କରୋନାକୁ ଡରି ପୁରା ଘରକୁ ଜରିରେ ଘୋଡେଇ ଦେଇଛନ୍ତି ଶାହରୁଖ୍ ଖାନ୍ : ମନ୍ନତକୁ କୋଭିଡ୍ ଗାର୍ଡ, ଫଟୋ ଭାଇରାଲ୍
20/07/2020 at 3:00 PM

ମୁମ୍ବାଇ ୨୦/୦୭ : କରୋନା ଯୋଗୁଁ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି | ମୁମ୍ବାଇ ସହରରେ ଲଗାତାର କରୋନା ମାମଲା ବୃଦ୍ଧି ପାଉଛି | ବଲିଉଡ ଓ ଟିଭି ଜଗତର ଅନେକ ତାରକା କରୋନା ସଂକ୍ରମଣର ଶିକାର ହୋଇଛନ୍ତି | ବଚ୍ଚନ ପରିବାରର ୪ ଜଣ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି | ବରିଷ୍ଠ ଅଭିନେତ୍ରୀ ରେଖାଙ୍କ ବଙ୍ଗଳା ସିଲ୍ କରାଯାଇଛି | ନିର୍ଦେଶିକା ଜୋୟୋ ଅଖତରଙ୍କ ବଙ୍ଗଳା ମଧ୍ୟ ସିଲ କରାଯାଇଛି | ଏହିଭଳି ପରିସ୍ଥିତିରେ ଶାହରୁଖ୍ ଖାନ୍ ସାବଧାନତା ପଦକ୍ଷେପ ଅବଲମ୍ବନ କରି ନିଜ ବଙ୍ଗଳାକୁ ଚାରିପଟୁ ପ୍ଲାଷ୍ଟିକରେ କଭର କରିଦେଇଛନ୍ତି | ଏହି ବଙ୍ଗଳାରେ ଶାହରୁଖ ନିଜ ପତ୍ନୀ ଗୌରୀ ଓ ୩ ପୁଅଝିଅଙ୍କ ସହିତ ରୁହନ୍ତି | ସୂଚନାଯୋଗ୍ୟ ଯେ, ଶାହରୁଖ ନିଜର ୫ ମହଲା ବିଶିଷ୍ଟ ଅଫିସକୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବିଏମ୍ସିକୁ ଦେଇଛନ୍ତି |
ମୁମ୍ବାଇ ମହାନଗର ପାଳିକାଙ୍କ ସୂଚନା ଅନୁଯାୟୀ, ରବିବାର ଦିନ ୧୦୪୬ ନୂଆ ମାମଲା ସାମ୍ନାକୁ ଆସିଛି | ମୁମ୍ବାଇରେ ୨୩ ହଜାର ୮୨୮ ଆକ୍ଟିଭ୍ ମାମଲା ରହିଛି | ମୃତକଙ୍କ ସଂଖ୍ୟା ୫୭୧୧ରେ ପହଞ୍ଚିଛି | ମୁମ୍ବାଇରେ ସୁସ୍ଥହାର ୭୦ ପ୍ରତିଶତ ରହିଛି | ଗତ ୫୫ ଦିନରେ ମାମଲା ଦୁଇଗୁଣ ହୋଇଛି |
ଦୁଇ ବର୍ଷ ବ୍ରେକ୍ ପରେ ଶାହରୁଖ ଖାନ ଫିଲ୍ମ ଜଗତରୁ ଫେରିବାକୁ ଯାଉଛନ୍ତି | ରାଜକୁମାର ହିରାନୀଙ୍କ ସହିତ ଇମିଗ୍ରେସନ୍ ଥିମ୍ ଉପରେ ଆଧାରିତ ସୋସିଆଲ୍ ଡ୍ରାମା ସୁଟିଙ୍ଗ କରିବେ | ଯଦି ଲକଡାଉନ୍ ଓ ଅନଲକ୍କୁ କୌଣସି ଅସୁବିଧା ନ ହୁଏ ତାହେଲେ ଆଗାମୀ ଅକ୍ଟୋବର ମାସରେ ଫିଲ୍ମ ସୁଟିଙ୍ଗ୍ ଆରମ୍ଭ ହେବାର ସମ୍ଭାବନା ରହିଛି |