Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯେଉଁ ସ୍ଥାନରେ ପଡ଼ିଥିଲା ଦେବୀ ସତୀଙ୍କ ଅଂଶ, ସେଠାରେ ସ୍ଥାପନ ହୋଇଛି ଶକ୍ତିପୀଠ,ଜାଣନ୍ତୁ କେଉଁଠାରେ ରହିଛି ଶକ୍ତିପୀଠ

ନୂଆଦିଲ୍ଲୀ୧୬|୯: ଏବେ ପିତୃପକ୍ଷ ଆରମ୍ଭ ହୋଇସାରିଛି । ଏହା ପରେ ପରେ ଆରମ୍ଭ ହେବ ଦେବୀ ପକ୍ଷ . ମୂଳାଷ୍ଟମୀରୁ ଦୁର୍ଗାଷ୍ଟମୀ ପର୍ଯ୍ୟନ୍ତ ବିଭିନ୍ନ ଶକ୍ତିପୀଠରେ ଦେବୀଙ୍କର ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହେବ । ସେହିଭଳି ନବରାତ୍ର ପୂଜା ମଧ୍ୟ ବେଶ ନିଷ୍ଠାର ସହ ଏହି ପୀଠଗୁଡିକରେ ପାଳନ ହେବ । ତେବେ ଶକ୍ତି ପୀଠର ଅର୍ଥ ଓ ଉତ୍ପତ୍ତି କେମିତି ଆସନ୍ତୁ ଜାଣିବା ।

ପୁରାଣ ଅନୁସାରେ ଦେବୀ ସତୀଙ୍କ ଶବର ବିଭିନ୍ନ ଅଂଶ ପଡିଥିବା ସ୍ଥାନକୁ ଶକ୍ତିପୀଠର ମାନ୍ୟତା ମିଳିଛି ।  ଏହାପଛରେ ଏକ ବିଶେଷତ୍ବ ରହିଛି। କୁହାଯାଏ କି ଶିବ ପତ୍ନୀ ସତୀଙ୍କ ପିତା ଦକ୍ଷ ପ୍ରଜାପତି ହରିଦ୍ବାରରେ ବୃହସ୍ପତି ନାମକ ଯଜ୍ଞର ଆୟୋଜନ କରିଥିଲେ। ଏହି ଯଜ୍ଞକୁ ବ୍ରହ୍ମା, ଇନ୍ଦ୍ର ଆଦି ଦେବୀଦେବତାଙ୍କୁ ସେ ନିମନ୍ତ୍ରଣ କରିଥିଲେ। ହେଲେ ଜାଣିଶୁଣି ନିଜ ଜ୍ବାଇଁ ଭଗବାନ ଶିବଙ୍କୁ ନିମନ୍ତ୍ରଣ କରି ନଥିଲେ।

ତଥାପି ବିନା ନିମନ୍ତ୍ରଣରେ ଦକ୍ଷଙ୍କ ପୁତ୍ରୀ ତଥା ଭୋଲେନାଥଙ୍କ ପତ୍ନୀ ସତୀ ଏହି ଯଜ୍ଞରେ ଯୋଗ ଦେଇଥିଲେ। ଯଜ୍ଞ ସ୍ଥଳରେ ଭଗବାନ ଶିବଙ୍କୁ କାହିଁକି ନିମନ୍ତ୍ରଣ କରିନାହାନ୍ତି ବୋଲି ପିତା ଦକ୍ଷଙ୍କୁ ସତୀ ପ୍ରଶ୍ନ କରିଥିଲେ। ସତୀଙ୍କ ପ୍ରଶ୍ନରେ ଦକ୍ଷ ଭୀଷଣ ରାଗିଯାଇ ଭଗବାନ ଶିବଙ୍କ ପ୍ରତି ଅଶାଳୀନ ଶବ୍ଦ ବ୍ୟବହାର କରିଥିଲେ। ଶିବଙ୍କ ପ୍ରତି ଅପମାନ ସହି ନପାରି ଶିବ ପତ୍ନୀ ସତୀ ସେହି ଯଜ୍ଞକୁଣ୍ଡକୁ ଡ଼େଇଁ ପ୍ରାଣାହୂତି ଦେଇଥିଲେ।

ସତୀଙ୍କ ପ୍ରାଣ ଆହୂତି ଦେବାକଥା ଜାଣିବା ପରେ ଭଗବାନ ଶିବ କ୍ରୋଧିତ ସେଠାରେ ପହଞ୍ଚିଥିଲେ । ସତୀଙ୍କ ଶବକୁ କୋଳରେ ଧରି ଶିବ ଉଗ୍ର ରୂପ ଧାରଣ କରିଥିଲେ । ରୁଦ୍ର ଭୟଙ୍କର ହୋଇ ଜଟା ଖୋଲି ଯିବା ସହ ତୃତୀୟ ନୟନ ଖୋଲିଯାଇ ଅଗ୍ନି ସ୍ଫୁଲିଂଗ ହୋଇଥିଲା। ଶିବଙ୍କ କ୍ରୋଧରେ ସମଗ୍ର ବ୍ରହ୍ମାଣ୍ଡ ଥରହର ହେବାକୁ ଲାଗିଲା । ଶିବଙ୍କ ଉଗ୍ର ରୂପ ଦେଖି ଦେବୀ ଦେବତା ଓ ଋଷିଗଣ ଯଜ୍ଞସ୍ଥଳରୁ ଚାଲି ଯାଇଥିଲେ। ଦୁଃଖ ଓ କ୍ରୋଧରେ ନିଜ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ଶିବ ଅଗ୍ନିକୁଣ୍ଡରୁ ସତୀଙ୍କ ମର ଶରୀରକୁ  କାନ୍ଧରେ ଧରି ପୃଥିବୀ ଉପରେ ତାଣ୍ଡବ କରିଥିଲେ। ସତୀଙ୍କ ଶବକୁ ସେ ଯେତେ ଦେଖୁଥିଲେ ତାଙ୍କ କ୍ରୋଧ ସେତେ ବଢିବାରେ ଲାଗିଥିଲା । ସମଗ୍ର ସୃଷ୍ଟି ଧ୍ବଂସ ହୋଇଯିବାର ଆଶଂକା ସୃଷ୍ଟି ହୋଇଥିଲା । ଏହା ଦେଖି ଦେବତାମାନେ ଗୋଲକ ବିହାରୀ ବିଷ୍ଣୁଙ୍କୁ ପ୍ରାର୍ଥନା କରିଥିଲେ । ଘଟଣାର ଗୁରୁତ୍ବକୁ ଉପଲବ୍ଧି କରି  ବିଷ୍ଣୁ ତାଙ୍କ ସୁଦର୍ଶନ ଚକ୍ରରେ ସତୀଙ୍କ ପାର୍ଥିବ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଦେଇଥିଲେ। ସତୀଙ୍କ ଶରୀରର ବିଭିନ୍ନ ଅଂଶ ତତ୍‌କାଳୀନ ଆର୍ଯ୍ୟାବର୍ତ୍ତର ବିଭିନ୍ନ ଅଞ୍ଚଳରେ ଯାଇ ପଡିଥିଲା । ସତୀଙ୍କ ଦେହାବଶେଷ ପଡ଼ିଥିବା ସତୀଙ୍କ କେଉଁ ଅଙ୍ଗରୁ କେଉଁ ଶକ୍ତିପୀଠ ସୃଷ୍ଟି ହୋଇଛି ଆସନ୍ତୁ  ଜାଣିବା-

 ୧- ହିଙ୍ଗୁଳ ବା ହିଙ୍ଗଲାଜ, ପାକିସ୍ତାନର କରାଚିଠାରୁ ପାଖାପାଖି ୧୨୫ କିଲୋମିଟର ଉତ୍ତର-ପୂର୍ବରେ ଦେବୀ ସତୀଙ୍କ ବ୍ରହ୍ମରନ୍ଧ୍ର( ମୁଣ୍ଡର ଉପର ଭାଗ) ପଡ଼ିଥିଲା। ଦେବୀ ଏଠାରେ କୋଟ୍ଟୁରୀ ନାମରେ ଖ୍ୟାତ ହୋଇଥିଲେ । ଏହା ଏକ ପ୍ରମୁଖ ଶକ୍ତିପୀଠ ବୋଲି ବିଶ୍ବାସ ରହିଛି । ।

୨- ପାକିସ୍ତାନ କରାଚିର ସୁଗାରକେନ ଷ୍ଟେସନ ନିକଟରେ ନୈନାଦେବୀଙ୍କ ମନ୍ଦିର ରହିଛି। ଏଠାରେ ସତୀଙ୍କ ଆଖି ପଡିଥିଲା।

୩- ବାଙ୍ଗଳାଦେଶର ଶିକାରପୁରର ବରିସଲଠାରୁ ୨୦ କିଲୋମିଟରରେ ଦୂରରେ ଥିବା ସୌନ୍ଧ ନଦୀ ନିକଟରେ ସତୀଙ୍କ ନାକ ପଡିଥିଲା। ସେଠାରେ ଦେବୀ ସୁନନ୍ଦା ନାମରେ ପରିଚିତ ।

୪-  ଅମରନାଥ, କାଶ୍ମୀର ପାଖରେ ସତୀଙ୍କ ଗଳା ପଡ଼ିଥିଲା । ସେଠାରେ ଦେବୀ ମହାମାୟା ନାମରେ ପ୍ରସିଦ୍ଧ ।

୫-  ହିମାଚଳ ପ୍ରଦେଶରେ ସତୀଙ୍କ ଜିଭ ପଡ଼ିଥିଲା। ସିଧିଦା ବା ଅମ୍ବିକା ନାମରେ ସେଠ​‌ରେ ଶକ୍ତିପୀଠ ନିର୍ମାଣ କରାଯାଇଛି।

୬-  ପଞ୍ଜାବର ଛାଓ୍ବାନୀ ଷ୍ଟେସନ ନିକଟରେ ଦେବୀ ସତୀଙ୍କ ବାମ ହାତ ପଡ଼ିଥିଲା। ଏହି ସ୍ଥାନ ତ୍ରିପୁରମାଳିନୀ ନାମରେ ପ୍ରସିଦ୍ଧ।

୭-ଗୁଜୁରାଟରେ ସତୀଙ୍କ ଛାତିର କିଛି ଅଂଶ ପଡିଥିଲା। ତେଣୁ ଅମ୍ବାଜୀ ମନ୍ଦିରରେ ଏଠାରେ ନିର୍ମାଣ ହୋଇଛି।

୮- ନେପାଳରେ ସତୀ ଦେବୀଙ୍କ ଦୁଇ ଆଣ୍ଠୁ ପଡ଼ିଥିଲା। ଏହି ସ୍ଥାନରେ ପଶୁପାତିନାଥ ନାଁରେ ପ୍ରସିଦ୍ଧ।

୯- ମାନସରୋବରରେ ସତୀଙ୍କ ଡାହାଣ ହାତ ପଡିଥିଲା। ଏଠାରେ ପାଷାଣ ଶିଳା ଭାବେ ଦେବୀ ସତୀଙ୍କ ଶକ୍ତିପୀଠ ନିର୍ମାଣ ହୋଇଛି।

୧୦- ଓଡ଼ିଶାର ଯାଜପୁର ଜିଲ୍ଲାରେ ସତୀଙ୍କ ନାଭି ପଡ଼ିଥିଲା। ମାଆ ବିରାଜା ନାଁରେ ଏଠାରେ ଶକ୍ତିପୀଠ ନିର୍ମାଣ ହୋଇଛି।

୧୧- ନେପାଳର ଗଣ୍ଡକୀ ନଦୀ ନିକଟରେ ସତୀଙ୍କ ମୁଣ୍ଡ ପଡିଥିଲା। ଏଠାରେ ମୁକ୍ତିନାଇଁ ଶକ୍ତିପୀଠ ନିର୍ମାଣ ହୋଇଛି।

୧୨-  ପଶ୍ଚିମବଙ୍ଗର ବର୍ଧମାନ ଜିଲ୍ଲାରୁ ୮ କିଲୋମିଟର ଦୂରରେ ସତୀ ଦେବୀଙ୍କ ବାମ ହାତର ଆଙ୍ଗୁଳି ପଡ଼ିଥିଲା। ଏଠାରେ ବହୁଳାଦେବୀ ଶକ୍ତିପୀଠ ନିର୍ମାଣ ହୋଇଛି।

୧୩-  ପଶ୍ଚିମବଙ୍ଗର ବର୍ଧମାନ ଜିଲ୍ଲାରେ ଉଜ୍ଜାତି ନିକଟରେ ସତୀ ଦେବୀଙ୍କ ଡାହାଣ ହାତର ଆଙ୍ଗୁଠି ପଡ଼ିଥିଲା। ଏଠାରେ ମଙ୍ଗଳା ଚନ୍ଦ୍ରିକା ଦେବୀ ନାଁରେ ଶକ୍ତିପୀଠ ନିର୍ମାଣ ହୋଇଛି।

୧୪- ତ୍ରିପୁରାର ଊଦୟପୁରରେ ସତୀ ଦେବୀଙ୍କ ଡାହାଣ ଗୋଡ଼ର ପାଦ ପଡ଼ିଥିଲା। ଏଠାରେ ଦେବୀ ତ୍ରିପୁରା ନାଁରେ ଶକ୍ତିପୀଠ ସ୍ଥାପନ କରାଯାଇଛି।

୧୫-  ବଙ୍ଗାଲାଦେଶର ଛତ୍ରାଳରେ ସତୀଙ୍କ ଡ଼ାହାଣ ହାତର ବାହୁ ପଡ଼ିଥିଲା। ଏଠାରେ ଭବାନୀ ନାଁରେ ଶକ୍ତିପୀଠ ତିଆରି କରାଯାଇଛି।

୧୬-  ପଶ୍ଚିମବଙ୍ଗର ଜଲପାଇଗୁରୀରେ ଦେବୀଙ୍କ ସତୀଙ୍କ ବାପପଟ ପାଦ ପଡ଼ିଥିଲା। ଏଠାରେ ଭ୍ରାମରୀ ଦେବୀ ନାଁରେ ଶକ୍ତିପୀଠ ନିର୍ମାଣ ହୋଇଛି।

୧୭- ଆସାମର ଗୌହ୍ବାଟିରେ ଦେବୀ ସତୀଙ୍କ ଯୋନି ପଡିଥିଲା। ଏଠାରେ  କାମାକ୍ଷା ନାମରେ ଶକ୍ତିପୀଠ ନିର୍ମାଣ ହୋଇଛି।

୧୮- ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ସତୀଦେବୀଙ୍କ ବାମପାଦର ଆଙ୍ଗୁଳି ପଡିଥିଲା। ଏଠାରେ ମିଲା ଯୁଗାଡ୍ୟା ନାଁରେ ଶକ୍ତିପୀଠ ନିର୍ମାଣ ହୋଇଛି।

୧୯-  କୋଲକତାର  କାଳିଘାଟୀରେ ଦେବୀ ସତୀଙ୍କ ଡାହାଣ ପାଦର ଆଙ୍ଗୁଳି ପଡିଥିଲା।ଏଠାରେ ମାଆ କାଳୀଙ୍କ ନାଁରେ ଶକ୍ତିପୀଠ ରହିଛି।

୨୦- ଉତ୍ତରପ୍ରଦେଶର ଆଲାହାବାଦରେ ଦେବୀ ସତୀଙ୍କୁ ମାଆ ଲଳିତା ନାଁରେ ପୂଜା କରାଯାଇଥାଏ।

୨୧- ବଙ୍ଗଳାଦେଶର ସିହ୍ଲେଟ୍‌ ଜିଲ୍ଲାରେ ସତୀ ଦେବୀଙ୍କ ବାମ ଜଙ୍ଘ ପଡ଼ିଥିଲା। ଏଠାରେ ଜୟନ୍ତୀ ନାଁରେ ଶକ୍ତିପୀଠ ନର୍ମାଣ ହୋଇଛି।

୨୨- ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ସତୀ ଦେବୀଙ୍କ ମୁକୁଟ ପଡ଼ିଥିଲା। ଏଠାରେ ବିମଳା କହଲାଇଁ ନାଁରେ ଶକ୍ତିପୀଠ ନିର୍ମାଣ ହୋଇଛି।

୨୩- ଉତ୍ତର ପ୍ରଦେଶର ବାରଣାସୀରେ ସତୀଦେବୀଙ୍କ ମଣିକର୍ଣ୍ଣିକା ପଡ଼ିଥିଲା। ଏଠାରେ ମଣିକର୍ଣ୍ଣିକା ନାଁରେ ଶକ୍ତିପୀଠ ନିର୍ମାଣ ହୋଇଛି।

୨୪-  ତାମିଲନାଡ଼ୁ​‌ରେ ଦେବୀ ସତୀଙ୍କ ପିଠି ପଡ଼ିଥିଲା। ଏଠାରେ ଭଦ୍ରକାଳୀ ମନ୍ଦିର ଭାବେ ପ୍ରସିଦ୍ଧ ଲାଭ କରିଛି।

୨୫- ହରିୟାଣାରେ ଦେବୀ ସତୀଙ୍କ ନଖ ପଡିଥିଲା। ଏଠାରେ ମାତା ସାବିତ୍ର ମନ୍ଦିରଙ୍କ ପ୍ରତିଷ୍ଠା ହୋଇଛି।

୨୬- ବାଙ୍ଗାଦେଶର ସିହ୍ଲେଟ ଟାଉନରେ ଦେବୀଙ୍କୁ ଗଳାର କିଛି ଅଂଶ ପଡିଥିଲା। ଏଠାରେ ମହାଲକ୍ଷ୍ମୀଙ୍କ ନାଁରେ ଶକ୍ତିପୀଠ ନିର୍ମାଣ ହୋଇଛି।

୨୭-  ପଶ୍ଚିମବଙ୍ଗରେ କୋପଇ ନଦୀ ତଟରେ ଦେବୀଙ୍କ ଅସ୍ତି ପଡିଥିଲା। ଏଠାରେ ଦେବଗର୍ଭ ନାଁରେ ଶକ୍ତିପୀଠ ନିର୍ମାଣ ହୋଇଛି। ଏହିଭଳି ବହୁ ଶକ୍ତି ପୀଠ ରହିଛି।

461 Views

   ସମ୍ବନ୍ଧିତ ଖବର