'ବିରାଟଙ୍କ ନେତୃତ୍ୱରେ ଖେଳିବାକୁ ଭୟ କରନ୍ତି ଖେଳାଳି', ପୂର୍ବତନ ଅଷ୍ଟ୍ରେଲିଆ ଅଲରାଉଣ୍ଡରଙ୍କ ବିସ୍ଫୋରକ ବୟାନ

Published By : Prameya-News7 Bureau | February 02, 2021 IST

ନୂଆଦିଲ୍ଲୀ, ୦୨/୦୨:   ଭାରତୀୟ ଦଳ ନିକଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ବର୍ଡର-ଗାଭାସ୍କର ଟ୍ରଫି କବଜା କରିଛି । ଏହି ବିଜୟ ପଛରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ଆଜିଙ୍କ୍ୟ ରାହାଣେ । ବିରାଟ କୋହଲିଙ୍କ ଅନୁପସ୍ଥିତିରେ ସେ ଦଳର ନେତୃତ୍ୱ ନେଇଥିଲେ । ଏହାପରଠୁ ଦଳର ନେତୃତ୍ୱକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି । ଏବେ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ତଥା ବ୍ରେଟ୍ ଲିଙ୍କ ଭାଇ ସେନ୍ ଲି ବିରାଟଙ୍କ ନେତୃତ୍ୱକୁ ନେଇ ବଡ ପ୍ରତିକ୍ରିୟା ଦେଇଛନ୍ତି ।

ସେନ୍ କହିଛନ୍ତି ଯେ, ବିରାଟଙ୍କ ନେତୃତ୍ୱରେ ଖେଳାଳିମାନେ ଭୟର ମାହୋଲରେ ଖେଳିଥାନ୍ତି । କିନ୍ତୁ ରାହାଣେଙ୍କ ନେତୃତ୍ୱ ଚାପମୁକ୍ତ କରିଥାଏ । ବିରାଟ ବିଶ୍ୱର ଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ । କିନ୍ତୁ ତାଙ୍କ ନେତୃତ୍ୱ ପ୍ରଭାବଶାଳୀ ନୁହେଁ । ଖେଳାଳିମାନେ ଭୟଭୀତ ଲାଗନ୍ତି । ସବୁ ଖେଳାଳିଙ୍କୁ ଫିଟ୍ ରଖିବା ଜରୁରୀ । ଫିଲ୍ଡିଂରେ ଭଲ ପ୍ରଦର୍ଶନ କରିବା ବି ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ରାହାଣେଙ୍କ ନେତୃତ୍ୱରେ ଖେଳାଳିମାନେ ଚାପମୁକ୍ତ ଅନୁଭବ କରନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାହାଣେଙ୍କୁ ନେତୃତ୍ୱ ଦେଇ ବିରାଟଙ୍କୁ ବ୍ୟାଟିଂ ଉପରେ ଅଧିକ ନଜର ଦେବାକୁ କୁହାଯାଉ । ଯଦି ସେ ସିଲେକ୍ଟର ହୋଇଥାନ୍ତେ ତେବେ ବିରାଟଙ୍କ କାମ କେବଳ ବ୍ୟାଟିଂ ହୋଇଥାନ୍ତା । ବିରାଟଙ୍କ ଅନୁପସ୍ଥିତିରେ ଭାରତ ଦମଦାର ସିରିଜ ବିଜୟୀ ହୋଇଛି । ଆଡିଲେଡ୍ ଟେଷ୍ଟ ପରାଜୟ ପରେ ଭାରତ ଭଲ ପ୍ରତ୍ୟାବର୍ତ୍ତନ କରିଥିଲା । ତେଣୁ ରାହାଣେଙ୍କ ନେତୃତ୍ୱ ଉପରେ ସମସ୍ତଙ୍କ ଭରସା ଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.