ଶରଦ ପାଓ୍ୱାର ଦେଖାଇଲେ ଏମିତି ପାଓ୍ୱାର , ଢିଲା ପଡିଗଲା ଅଜିତ୍‌ଙ୍କ ଚାତୁରୀ

Published By : Prameya-News7 Bureau | November 26, 2019 IST

ମୁମ୍ବଇ ୨୬।୧୧ - ମହାରାଷ୍ଟ୍ର ରାଜନୀତିରେ ମହା ନାଟକ ଦେଖିବାକୁ ମିଳିଛି । ଏନ୍‌ସିପି ନେତା ଅଜିତ୍‌ ପାଓ୍ୱାରଙ୍କ ସମର୍ଥନରେ ବିଜେପି ସରକାର ଗଠନ କରିଥିଲା । ଅଜିତ୍‌ ପାଓ୍ୱାର ଉପ ମୁଖ୍ୟମନ୍ତ୍ରୀ ଓ ଦେବେନ୍ଦ୍ର ଫଡନାଭିସ୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ବଡ ନାଟକୀୟ ଢଙ୍ଗରେ ଏହି ସବୁ ଘଟଣା ଘଟିଥିଲା। କାହାକୁ ଏ ବିଷୟରେ ସାମାନ୍ୟ ସୂଚନା ବି ମିଳି ନଥିଲା ।

ହେଲେ ସୁପ୍ରିମକୋର୍ଟ ବୁଧବାରରେ ଫ୍ଲୋର ଟେଷ୍ଟ ବା ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ମତଦାନ କରିବାକୁ ନିର୍ଦଶ ଦେବାରୁ ପୁଣି ଆଉ ଏକ ଘଟଣା ଦେଖିବାକୁ ମିଳିଥିଲା । ଅଜିତ୍‌ ପାଓ୍ୱାର ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ପଦରୁ ଦେବେନ୍ଦ୍ର ଫଡନାଭିସ୍‌ ଇସ୍ତଫା ଦେଇଥିଲେ ।


ମାତ୍ର ଏହା ଭିତରେ ଶରଦ ପାଓ୍ୱାର ଓ ଅଜିତ୍‌ ପାଓ୍ୱାରଙ୍କ ମଧ୍ୟରେ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଶରଦ ପାଓ୍ୱାର ଏମିତି ପାଓ୍ୱାର ଦେଖାଇଲେ ଯେ ଅଜିତ୍‌ ପାଓ୍ୱାର ପାଓ୍ୱାର କମ୍‌ ପଡିଗଲା । ସେ ବାଧ୍ୟ ହୋଇ ନିଜ ପଦରୁ ଇସ୍ତଫା ଦେଇ ପୁଣି ଶରଦଙ୍କ ପାଖକୁ ଫେରିଲେ ।

ଫଡନାଭିସ୍‌ ଇସ୍ତଫା ଦେବାପରେ ଶିବସେନା , କଂଗ୍ରେସ ଓ ଏନ୍‌ସିପିର ସରକାର ଗଠନ ହେବା ପାଇ ରାସ୍ତା ପରିଷ୍କାର ହୋଇଯାଇଛି । ମାତ୍ର ଏବେ ଏକ ପ୍ରଶ୍ନ ଉଠିଛି । ଫଡନାଭିସ୍‌ଙ୍କ ସରକାର ମାତ୍ର ୮୦ ଘଣ୍ଟା ତିଷ୍ଟି ରହିପାରିଲା । ଅଜିତ୍‌ ପାଓ୍ୱାର ଏନ୍‌ସିପି ବିଧାୟକଙ୍କ ସମର୍ଥନ ପାଇବା ପାଇଁ ଯେଉଁ ଚେଷ୍ଟା କରିଥିଲେ ସେଥିରେ ସଫଳ ହୋଇ ପାରିଲେ ନାହିଁ । ଏଥିରେ ଏନ୍‌ସିପର ସଞ୍ଜୟ ମୁଣ୍ଡେଙ୍କ ସମର୍ଥନ ମିଳିଥିଲା । ମାତ୍ର ସଞ୍ଜୟ ବି ଶରଦ ପାଓ୍ୱାରଙ୍କ ପଟକୁ ଢଳିଛନ୍ତି ।

ନିଜର ୫୦ ବର୍ଷର ରାଜନୈତିର ଅଭିଜ୍ଞତାରୁ ଶରଦ ପାଓ୍ୱାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଅଜିତ୍‌ଙ୍କ ପଟକୁ ଯାଇଥିବା ବିଧାୟକମାନଙ୍କୁ ନିଜ ପଟକୁ ଆଣିବାରେ ସକ୍ଷମ ହୋଇଥିଲେ । ଏହାପରେ ପାର୍ଟି ଛାଡିବାର ସମ୍ଭାବନା ଥିବା ସମସ୍ତ ନେତାଙ୍କ ଉପରେ ଶରଦ ପାଓ୍ୱାର ନଜର ରଖିଥିଲେ। ସେମାନଙ୍କୁ ପ୍ରତି ୩ ଘଣ୍ଟାର ହାଜିରା ଲଗାଇବା ପାଇଁ ନିର୍ଦେଶ ଦିଆଯାଇଥିଲା । ନିଖୋଜ ହୋଇଯାଇଥିବା ବିଧାୟକମାନଙ୍କୁ ଏନ୍‌ସିପିର କାର୍ଯ୍ୟକର୍ତ୍ତା ଖୋଜିଆଣିଥିଲେ ।

ଶରଦ ପାଓ୍ୱାର ନିଜ ଅଭିଜ୍ଞତାରୁ ପାର୍ଟି ଛାଡିବାପାଇଁ ପ୍ରସ୍ତୁତ ହୋଇଥିବା ୧୫ ଜଣ ବିଧାୟକଙ୍କୁ ନିଜ ସପକ୍ଷକୁ ଆଣିପାରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.