କୃଷକ ଆନ୍ଦୋଳନ ନେଇ ସରକାରଙ୍କୁ ଶରଦ ପାଓ୍ଵାରଙ୍କ ଚେତାବନୀ, କହିଲେ- ଶୀଘ୍ର ସମାଧାନ ନହେଲେ ସାରା ଦେଶର କୃଷକ ହଡତାଳରେ ସାମିଲ ହେବେ

Published By : Prameya-News7 Bureau | December 06, 2020 IST

ମୁମ୍ବାଇ ୦୬।୧୨: କେନ୍ଦ୍ର ସରକାରଙ୍କ ସହିତ ପଞ୍ଚମ ପର୍ଯ୍ୟାୟ ଆଲୋଚନା ଅସଫଳ ହେବା ପରେ କୃଷକ ଏବେ ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଅନେକ ରାଜନୈତିକ ଦଳ ବନ୍ଦ ଡାକରାକୁ ସମର୍ଥନ ଜଣାଇଥିବା ବେଳେ ଅନେକ ନେତା କୃଷକ ଆନ୍ଦୋଳନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହା ମଧ୍ୟରେ ଏନସିପି ଅଧ୍ୟକ୍ଷ ଶରଦ ପାଓ୍ଵାରଙ୍କ କହିବା କଥା ଯଦି ଏହାର ଶୀଘ୍ର ସମାଧାନ କରାନଯାଏ ତେବେ ସମଗ୍ର ଦେଶର କୃଷକ ପଞ୍ଜାବ-ହରିୟାଣା କୃଷକଙ୍କ ସହିତ ଆନ୍ଦୋଳନରେ ସାମିଲ ହୋଇଯିବେ।

ଶରଦ ପାଓ୍ଵାର କହିଛନ୍ତି, ପଞ୍ଜାବ ଓ ହରିୟାଣାର କୃଷକ ଗହମ ଓ ଧାନର ମୁଖ୍ୟ ଉତ୍ପାଦକ ଅଟନ୍ତି ଏବଂ ବର୍ତ୍ତମାନ ସେମାନେ ଆନ୍ଦୋଳନ କରୁଛନ୍ତି। ଯଦି ସମସ୍ୟାର ସମାଧାନ କରାନଯାଏ ତେବେ ଖୁବ୍ ଶୀଘ୍ର ସାରା ଦେଶର କୃଷକ ଏହି ଆନ୍ଦୋଳନରେ ସାମିଲ ହୋଇଯିବେ। ଯେବେ ବିଧେୟକ ଗୃହୀତ ହେଉଥିଲା ସେହି ସମୟରେ ମଧ୍ୟ ଆମେ ସରକାରଙ୍କୁ ନିବେଦନ କରିଥିଲୁ ଯେ, ଏଥିରେ ଏତେ ତର ତର ହେବାର ଆବଶ୍ୟକତା ନାହିଁ।

କୃଷି ଆଇନକୁ ନେଇ ସେ କହିଛନ୍ତି, ବିଧେୟକକୁ ଚୟନ କମିଟି ପାଖକୁ ପଠାଇବାର ଥିଲା ଏବଂ ଆଲୋଚନାର ଆବଶ୍ୟକତା ଥିଲା। ମାତ୍ର ଏମିତି ନକରି ବିଲ୍‌ ପାରିତ କରି ଦିଆଗଲା। ଏବେ ସରକାରଙ୍କୁ ଏହି ତରବରିଆ ନୀତି ମହଙ୍ଗା ପଡୁଛି।

ଏହା ପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ)ର ଅଧ୍ୟକ୍ଷ କେ.ଚନ୍ଦ୍ରଶେଖର ରାଓ କୃଷକଙ୍କ ଭାରତ ବନ୍ଦ ଆନ୍ଦୋଳନକୁ ସମର୍ଥନ ଦେଇଛନ୍ତି। ସେ କହିଛନ୍ତି, ଯେ ପର୍ଯ୍ୟନ୍ତ ସରକାର କୃଷି ଆଇନକୁ ରଦ୍ଦ କରି ନାହାନ୍ତି ସେ ପର୍ଯ୍ୟନ୍ତ ଲଢେଇ ଜାରି ରଖିବାର ଆବଶ୍ୟକତା ରହିଛି।

କଂଗ୍ରେସ ମଧ୍ୟ ଡିସେମ୍ବର ୮ରେ କୃଷକଙ୍କ ଦ୍ଵାରା ଆହୂତ ଭାରତ ବନ୍ଦ ଡାକରାକୁ ସମର୍ଥନ ଘୋଷଣା କରିଛି। ଏହା ବ୍ୟତୀତ ବାମପନ୍ଥୀ ଦଳ ମଧ୍ୟ ଭାରତ ବନ୍ଦକୁ ଖୋଲା ସମର୍ଥନ ଦେଇଛି। ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ, ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି), ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ), ରାଷ୍ଟ୍ରୀୟ ଲୋକଦଳ(ଆରଏଲଡି) ମଧ୍ୟ ଦେଶବ୍ୟାପୀ ଭାରତ ବନ୍ଦର ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଆମ୍ ଆଦମୀ ପାର୍ଟି ମଧ୍ୟ ବନ୍ଦର ସମର୍ଥନ ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.