ପୁଣି ଇତିହାସ ରଚିଲା ସେୟାର ବଜାର : ପ୍ରଥମ ଥର ପାଇଁ ସେନସେକ୍ସ ୪୮ ହଜାର ପାର, ଆକାଶ ଛୁଆଁ ନିଫ୍ଟି
4/01/2021 at 4:26 PM

ନୂଆଦିଲ୍ଲୀ ୦୪/୦୧ : ସପ୍ତାହର ପ୍ରଥମ କାରବାର ଦିନରେ ସେୟାର ବଜାରରେ ଜବରଦସ୍ତ ଆରମ୍ଭ ହୋଇଛି । ଇତିହାସରେ ପ୍ରଥମ ଥର ପାଇଁ ସେନସେକ୍ସ ୪୮ ହଜାର ଅଙ୍କ ପାର କରିଛି । ଏହା ସହ ନିଫ୍ଟି ମଧ୍ୟ ୧୪ ହଜାର ଅଙ୍କ ପାର କରିଛି । ସୋମବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ସେନସେକ୍ସ ୨୪୧ ଅଙ୍କ ବୃଦ୍ଧି ପାଇ ୪୮,୧୦୯ରେ ଖୋଲିଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୮୬ ଅଙ୍କ ବୃଦ୍ଧି ପାଇ ୧୪,୧୦୪.୩୫ରେ ଖୋଲିଥିଲା ।
କାରବାର ସମୟରେ ସେନସେକ୍ସ ୪୮,୧୬୮.୨୨ ଯାଏଁ ଛୁଇଁଥିଲା । ସେହିପରି ନିଫ୍ଟି ମଧ୍ୟ ପ୍ରଥମ ଥର ପାଇଁ ୧୪,୧୧୪.୧୫ ଛୁଇଁଥିଲା । କାରବାର ଆରମ୍ଭରୁ ନିଫ୍ଟିର ପ୍ରାୟ ୧୩୭୪ ସେୟାରରେ ବୃଦ୍ଧି ଏବଂ ୨୨୩ଟି ସେୟାରରେ ହ୍ରାସ ଘଟିଛି । ସମସ୍ତ ସେକ୍ଟରରେ କାରବାର ସବୁଜ ସଙ୍କେତ ସହ ଜାରି ରହିଛି । ଆଇଟି ଏବଂ ପିଏସୟୁ ବ୍ୟାଙ୍କ୍ ସେୟାରରେ ୧ ପ୍ରତିଶତ ଲେଖାଏଁ ବୃଦ୍ଧି ପାଇଛି ।
ସୋମବାର କାରବାର ଆରମ୍ଭରୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ମଧ୍ୟ ଅଭିବୃଦ୍ଧି ଦେଖାଯାଇଛି । ଡଲାର ତୁଳନାରେ ଟଙ୍କା ୧୮ ପଇସା ବୃଦ୍ଧି ପାଇ ୭୨.୯୪ ଟଙ୍କା ପ୍ରତି ଡଲାର ରହିଛି । ଶୁକ୍ରବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୩.୧୨ ଟଙ୍କା ଥିଲା ।
ଏହା ପୂର୍ବରୁ ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ସେନସେକ୍ସ ୩୪ ଅଙ୍କ ବୃଦ୍ଧି ପାଇ ୪୭,୭୮୫ରେ ଖୋଲିଥିଲା । ଯେତେବେଳେକି ନିଫ୍ଟି ୧୫ ଅଙ୍କ ବୃଦ୍ଧି ପାଇ ୧୩,୯୯୬.୧୦ରେ ଖୋଲିଥିଲା । ଏହା ପରେ ସେୟାର ବଜାର ବନ୍ଦ ହେବା ବେଳକୁ ସେନସେକ୍ସ ୧୧୭.୬୫ ଅଙ୍କ ବୃଦ୍ଧି ସହ ୪୭,୮୬୮,୯୮ ଏବଂ ନିଫ୍ଟି ୩୬.୭୫ ଅଙ୍କ ବୃଦ୍ଧି ପାଇ ୧୪,୦୧୮.୫୦ରେ ବନ୍ଦ ହୋଇଥିଲା ।
ସେୟାର ବଜାର ପାଇଁ ବର୍ଷ ୨୦୨୦ ଉତ୍ଥାନ- ପତନ ଭରା ଥିଲା । ଜାନୁୟାରୀ ୨୦୨୦ରେ ସେୟାର ବଜାର ରେକର୍ଡ ସୃଷ୍ଟି କରିଥିଲା । ଏହା ବାଦ କରୋନା ମହାମାରୀ କାରଣରୁ ସେୟାର ବଜାର ପ୍ରାୟ ୪୦ ପ୍ରତିଶତ ପର୍ଯ୍ୟନ୍ତ ଖସିଆସିଥିଲା । ନିଫ୍ଟି ୨୩ ମାର୍ଚ୍ଚ ୨୦୨୦ରେ ତାର ସର୍ବନିମ୍ନ ସ୍ତର ୭୬୦୦କୁ ଖସିଆସିଥିଲା । ଏହା ପରେ ବର୍ଷର ଶେଷ ଭାଗରେ ସେୟାର ବଜାରରେ ବ୍ୟାପକ ବୃଦ୍ଧି ଦେଖିବାକୁ ମିଳିଥିଲା । ରେକର୍ଡ ସୃଷ୍ଟି କରିବା ସହ ପ୍ରତିଦିନ ଉଚ୍ଚତ୍ତମ ସ୍ତରକୁ ଉଠିଥିଲା ସେୟାର ବଜାର ।