଲ ସଙ୍କେତ ସହ ଆରମ୍ଭ ହୋଇଛି । ସୋମବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ସେନସେକ୍ସ ୨୭ ଅଙ୍କ ବୃଦ୍ଧି ପାଇ ୪୯,୦୬୧ରେ ଖୋଲିଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୨୦ ଅଙ୍କ ବୃଦ୍ଧି ପାଇ ୧୪,୪୫୩.୩୦ରେ ଖୋଲିଥିଲା ।

କାରବାର ସମୟରେ ସେନସେକ୍ସ ଏବଂ ନିଫ୍ଟି ଉଭୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ସକାଳ ସାଢେ ୧୦.୩୦ ସୁଦ୍ଧା ସେନସେକ୍ସ ୪୭୭ ଅଙ୍କ ହ୍ରାସ ପାଇ ୪୮,୫୫୭ ଅଙ୍କକୁ ଖସିଆସିଥିଲା । ନିଫ୍ଟି ମଧ୍ୟ ହ୍ରାସ ପାଇ ୧୪,୨୬୩.୬୦ ଅଙ୍କକୁ ଖସିଆସିଥିଲା । ନେସନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟିର ପ୍ରାୟ ୭୧୦ ସେୟାରରେ ବୃଦ୍ଧି ଏବଂ ୬୬୨ଟି ସେୟାରରେ ହ୍ରାସ ପାଇଥିଲା । ଅନ୍ତରାଷ୍ଟ୍ରୀୟ ବଜାର ଏବଂ ଘରୋଇ ବଜାରରେ କାରବାରରେ ମିଶ୍ରିତ ଫଳାଫଳ ହେତୁ ସେନସେକ୍ସ ଏବଂ ନିଫ୍ଟିରେ ମଧ୍ୟ ସେଭଳି ପ୍ରଭାବ ଦେଖାଯାଉଛି ।

କରେନା ଟିକାକରଣ ଅନେକ ସ୍ଥାନରେ ସଫଳତାର ସହ ଆରମ୍ଭ ହୋଇଯାଇଛି ଏହା ସହ କିଛି ଦେଶରେ କରୋନା ମାମଲା ବୃଦ୍ଧି ପାଉଛି । ଲକଡାଉନ୍‌ ମଧ୍ୟ ଘୋଷଣା କରାଯାଇଛି । ଖାସ କରି ଚୀନର ଅନେକ ସ୍ଥାନରେ ଏଭଳି ଖବର ସାମ୍ନାକୁ ଆସିଛି । ଏହାକୁ ନେଇ ନିବେଶକମାନଙ୍କ ଚିନ୍ତା ବଢିଯାଇଛି ।

ସୋମବାର ଡଲାର ତୁଳନାର ଟଙ୍କାର ମୂଲ୍ୟ ମଧ୍ୟ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଟଙ୍କାର ମୂଲ୍ୟ ୧୦ ପଇସା ହ୍ରାସ ପାଇ ୭୩.୨୨ରେ ଖୋଲିଥିଲା । ଶୁକ୍ରବାର ଟଙ୍କାର ମୂଲ୍ୟ ୭୩.୧୨ରେ ବନ୍ଦ ହୋଇଥିଲା । ମେଟାଲ ଇଣ୍ଡେକ୍ସ୍‌ରେ ୪ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି । ଅଟୋ ଏବଂ ଫାର୍ମା ଇଣ୍ଡେକ୍ସରେ ୨ ଲେଖାଏଁ ହ୍ରାସ ପାଇଛି ।

ଶୁକ୍ରବାର କାରବାରର ଶେଷ ଦିନରେ ନିବେଶକମାନଙ୍କ ଉତ୍ସାହ ଦେଖିବାକୁ ମିଳିନଥିଲା । ବିଶ୍ବ ବଜାରରେ ମହଙ୍ଗାମାଡର ପ୍ରଭାବ ମଧ୍ୟ ସେୟାର ବଜାରରେ ଦେଖିବାକୁ ମିଳିଛି । ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ସେନସେକ୍ସ ୫୪୯.୪୯ ଅଙ୍କ ହ୍ରାସ ପାଇ ୪୯,୦୩୪.୬୭ରେ ବନ୍ଦ ହୋଇଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୬୧.୯୦ ଅଙ୍କ ହ୍ରାସ ପାଇ ୧୪,୪୩୩.୭୦ରେ ବନ୍ଦ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.