ଧିମା କାରବାରରୁ ଖୋଲିଲା ସେୟାର ବଜାର, ତଳକୁ ଖସିଲା ସେନସେକ୍ସ ଓ ନିଫ୍ଟି

Published By : Prameya-News7 Bureau | January 27, 2021 IST

ମୁମ୍ୱାଇ, ୨୭/୧: ସାଧାରଣତନ୍ତ୍ର ଦିବସର ଛୁଟି ପରେ ବୁଧବାର ସକାଳେ ଧିମା ଗତିରେ ସେୟାର ମାର୍କେଟ୍ ଖୋଲିଛି । ମାର୍କେଟ୍ ଖୋଲିବା ପରେ କାରବାରରେ ପାଖାପାଖି ସାଢ଼େ ଦଶଟା ସମୟରେ ସେନସେକ୍ସ ଓ ନିଫ୍ଟିରେ ହ୍ରାସ ଦେଖିବାକୁ ମିଳିଥିଲା । ବୁଧବାର ଦିନ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୪୮ ହଜାର ୩୮୫.୨୮ ଅଙ୍କରେ ଖୋଲିଛି । ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୪ ହଜାର ୨୩୭.୯୫ ଅଙ୍କରେ ଖୋଲିଥିଲା । ପୂର୍ବ କାରବାର ଦିନ ସେନ୍ ସେକ୍ସ ୪୮,୩୪୭.୫୯ ପଏଣ୍ଟ ଏବଂ ନିଫ୍ଟି ୧୪,୨୩୮.୯୦ ପଏଣ୍ଟରେ ବନ୍ଦ ହୋଇଥିଲା ।

ସକାଳ କାରବାରରେ ସେନସେକ୍ସ ଏବଂ ନିଫ୍ଟି ଉଭୟରେ ହ୍ରାସ ପାଇଥିଲା । ୧୦.୩୦ ସମୟରେ ସେନସେକ୍ସରେ ୩୯୮.୮୪ ହ୍ରାସ ଘଟି ୪୭,୯୪୮.୭୫ରେ ପହଞ୍ଚିଥିଲା । ସେହିପରି ନିଫ୍ଟିରେ ୧୦୫.୭୦ ଅଙ୍କ ହ୍ରାସ ପାଇ ୧୪,୧୩୩.୨୦ ଅଙ୍କରେ ରହିଥିଲା । ଆଜି ସେନସେକ୍ସର ୩୦ଟି ବଡ଼ କମ୍ପାନୀରୁ ମାତ୍ର ୧୦ଟି କମ୍ପାନୀର ସେୟାର ମୂଲ୍ୟରେ ବୃଦ୍ଧି ହୋଇଥିବା ବେଳେ ବାକି ୨୦ ଟିରେ ହ୍ରାସ ଦେଖିବାକୁ ମିଳିଛି ।

ନିଫ୍ଟିର ମଧ୍ୟ ସମାନ ଅବସ୍ଥା ରହିଛି । ୫୦ଟି କମ୍ପାନୀ ମଧ୍ୟରୁ ୩୪ଟି କମ୍ପାନୀର ସେୟାର ମୂଲ୍ୟରେ ହ୍ରାସ ପାଇଛି । ସେନସେକ୍ସ ଆଜି ଟେକ୍ ମହିନ୍ଦ୍ରା ଅଧିକ ଲାଭରେ ଥିବା ଦେଖିବାକୁ ମିଳିଛି । ଏହାର ମୂଲ୍ୟରେ ପାଖାପାଖି ୨ ପ୍ରତିଶତ ବୃଦ୍ଧି ହୋଇଛି । ସେହିପରି ନିଫ୍ଟିରେ ୱିପ୍ରୋର ସେୟାରରେ ଅଧିକ ବୃଦ୍ଧି ହୋଇଛି । ଏଥିରେ ୩.୫୮ ପ୍ରତିଶତ ବୃଦ୍ଧି ହୋଇଛି । ହିନ୍ଦୁସ୍ତାନ ୟୁନିଲିଭରର ସେୟାର ସେନସେକ୍ସରେ ଅଧିକ କ୍ଷତି ସହିଥିବା ବେଳେ ନିଫ୍ଟିରେ ଶ୍ରୀ ସିମେଣ୍ଟର ସେୟାରରେ କ୍ଷତି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.