ଛିଣ୍ଡିଲାନି ଆସନ ବୁଝାମଣା: ବିହାରରେ ଏକା ଲଢିବ ଶରଦ ପାଓ୍ଵାରଙ୍କ ଏନସିପି, ୧୫୦ ଆସନରେ ଦେବ ପ୍ରାର୍ଥୀ

Published By : Prameya-News7 Bureau | October 09, 2020 IST

ମୁମ୍ବାଇ ୦୯।୧୦: ବିହାର ବିଧାନସଭା ନିର୍ବାଚନକୁ ରାଜନୀତି ସରଗରମ ହୋଇ ଉଠିଛି।  ନୂତନ ମେଣ୍ଟ ଗଠନ ହେବା ସହ ଟିକେଟ୍ ବଣ୍ଟା ନେଇ ଦଳଗୁଡିକ ମଧ୍ୟରେ କସରତ ଜାରି ରହିଛି। ଏହା ମଧ୍ୟରେ ଗ୍ରାଣ୍ଡ ଆଲିଆନ୍ସ ସହ ଆସନ ବୁଝାମଣା ନେଇ କୌଣସି ନିଷ୍କର୍ସ ନବାହାରିବାକୁ ଅସନ୍ତୁଷ୍ଟ ନ୍ୟାସନାଲ କଂଗ୍ରେସ ପାର୍ଟି(ଏନସିପି) ନିର୍ବାଚନ ଏକା ଲଢିବାକୁ ନିଷ୍ପତ୍ତି ନେଇଛି। ଦଳ ବିହାର ବିଧାନସଭା ନିର୍ବାଚନରେ ମୋଟ୍ ୨୪୩ ଆସନରୁ ୧୫୦ଟି ଆସନରେ ନିର୍ବାଚନ ଲଢିବାକୁ ଘୋଷଣା କରିଛି। ଦଳ ପ୍ରଥମ ପର୍ଯ୍ୟାୟରେ ୭୧ ଆସନରେ ହେବାକୁ ମତଦାନ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

ବିହାର ନିର୍ବାଚନରେ ଦାୟିତ୍ଵରେ ଥିବା ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଫୁଲ ପଟେଲଙ୍କ ସହ ଆଲୋଚନା ପରେ ବାକି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ରାଜ୍ୟ ଏନସିପି ମିଡିଆ ପ୍ରଭାରୀ ଜ୍ଞାନେନ୍ଦ୍ର କହିଛନ୍ତି।

ପାର୍ଟିର ବରିଷ୍ଠ ନେତା କହିଛନ୍ତି, ଯଦି ଏକ ଡର୍ଜନ ନିର୍ବାଚନ କ୍ଷେତ୍ର ପାଇଁ ଅତି କମରେ ଚାରୋଟି ସିଟ୍ ଆବଣ୍ଟନ କରାଯାଇଥାନ୍ତା ତେବେ ଏନସିପି ଗ୍ରାଣ୍ଡ ଆଲିଆନ୍ସରେ ସାମିଲ ହେବାକୁ ପ୍ରସ୍ତୁତ ଥିଲା।  ବିଶେଷ କରି ପାର୍ଟିର ପ୍ରାର୍ଥୀ ପୂର୍ବରୁ ଯେଉଁଠି ଭଲ ପ୍ରଦର୍ଶନ କରିଥିଲେ ସେହି ଆସନ ଦିଆଯାଉ ବୋଲି ଏନସିପି ଆଶା ରଖିଥିଲା। ପାର୍ଟି ଆଶା କରିଥିଲା ଯେ, କଂଗ୍ରେସ ପକ୍ଷରୁ ଏହା ଉପରେ ବିଚାର କରିବ।

ଏନସିପି କହିଛି ତରବରିଆ ଭାବେ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରାଯାଇଛି କାରଣ କଂଗ୍ରେସ ଆମ ପ୍ରସ୍ତାବ ଉପରେ ପ୍ରତିକ୍ରିୟା ଦେବାରେ ବିଳମ୍ବ କଲା। ଜ୍ଞାନେନ୍ଦ୍ର କହିଛନ୍ତି କିଛି ପୂର୍ବତନ  ବିଧାୟକ ଓ ଅନ୍ୟ ଦଳର ପ୍ରମୁଖ ନେତା ଏନସିପିରେ ଯୋଗ ଦେଇ ପାରନ୍ତି।

୨୦୧୫  ବିଧାନସଭା ନିର୍ବାଚନରେ ଏନସିପି କଟିହାରର ପ୍ରାଣପୁର ବିଧାନସଭାରେ ଦ୍ଵିତୀୟ ସ୍ଥାନରେ ରହିଥିବା ବେଳେ କଟିହାର ଓ ପଶ୍ଚିମ ଚମ୍ପାଚରଣ ଜିଲ୍ଲାର ଅନ୍ୟ ଚାରି ନିର୍ବାଚନୀ କ୍ଷେତ୍ର ବରାରି, କୋଢା, ରାମପୁର ଓ ଲୋରିଆରେ ଭଲ ଭୋଟ୍ ମିଳିଥିଲା। ସେହି ସମୟରେ ରାଜ୍ୟରେ ପାର୍ଟି ଅଧ୍ୟକ୍ଷ ପୂର୍ବତନ କେନ୍ଦ୍ର  ମନ୍ତ୍ରୀ ତାରିକ ଅନଓ୍ଵର ଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ଏନସିପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ଗତ ନିର୍ବାଚନରେ ଏନସିପି ୪୦ଟି ଆସନରେ ନିଜର ପ୍ରାର୍ଥି ଦେଇଥିଲା ଏବଂ ଏକ ପ୍ରତିଶତରୁ କମ ଭୋଟ୍ ପାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.