ସେୟାର ବଜାରରେ ଉତ୍ସାହ : ସେନସେକ୍ସ୍ ୪୫ ହଜାର ଓ ୧୩ ହଜାର ଉପରେ ନିଫ୍ଟି

Published By : Prameya-News7 Bureau | December 07, 2020 IST

ନୂଆଦିଲ୍ଲୀ ୦୭/୧୨ : ସପ୍ତାହର ପ୍ରଥମ କାରବାର ଦିନରେ ସେୟାର ବଜାରରେ ସ୍ଥିତି ସ୍ବାଭାବିକ ଭାବେ ଆରମ୍ଭ ହୋଇଥିଲା । ତେବେ କାରବାର ବୃଦ୍ଧି ହେବା ସହିତ ସେନସେକ୍ସ୍ ଏବଂ ନିଫ୍ଟି ରେକର୍ଡ ସ୍ଥରରେ ପହଞ୍ଚିଛି । ଦେଶରେ ବ୍ୟବସାୟିକ କାରବାର ବୃଦ୍ଧି ସହିତ କରୋନା ପରବର୍ତ୍ତି ସ୍ଥିତି ସ୍ବାଭାବିକ ହେଉଥିବାରୁ ସେୟାର ବଜାରରେ ଉତ୍ସାହ ଦେଖାଦେଇଛି ।

ସୋମବାର ସେୟାର ବଜାରରେ ସେନସେକ୍ସ ଏବଂ ନିପ୍ଟି ଅଚାନକ ବୃଦ୍ଧି ପାଇ ସର୍ବକାଳୀନ ଶୀର୍ଷରେ ପହଞ୍ଚିଛି ।  ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ଅନୁଯାୟୀ ସେନସେକ୍ସ ୨୦ଅଙ୍କ ବୃଦ୍ଧି ପାଇ ୪୫,୦୯୯ରୁ ଆରମ୍ଭ ହୋଇ ୪୫,୩୪୮.୭୨ରେ ପହଞ୍ଚିଛି ।  ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜ ର ନିଫ୍ଟି ୬ ଅଙ୍କ ବୃଦ୍ଧି ପାଇ ୧୩,୨୬୫ରୁ ଆରମ୍ଭ ହୋଇ ୧୩,୩୩୬.୮୫ରେ ପହଞ୍ଚିଛି ।

ଚଳିତ ବର୍ଷ ଆରମ୍ଭରୁ ଏବେ ଯାଏଁ ସେନସେକ୍ସ୍ ପ୍ରାୟ ୯.୩ ପ୍ରତିଶତ ଏବଂ ନିଫ୍ଟି ୯.୩୪ ପ୍ରତିଶତ ବୃଦ୍ଧି ପାଇଛି । ପ୍ରାରମ୍ଭିକ କାରବାର ବେଳେ ୧୧୮୦ ସେୟାରରେ ବୃଦ୍ଧି ଘଟିଥିବା ବେଳେ ୩୭୭ଟି ସେୟାରରେ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ସରକାରୀ କମ୍ପାନୀ ଏବଂ ପ୍ରାକୃତିକ ଗ୍ୟାସ୍ ନିଗମର ସେୟାରରେ ୩ ପ୍ରତିଶତ ବୃଦ୍ଧି ଘଟିଛି ।

ପୂର୍ବରୁ ରିଜର୍ଭ ବ୍ୟାଙ୍କ କହିଥିଲା ଯେ, ଏବେ ମହଙ୍ଗା ଦର ଅଧିକ ରହିବ । ତୃତୀୟ ତ୍ରୈମାସିକରେ ଖୁଚୁରା ମହଙ୍ଗା ୬.୮ ପ୍ରତିଶତ ରହିବ ବୋଲି ଆରବିଆଇ ଅନୁମାନ କରିଛି । ଗତ କିଛି ଦିନ ଧରି ଖୁଚୁରା ମହଙ୍ଗା ଦର ୪ ପ୍ରତିଶତରୁ ଉପରେ ରହିଛି । ତେବେ ମାର୍ଚ୍ଚ ପରେ ଜିଡିପିରେ ସାମାନ୍ୟ ସୁଧାର ଆସିବ । ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଜିଡିପିରେ ୭.୫ ପ୍ରତିଶତ ହ୍ରାସ ପାଇଥିବା ବେଳେ ପ୍ରଥମ ତ୍ରୈମାସିକରେ ୨୩.୯ ପ୍ରତିଶତ ହ୍ରାସ ପାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.