ନିଜ ଉପରୁ ନିୟନ୍ତ୍ରଣ ହରାଇଲେ ସାକିବ, ପଡିଆରେ ଷ୍ଟମ୍ପ ଉଖାଡି ଫିଙ୍ଗିଲେ, ଅମ୍ପାୟରଙ୍କ ସହ କଲେ ଅଭଦ୍ରାମୀ, ଦେଖନ୍ତୁ ଭିଡିଓ...

Published By : Prameya-News7 Bureau | June 11, 2021 IST

ନୂଆଦିଲ୍ଲୀ ୧୧।୦୬: କ୍ରିକେଟ୍ ପରି ଭଦ୍ର ଲୋକଙ୍କ ଖେଳରେ ଖେଳାଳିଙ୍କ ଅଭଦ୍ର ଆଚରଣ। ଆଉ ଏହି ପରି ଅଭଦ୍ରାମୀ ଆଚରଣ କରିଛନ୍ତି ବାଂଲାଦେଶର ତାରକା ଅଲରାଉଣ୍ଡର ସାକିବ ଅଲ ହାସନ। ବୋଧହୁଏ କ୍ରିକେଟ୍ ପଡିଆରେ ଦର୍ଶକ ଏମିତି ଅଶୋଭନୀୟ ବ୍ୟବହାର କେବେ ଦେଖିନଥିବେ। ସାକିବ ଯେଉଁ ଭଳି କାର୍ଯ୍ୟ କରିଛନ୍ତି ତାହା ଦେଖି କ୍ରିକେଟ୍ ପ୍ରଶଂସକ ହତବାକ।

କେବେ ଦେଶର କ୍ରିକେଟ୍ ବୋର୍ଡ ସହ ବିବାଦ ତ କେବେ ଆଇସିସି ଦ୍ଵାରା ବାସନ୍ଦକୁ ନେଇ ସାକିବ ଚର୍ଚ୍ଚାରେ ରହି ଆସିଛନ୍ତି। ଏବେ ପୁଣି ଥରେ ବିବାଦ ଘେରରେ ଏହି ଅଲରାଉଣ୍ଡର ଖେଳାଳି। ଆଉ ଏହି ଘଟଣା ଘଟିଛି ଢାକା ପ୍ରିମିୟର ଲିଗ୍‌ରେ। ସାକିବ ଅମ୍ପାୟରଙ୍କ ନିଷ୍ପତ୍ତିରେ ଏତେ ଅସନ୍ତୁଷ୍ଟ ଥିଲେ ଯେ, ପଡିଆରେ ଥରେ ନୁହେଁ ଦୁଇ ଦୁଇ ଥର ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ। ପ୍ରଥମେ ସେ ଅମ୍ପାୟରଙ୍କ ସାମ୍ନାରେ ଗୋଡରେ ଗୋଇଠା ମାରି ତିନି ଷ୍ଟମ୍ପ ଉଖାଡି ଦେଇଥିଲେ। ପୁଣି ହାତରେ ତିନି ଷ୍ଟମ୍ପ କାଢି ଫିଙ୍ଗି ଦେଇଥିଲେ। ଏହି ଘଟଣାର ଭିଡିଓ ସଂପ୍ରତି ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

wp:html /wp:html

ସାକିବ ଢାକା ପ୍ରିମିୟର ଲିଗ୍‌(ଡିପିଏଲ)ର ୪୦ତମ ମୁକାବିଲାରେ ପଡିଆରେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଏହି ମୁକାବିଲା ମୋହମଡମ ସ୍ପୋର୍ଟିଂ ଓ ଅବାହାମୀ ଲିମିଟେଡ୍ କ୍ଲବ ମଧ୍ୟରେ ଢାକାର ସେର ଏ ବାଙ୍ଗଲା ଷ୍ଟାଡିୟମରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ମୋହମଡମ ସ୍ପୋର୍ଟିଂ ୨୦ ଓଭରରେ ୧୪୫ ରନ କରିଥିଲା। ସାକିବ ୩୭ ରନ କରିଥିବା ବେଳେ ମହମୁଦୁଲ ହସନ ୨୨ ବଲରୁ ୩୦ ରନ କରିଥିଲେ। ଏହାର ଜବାବରେ ଅବାହାମୀ କ୍ଲବର ଆରମ୍ଭ ଭଲନଥିଲା। ତିନି ଓଭରରେ ଦଳ ୯ ରନରେ ୩ଟି ଓ୍ଵିକେଟ୍ ହରାଇଥିଲା।

ଅମ୍ପାୟରଙ୍କ ସାମ୍ନାରେ ଷ୍ଟମ୍ପ ଉଖାଡି ଫିଙ୍ଗିଲେ

ଏହା ପରେ ସାକିବ ଅଲ ହସନ ବୋଲିଂ କରିବାକୁ ଆସିଥିଲେ। ତାଙ୍କର ଏକ ସିଧା ବଲ ମୁସଫିକର ରହିମଙ୍କ ପ୍ୟାଡରେ ଯାଇ ବାଜିଥିଲା। ସେ ଜୋରଦାର ଏଲବିଡବ୍ଲ୍ୟୁ ଅପିଲ୍ କରିଥିଲେ। ମାତ୍ର ଅମ୍ପାୟର ତାଙ୍କ ଅପିଲକୁ ଅଣଦେଖା କରି ରହିମଙ୍କୁ ନଟଆଉଟ୍ ଦେଇଥିଲେ। ଏଥିରେ ସାକିବ ଏତେ ଅସନ୍ତୁଷ୍ଟ ଥିଲେ ଯେ, ଷ୍ଟମ୍ପକୁ ଗୋଇଠା ମାରିଥିଲେ। କେବଳ ଏତିକି ନୁହେଁ ନିଷ୍ପତ୍ତିକୁ ନେଇ ଅମ୍ପାୟରଙ୍କ ସହ ଯୁକ୍ତିତର୍କ କରିଥିଲେ। କୌଣସି ପ୍ରକାରେ ସାଥୀ ଖେଳାଳି ତାଙ୍କୁ ଶାନ୍ତ କରାଇଥିଲେ।

wp:html /wp:html

ଏହାର ପରବର୍ତ୍ତୀ ଓଭରରେ ସାକିବ ପୁଣି ଥରେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଏଥର ସହ ଅମ୍ପାୟରଙ୍କ ପାଖକୁ  ଦୌଡି ତିନି ଷ୍ଟମ୍ପ ଉପାଡି ଫିଙ୍ଗି ଦେଇଥିଲେ। ତାଙ୍କର ଏହି ବ୍ୟବହାର ଦେଖି ସମସ୍ତେ ହତବାକ ହୋଇ ପଡିଥିଲେ।

ପଡିଆରେ ତାଙ୍କର ଏହି ଅଶୋଭନୀୟ ବ୍ୟବହାର ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ପ୍ରଶଂସକ ସାକିବଙ୍କ ଏମିତି ବ୍ୟବହାର ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କିଛି ପ୍ରଶଂସକ ରାଗ ଉପରେ ନିୟନ୍ତ୍ରଣ ରଖିବାକୁ ପରାମର୍ଶ ଦେଇଛନ୍ତି। କାରଣ ସେ ନିକଟରେ ବାସନ୍ଦ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.