ଟ୍ରମ୍ପଙ୍କୁ କରୋନା ଖବରରେ ସାରା ବିଶ୍ୱର ସେୟାର ବଜାର ପ୍ରଭାବିତ, ଖସିଲା ଅନେକ ପ୍ରମୁଖ ବଜାରର ସୂଚକାଙ୍କ

Published By : Prameya-News7 Bureau | October 02, 2020 IST

ନ୍ୟୁୟର୍କ, ୦୨ ।୧୦:   ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନର ଠିକ୍ ମାସେ ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଟ୍ରମ୍ପ ପଜିଟିଭ୍ ଚିହ୍ନଟ ହେବା ପରେ ବିଶ୍ୱ ସେୟାର ବଜାରରେ ଏହାର ପ୍ରଭାବ ପଡିଛି । ୟୁରୋପୀୟ ସେୟାର ମାର୍କେଟ୍ ଟ୍ରମ୍ପ ସଂକ୍ରମିତ ହେବା ପରେ ଖସିଛି । ଏପରିକି ଏସିଆର କିଛି ଷ୍ଟକ ମାର୍କେଟର ଭାଲ୍ୟୁ ମଧ୍ୟ ହ୍ରାସ ପାଇଛି ।

ଏହି ଦୁଇ ବୃହତ ସେୟାର ମାର୍କେଟରେ ମାନ୍ଦାବସ୍ଥା ପରେ ନିବେଶକମାନେ ନିଜ ସେୟାରକୁ ଅନ୍ୟସ୍ଥାନରେ ନିବେଶ କରିଛନ୍ତି । ଲଣ୍ଡନର ଏଫଟିଏସଇ ୧୦୦ ୦.୬ ପ୍ରତିଶତ ହ୍ରାସ ପାଇଥିବା ବେଳେ ୫୪୮୬ ପଏଁଣ୍ଟ ତଳକୁ ଖସିଥଛି । ସେହିପରି ୟୁରୋପ ଓ୍ୱାଇଡ୍ ଷ୍ଟକ୍ ମାର୍କେଟ୍ ୬୦୦ ଇଣ୍ଡେକ୍ସ ହ୍ରାସ ପାଇଛି ।

ଏତତ୍ ବ୍ୟତୀତ ଆମେରିକା ଷ୍ଟକ ମାର୍କେଟର ଭବିଷ୍ୟତ ଦର କମିଛି । ଏଥିରେ ୫୦୦ ପଏଁଣ୍ଟ ହ୍ରାସ ପାଇଥିବା ବେଳେ ଡୋ ଜନ୍ସ ଇଣ୍ଡଷ୍ଟ୍ରିଆଲର ହାରାହାରି କ୍ଷତି ୧.୨ ପ୍ରତିଶତ ହୋଇଛି । ଏହି ହ୍ରାସ ସହ ୟୁଏସ ଷ୍ଟକ ମାର୍କେଟ୍ ବନ୍ଦ ହୋଇଛି ।

ବିଶେଷଜ୍ଞଙ୍କ କହିବାନୁସାରେ, ଟ୍ରମ୍ପ ପଜିଟିଭ୍ ଚିହ୍ନଟ ହେବା ପରେ ସେୟାର ମାର୍କେଟରେ ଏପରି ସ୍ଥିତି ଦେଖିବାକୁ ମିଳିଛି । ତେବେ ସେ ସୁସ୍ଥ ହେବା ପରେ ଏଥିରେ ବୃଦ୍ଧି ପରିଲକ୍ଷିତ ହେବ ।

ସୋସାଇଟି ଜେନାରଲର ବୈଦେଶିକ ବିନିମୟ ବିଭାଗର ମୁଖ୍ୟ କିଟ୍ ଜୁକେସ୍ କହିଛନ୍ତି ଯେ, ଟ୍ରମ୍ପ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏପରିକି ଆମେରିକା ନିର୍ବାଚନରେ ବିଭିନ୍ନ ସର୍ଭେରେ ଡେମୋକ୍ରାଟିକ୍ ନୋମିନି ଜୋ ବିଡେନ ଆଗରେ ରହୁଥିବା ଦେଖିବାକୁ ମିଳିଛି । ଏହାର ପ୍ରଭାବ ସେୟାର ମାର୍କେଟ ଉପରେ ପଡିଛି । ଧିରେ ଧିରେ ଏଥିରେ ସୁଧାର ଆସିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.