ଶକ୍ତିକାନ୍ତ ଦାସ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଦାୟିତ୍ବ ଗ୍ରହଣ କରିବା ପରେ ଖୁସିରେ ଫାଟିପଡିଛନ୍ତି ଜନ୍ମ ମାଟି ଆଠଗଡ ଜେନାପଦା ଗାଁ ଲୋକେ
13/12/2018 at 10:45 AM

ଆଠଗଡ ୧୩|୧୨: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଶକ୍ତିକାନ୍ତ ଦାସ। ପ୍ରଥମ ଓଡ଼ିଆ ଭାବେ ଏହି ପଦରେ ସେ ଅବସ୍ଥାପିତ ହୋଇଛନ୍ତି। କିନ୍ତୁ ଶକ୍ତିକାନ୍ତଙ୍କ ଆଗରେ ଏବେ ଚ୍ୟାଲେଞ୍ଜ ଅନେକ। ଅବଶ୍ୟ ଅର୍ଥ ମନ୍ତ୍ରଣାଳୟରେ ତାଙ୍କର ଅଭିଜ୍ଞତା ତାଙ୍କ ପାଇଁ ତାଙ୍କୁ କାର୍ଯ୍ୟ ତୁଲାଇବାରେ ସହାୟକ ହେବ। ଏଣେ ଆଠଗଡ଼ରେ ତାଙ୍କ ଗାଁରେ ଖୁସିର ମାହୋଲ। କାରଣ ଏଥର ଓଡ଼ିଆ ପୁଅ ଟଙ୍କାରେ ଦସ୍ତଖତ କରିବ।
ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟରେ ନୂଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଏହା ଘୋଷଣା ହେବା ପରେ ପରେ ମୁମ୍ବାଇରେ ପହଞ୍ଚିଥିଲେ ଶକ୍ତିକାନ୍ତ। କାର୍ଯ୍ୟାଳୟରେ ଦାୟିତ୍ବ ଗ୍ରହଣ କରିଥିଲେ। ଆଉ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ଦେଶର ଅର୍ଥନୀତିରେ ସେ କିଭଳି ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇପାରିବେ ତାହା କହିଥିଲେ। ଶକ୍ତିକାନ୍ତଙ୍କ ଆଗରେ ଚ୍ୟାଲେଞ୍ଜ ଅନେକ-

୧- ରିଜର୍ଭ ବ୍ୟାଙ୍କ ଏବଂ ଅର୍ଥମନ୍ତ୍ରଣାଳୟ ମଧ୍ୟରେ ତାଳମେଳ ଆଣିବା
୨- ଆଗକୁ ନିର୍ବାଚନ ଥିବାରୁ ସରକାର ରିଜର୍ଭ ବ୍ୟାଙ୍କ ଠାରୁ ଅନେକ କିଛି ଆଶା ରଖିବେ, ଚାପ ବି ପକାଇବେ ଏହାକୁ କେମିତି ସାମ୍ନା କରାଯିବ। ଅବଶ୍ୟ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟରେ ସେ କାର୍ଯ୍ୟ କରିଥିବାରୁ ଏହାକୁ ସହଜରେ ସେ ମୁକାବିଲା କରିବେ ।
୩- ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମି କମି ଚାଲିଛି। ଏନେଇ ନୂଆ ନୀତି ସ୍ଥିର କରିବା । ଶୁକ୍ରବାର ବସିବ ବୋର୍ଡ ବୈଠକ। ଏହାର ଅଧ୍ୟକ୍ଷତା କରିବେ ନୂଆ ଗଭର୍ଣ୍ଣର।
ଏଥର ଓଡ଼ିଆ ପୁଅ ଟଙ୍କାରେ ଦସ୍ତଖତ ମାରିବ। ଏହାହିଁ ଓଡ଼ିଶା ପାଇଁ ଗର୍ବ ଗୌରବର କଥା। ପ୍ରଥମ ଓଡିଆ ଭାବେ ସେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ହୋଇଛନ୍ତି। ବାପା କେଶବାନନ୍ଦ ଦାସ ଥିଲେ ଆଠଗଡ଼ ଜେନାପଦାର ବାସିନ୍ଦା। ତେବେ ଶକ୍ତିକାନ୍ତ ଦିଲ୍ଲୀର ସେଣ୍ଟ ଷ୍ଟିଫେନ କଲେଜରୁ ସ୍ନାତକୋତ୍ତର ପରେ ୮୦ ମସିହାରେ ଆଇଏଏସ ପାଇଥିଲେ। ଏବେ ତାଙ୍କୁ ନୂଆ ଦାୟିତ୍ବ ନେଇ ତାଙ୍କ ଗାଁ ଲୋକଙ୍କ ଖୁସି କହିଲେ ନସରେ।
ରଘୁରାମ ରାଜନ ଏବଂ ଉର୍ଜିତ ପଟେଲଙ୍କ ବିଦାୟ ପରେ ଆରବିଆଇ ଗଭର୍ଣ୍ଣର ପଦବୀକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଛି। ଏଣୁ ଏହି ସମୟରେ ଶକ୍ତିକାନ୍ତ ଦାସ କେମିତି ସମତୁଲ ରକ୍ଷା କରିବେ ତାହା ହିଁ ତାଙ୍କ ଦକ୍ଷତାର ପରିଚୟ ହେବ।