ବାଇଡେନ୍ ବନିଲେ ସେୟାର ବଜାର ବୁଷ୍ଟର, ଜାଣନ୍ତୁ କାହିଁକି ରେକର୍ଡ ଭାଙ୍ଗିଲା ସେନ୍‌ସେକ୍ସ

Published By : Prameya-News7 Bureau | January 21, 2021 IST

ନୂଆଦିଲ୍ଲୀ, ୨୧/୦୧: ଭାରତୀୟ ସେୟାର ବଜାର ଗୁରୁବାର ଇତିହାସ ରଚିଛି । ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜରେ ସେନ୍‌ସେକ୍ସ ପ୍ରଥମ ଥର ପାଇଁ ୫୦ ହଜାର ପାର କରିଛି । ସେୟାର ବଜାର ଆଜି ସେନ୍ସେକ୍ସ ୫୦,୦୯୬.୫୭ ପଏଣ୍ଟରେ ଏବଂ ନିଫ୍ଟି ୧୪,୭୩୦ ପଏଣ୍ଟରେ ଖୋଲିଛି । ଆମେରିକାରେ ଜୋ ବାଇଡେନ ବୁଧବାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି । ଏହା ସହ ଆମେରିକାରେ ବାଇଡେନ୍ ଯୁଗର ଆରମ୍ଭ ହୋଇଛି । ଏହି ପରିବର୍ତ୍ତନକୁ ସାରା ବିଶ୍ୱର ନଜର ରହିଥିଲା । ବାଇଡେନ୍ ଶପଥ ନେବା ପରେ ଟ୍ରମ୍ପଙ୍କ କେତେକ ନୀତିକୁ ବଦଳାଇ ଦେଇଥିଲେ ଏବଂ ଐତିହାସିକ ପଦକ୍ଷେପ ନେଇଥିଲେ । ଯାହାକି ଭାରତୀୟ ନିବେଶକଙ୍କ ଉପରେ ପ୍ରଭାବ ପକାଇଥିଲା ।
୨ ବର୍ଷରେ ୧୦ ହଜାର ପଏଣ୍ଟ
୧୯୯୯ ମସିହାରେ ପ୍ରଥମ ଥର ପାଇଁ ସେନ୍ସେକ୍ସ ୫ ହଜାର ପଏଣ୍ଟରେ ପହଞ୍ଚିଥିଲା । ଏହାର ୮ ବର୍ଷ ପରେ ୨୦ ହଜାର ପଏଣ୍ଟ ପାର କରିଥିଲା ଏବଂ ୧୨ ବର୍ଷ ପରେ ୪୦ ହଜାର ଅଙ୍କରେ ପହଞ୍ଚିଥିଲା । କିନ୍ତୁ ପୂର୍ବ ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ଏଥିରେ ୧୦ ହଜାର ପଏଣ୍ଟ ବୃଦ୍ଧି ହୋଇ ସେନ୍ସେକ୍ସ ୫୦ ହଜାର ପାର କରିଦେଇଥିଲା ।
ପ୍ରଭାବିତ ସେକ୍ଟର
ବିଏସ୍‌ଇରେ ଆଜି ପ୍ରାୟ ସବୁ ସେକ୍ଟରରେ ଉତ୍ସାହ ଦେଖିବାକୁ ମିଳିଥିଲା । କାରବାର ଆରମ୍ଭରୁ ଅଟୋ, କ୍ୟାପଟଲ୍ ଗୁଡ୍ସ, କନ୍ଜ୍ୟୁମର ଡ୍ୟୁରେବଲ୍ସ୍, ଏଫ୍ଏମ୍ସିଜି, ଫାର୍ମା, ଆଇଟି, ମେଟାଲ୍, ଅଏଲ୍ ଏବଂ ଗ୍ୟାସ୍, ପିଏସ୍ୟୁ ଏବଂ ଟେକ୍ ସେକ୍ଟରରେ ଭଲ ଉତ୍ସାହ ରହିଥିଲା ।
ଏହି ଷ୍ଟକ୍ ଗୁଡ଼ିକରେ ବୃଦ୍ଧି
ଆଜି ଟାଟା ମୋଟର୍ସ, ୟୁପିଏଲ୍, ୱିପ୍ରୋ, ବାଜାଜ୍ ଫିନ୍ସର୍ଭ, ବାଜାଜ୍ ଫାଇନାନ୍ସ, ବାଜାଜ ଅଟୋ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଏଚ୍ସିଏଲ୍ ଟେକ୍ନୋଲୋଜିର ଷ୍ଟକ୍ ରେ ୩.୬୯ ପ୍ରତିଶତ ବଢ଼ିଥିବା ଦେଖିବାକୁ ମିଳୁଛି । ସେହିପରି ଏଚ୍ଡିଏଫ୍ସି, ଟିସିଏସ୍, ଆଦାନୀ ପୋଟର୍ସ ଆଣ୍ଡ ଏସ୍ଇଜେଡ୍, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ ନେସଲେ ଇଣ୍ଡିଆର ଷ୍ଟକ୍ର ମୂଲ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳିଛି ।

ଏହି ସପ୍ତାହର ତୃତୀୟ ଦିନ ଅର୍ଥାତ ବୁଧବାର କାରବାରର ଆରମ୍ଭ ସେନ୍ସେକ୍ସରେ ୧୧୦ ପଏଣ୍ଟ ଉତ୍ସାହର ସହ ୪୯,୫୦୮.୭୯ ଅଙ୍କରେ ଏବଂ ନିଫ୍ଟିରେ ୧୭ ପଏଣ୍ଟ ବୃଦ୍ଧି ହୋଇ ୧୪, ୫୩୮ ଅଙ୍କରେ ହୋଇଥିଲା । ସେହିପରି ଶେଷ ବେଳକୁ ୩୯୩.୮୩ ପଏଣ୍ଟ ବୃଦ୍ଧି ହୋଇ ସେନ୍ସେକ୍ସ ୪୯,୭୯୨ ଏବଂ ନିଫ୍ଟିରେ ୧୨୩ ଅଙ୍କ ବୃଦ୍ଧି ହୋଇ ୧୪, ୬୪୪ ପଏଣ୍ଟରେ ମାର୍କେଟ୍ ବନ୍ଦ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.