ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଶାର୍ଦ୍ଦୁଳ ଠାକୁରଙ୍କୁ ମିଳିପାରେ ସୁଯୋଗ ! ଜାଣନ୍ତୁ କଣ କହିଲେ ଏହି ପୂର୍ବତନ ଚୟନକର୍ତ୍ତା

Published By : Prameya-News7 Bureau | June 11, 2021 IST

ନୂଆଦିଲ୍ଲୀ ୧୧/ ୦୬ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ମ୍ୟାଚ୍ ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି । ଜୁନ ୧୮ ରୁ ୨୨ ଯାଏଁ ହେବାକୁ ଥିବା ଫାଇନାଲ ପାଇଁ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଟିମ ଇଂଲଣ୍ଡରେ ପହଞ୍ଚିସାରିଛନ୍ତି । ବର୍ତ୍ତମାନ ଉଭୟ ଦଳ ପ୍ଲେଇଂ ଇଲେଭେନ ପାଇଁ ମନ୍ଥନ ଜାରି ରଖିଛନ୍ତି । ଭାରତର ଏକାଦଶକୁ ନେଇ ଅନେକ ପୂର୍ବତନ କ୍ରିକେଟର ନିଜର ମତ ମଧ୍ୟ ଦେଇସାରିଛନ୍ତି । ବର୍ତ୍ତମାନ ଭାରତୀୟ ଦଳର ପୂର୍ବତନ ଚୟନକର୍ତ୍ତା ସରନଦୀପ ସିଂ ଏହା ଉପରେ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି ଭାରତୀୟ ଦଳ ଫାଇନାଲ ମ୍ୟାଚରେ ୪ ଜଣ ଦୃତ ବୋଲରଙ୍କୁ ନେଇ ପଡିଆକୁ ଓଲ୍ଲାଏ ତେବେ ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସାମିଲ କରିବା ଫାଇଦା ହେବ ।


ସରନଦୀପ କହିବା କଥା ଯେ, ଟିମ ଇଣ୍ଡିଆ ନ୍ୟଜିଲାଣ୍ଡ ବିପକ୍ଷ ଫାଇନାଲ ମ୍ୟାଚରେ ୩ ଜଣ ପେସ ବୋଲର ଏବଂ ୨ ଜଣ ସ୍ପିନ ବୋଲରଙ୍କୁ ନେଇ ପଡିଆକୁ ଓଲ୍ଲାଇ ପାରେ । ଯଦି ଦଳରେ ୪ ଜଣ ଦୃତ ବୋଲରଙ୍କୁ ସାମିଲ କରାଯାଏ ତେବେ ମହମ୍ମଦ ସିରାଜଙ୍କ ବଦଳରେ ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସାମିଲ କରାଯିବା ଉଚିତ ହେବ । ଶାର୍ଦ୍ଦୁଳ ବୋଲିଂ କରିବା ସହିତ ଆବଶ୍ୟକ ପଡିଲେ ବ୍ୟାଟିଂ ମଧ୍ୟ କରିପାରିବେ । ଯାହାକି ଅଷ୍ଟ୍ରେଲିଆ ଗସ୍ତରେ ପ୍ରମାଣିତ ହୋଇଥିଲା । ଏହା ସହିତ ମହମ୍ମଦ ସିରାଜଙ୍କ ବୋଲିଂଙ୍କୁ ମଧ୍ୟ ଖୁବ ପ୍ରଶଂସା କରିଛନ୍ତି ସରନଦୀପ ସିଂହ ।


ସରନଦୀପ ସିଂ କହିଛନ୍ତି ଯେ ଯଦି ଭାରତ ଦୁଇ ସ୍ପିନରଙ୍କୁ ନେଇ ଖେଳେ ତେବେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ରବିନ୍ଦ୍ର ଜାଡେଜା ଖେଳିବା ନିଶ୍ଚିତ। ଏହା ବ୍ୟତୀତ ଯଦି ଭାରତ ଚାରିଜଣ ଦ୍ରୁତ ବୋଲର ଖେଳାଏ, ତେବେ ଅଶ୍ୱିନ୍ କିମ୍ବା ଜାଡେଜାଙ୍କ ମଧ୍ୟରୁ ଜରକୁ ହିଁ ସୁଯୋଗ ମିଳିପାରେ । ସରନଦୀପ କହିଛନ୍ତି ଯେ ଯଦି ଏହା ଘଟେ ତେବେ ଜାଡେଜାଙ୍କୁ ବାହାରେ ବସିବାକୁ ପଡ଼ିପାରେ । ସେ କହିଛନ୍ତି ଯେ ଅଶ୍ୱିନ ଇଂଲଣ୍ଡ ମାଟିରେ ଭଲ ପ୍ରଦର୍ଶନ କରିପାରିବେ।


ଏହାପୂର୍ବରୁ ଭାରତର ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ଶାର୍ଦ୍ଦୁଳ ଠାକୁରଙ୍କୁ ପ୍ରଶଂସା କରିଥିଲେ। ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ଭାବରେ ସେ ଶାର୍ଦ୍ଦୁଳଙ୍କ ନାଁକୁ ସାମିଲ କରିଥିଲେ । ସୂଚନାଯୋଗ୍ୟ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପରେ ଭାରତୀୟ ଦଳ ଇଂଲଣ୍ଡ ସହ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଆହତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟେଷ୍ଟ ସିରିଜରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.