ସେୟାର ବଜାରରେ ମିଶ୍ରିତ ପ୍ରଭାବ : BSE ସେନସେକ୍ସ ୨୬୩ ଅଙ୍କ ଖସିଲା, ଗୁରୁବାର ଛୁଇଁଥିଲା ନୂଆ ରେକର୍ଡ

Published By : Prameya-News7 Bureau | January 22, 2021 IST

ନୂଆଦିଲ୍ଲୀ ୨୨/୦୧ : ସପ୍ତାହର ଶେଷ କାରବାର ଦିନ ଅର୍ଥାତ ଶୁକ୍ରବାର ସେୟାର ବଜାର ଲାଲ ସଙ୍କେତ ସହ ଆରମ୍ଭ ହୋଇଛି । ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ସେନସେକ୍ସ ୩୦ ଅଙ୍କ ହ୍ରାସ ପାଇ ୪୯,୫୯୪.୯୫ରେ ଖୋଲିଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୭ ଅଙ୍କ ହ୍ରାସ ପାଇ ୧୪,୫୮୩ରେ ଖୋଲିଥିଲା । ଗୁରୁବାର ପ୍ରଥମ ଥର ପାଇଁ ସେନସେକ୍ସ ୫୦ ହଜାର ଅଙ୍କ ପାର କରିଥିଲା ।

କାରବାର ସମୟରେ ସେନସେକ୍ସ ଏବଂ ନିଫ୍ଟି ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ସକାଳ ୯.୩୦ ସୁଦ୍ଧା ସେନସେକ୍ସ ୨୬୩ ଅଙ୍କ ହ୍ରାସ ପାଇ ୪୯,୩୬୧.୨୨ ଅଙ୍କକୁ ଖସିଆସିଥିଲା । ନିଫ୍ଟି ମଧ୍ୟ ୭୨ ଅଙ୍କ ହ୍ରାସ ପାଇ ୧୪,୫୧୮.୪୫ ଅଙ୍କକୁ ଖସିଆସିଥିଲା । ନେସନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟିର ପ୍ରାୟ ୬୮୨ ସେୟାରରେ ବୃଦ୍ଧି ଏବଂ ୫୨୧ଟି ସେୟାରରେ ହ୍ରାସ ପାଇଥିଲା । ନିଫ୍ଟିରେ ହ୍ରାସ ପାଇଥିବା ପ୍ରମୁଖ ସେୟାରମାନଙ୍କ ମଧ୍ୟରେ ଏଚଡିଏଫସି ବ୍ୟାଙ୍କ୍, ଆକ୍ସିସ୍ ବ୍ୟାଙ୍କ୍, ଟେକ୍ ମହିନ୍ଦ୍ରା, ହିଣ୍ଡାଲକୋ ଏବଂ ଏନଟିପିସି ସାମିଲ ଅଛନ୍ତି ।

ଏଚଡିଏଫସି ବ୍ୟାଙ୍କ ଉପରେ ଏକ କୋଟି ଟଙ୍କାର ଜରିମାନା ଲଗାଇଛି SEBI । ଏଥିପାଇଁ ଏଚଡିଏଫସି ବ୍ୟାଙ୍କ୍‌ର ସେୟାରରେ ୧.୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଁ ୧୪୫୩.୩୫କୁ ଖସିଆସିଛି । ଅନ୍ତରୀମ ଆଦେଶ ଅନୁପାଳନ କରିନଥିବାରୁ ଏଚଡିଏଫସି ବ୍ୟାଙ୍କ ଉପରେ ଏକ କୋଟି ଟଙ୍କାର ଜରିମାନା ଲଗାଇଛି SEBI ।

ଭାରତୀୟ ସେୟାର ବଜାରର ଗୁରୁବାର ଇତିହାସ ରଚିଥିଲା । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ପ୍ରଥମ ଥର ପାଇଁ ୫୦ ହଜାର ଅଙ୍କ ପାର କରିଥିଲା । ଗୁରୁବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ସେନସେକ୍ସ ୫୦,୦୯୬.୫୭ରେ ଖୋଲିଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି୧୪,୭୩୦ରେ ଖୋଲିଥିଲା । କିନ୍ତୁ କାରବାର ଶେଷ ବେଳକୁ ସେୟାର ବଜାର ଲାଲ ସଙ୍କେତ ସହ ବନ୍ଦ ହୋଇଥିଲା । କାରବାର ସମୟରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୫୦,୧୮୪.୦୧ ଯାଏଁ ପହଞ୍ଚିଯାଇଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୪,୭୫୩.୫୫ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.