ସବୁଜ ସଙ୍କେତରେ ସେୟାର ବଜାର : ସେନସେକ୍ସ ୨୦୮ ପଏଣ୍ଟ ବୃଦ୍ଧି, ଏଜିଏମ ପୂର୍ବରୁ ହ୍ରାସ ପାଇଲା ରିଲାଏନ୍ସ ସେୟାର ମୂଲ୍ୟ

Published By : Prameya-News7 Bureau | June 24, 2021 IST

ନୂଆଦିଲ୍ଲୀ ୨୪/ ୦୬ : ସେୟାର ବଜାରରେ କାରବାର ଗୁରୁବାର ସବୁଜ ସଙ୍କେତ ସହ ଆରମ୍ଭ ହୋଇଛି । ଆଜି ରିଲାଏନ୍ସ ଶିଳ୍ପର ଏଜିଏମ ଥିବାରୁ ସେୟାର ବଜାରରେ କାରବାର ସାମାନ୍ୟ ଧିମା ରହିଥିଲା । ସକାଳୁ ବମ୍ବେ ଷ୍ଟକ୍  ଏକ୍ସଚେଞ୍ଜର ସେନସେକ୍ସ ୨୦୮ ଅଙ୍କ ବୃଦ୍ଧି ପାଇ ୫୨,୫୧୪.୫୭ରେ ଆରମ୍ଭ ହୋଇଥିଲା । ସକାଳ ୯.୩୦ ପାଖାପାଖି ସେନସେକ୍ସ ପୁଣି ପ୍ରାୟ ୨୪୦ ଅଙ୍କ ବୃଦ୍ଧି ପାଇ ୫୨,୫୪୫.୧୯ରେ ପହଞ୍ଚିଯାଇଥିଲା ।

ସେହିଭଳି ନେସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍‌ଟି ଗୁରୁବାର ୫୧ ଅଙ୍କ ବୃଦ୍ଧି ପାଇ ୧୫,୭୩୭.୩୦ ପଏଣ୍ଟରେ ଆରମ୍ଭ ହୋଇଥିଲା । କାରବାର ସମୟରେ ନିଫ୍ଟି ୧୫,୭୬୦.୩୫ ପଏଣ୍ଟ ଛୁଇଁଥିଲା । ବିଭିନ୍ନ ସେୟାରମାନଙ୍କ ମଧ୍ୟରୁ ଟିସିଏସ୍, JSW ଷ୍ଟିଲ, ଇନଫୋସିସ୍ର ସେୟାର ମୂଲ୍ୟ ବୃଦ୍ଧି ପାଇଛି । ସେହିଭଳି L & T, ଟେକ୍ ମହିନ୍ଦ୍ରା, ଇଣ୍ଡସଇଣ୍ଡ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଟାଟା ଷ୍ଟିଲ ସେୟାରରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି । ବଜାଜ ଅଟୋ ଏବଂ ଏସିଆନ ପେଣ୍ଟସ୍‌ର ସେୟାର ଲାଲ ସଙ୍କେତରେ ରହିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିର ସେୟାର ମୂଲ୍ୟ ୯ଟଙ୍କା ବୃଦ୍ଧି ପାଇ ୨୨୧୪.୮୦ରେ ଖୋଲିଥିଲା । କିନ୍ତୁ ପରେ ଏହା ରେଡ୍ ମାର୍କକୁ ଖସିଆସିଥିଲା । ସକାଳ ୧୦.୨୦ ସୁଦ୍ଧା ରିଲାଏନ୍ସ ସେୟାର ୧୪ ଟଙ୍କା ହ୍ରାସ ପାଇ ୨୧୯୧ ଯାଏଁ ଖସିଆସିଥିଲା । ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୪ ତମ ବାର୍ଷିକ ସାଧାରଣ ସଭା ଅଛି । ଏଥିରେ ରିଲାଏନ୍ସ ଜିଓ ଦ୍ବାରା 5G ସେବା ଆରମ୍ଭ ହେବା ଭଳି କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇପାରେ ।

ଏହା ପୂର୍ବରୁ ବୁଧବାର ସେୟାର ବଜାରରେ କାରବାର ଆରମ୍ଭ ସକାରାତ୍ମକ ରହିଥିଲା । କିନ୍ତୁ ପରେ ସେୟାର ବଜାରରେ କାରବାର ଏକଦମ ଧିମା ପଡିଯାଇଥିଲା । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ୩୨୪ ଅଙ୍କ ବୃଦ୍ଧି ପାଇ ୫୨,୯୧୨.୩୫ରେ ଖୋଲିଥିଲା । କିନ୍ତୁ ସକାଳ ୧୦.୧୦ ସମୟରେ ସେୟାର ବଜାର ଲାଲ ସଙ୍କେତକୁ ଖସିଆସିଥିଲା । ଅପରାହ୍ନ ୩.୧୦​‌ ବେଳକୁ ସେନସେକ୍ସ ୩୨୪ ଅଙ୍କ ଖସି ୫୨,୨୬୪.୧୨ ରେ ପହଞ୍ଚିଯାଇଥିଲା । କାରବାର ଶେଷ ବେଳକୁ ସେନସେକ୍ସ ୨୮୨.୬୩ ଅଙ୍କ ଖସି ୫୨,୩୦୬.୦୮ରେ ବନ୍ଦ ହୋଇଥିଲା । ସେହିପରି ନିଫ୍ଟି କାରବାର ୯୦ ପଏଣ୍ଟ ବୃଦ୍ଧି ପାଇ ୧୫,୮୬୨.୮୦ରେ ଖୋଲିଥିଲା । କାରବାର ସମୟରେ ଏଥିରେ ୯୯ ପଏଣ୍ଟ ଖସି ୧୫,୬୭୩.୯୫କୁ ଖସି ଆସିଥିଲା । କାରବାର ଶେଷ ବେଳକୁ ନିଫ୍ଟି ୮୫.୮୦ପଏଣ୍ଟ ଖସି ୧୫,୬୮୬.୯୫ରେ ବନ୍ଦ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.