ଇମ୍ରାନ ଖାନଙ୍କୁ ଅନୁସରଣ କରୁଛନ୍ତି ଆଫ୍ରିଦି : ହୋଇପାରନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ !

Published By : Prameya-News7 Bureau | June 14, 2020 IST

ନୂଆଦିଲ୍ଲୀ ୧୪/୦୬ : ଗତ କିଛି ଦିନ ହେଲା ପାକିସ୍ତାନ କ୍ରିକେଟର ସାହିଦ ଆଫ୍ରିଦି ଭାରତ ବିପକ୍ଷରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଅଛନ୍ତି | କରୋନା ସଙ୍କଟ ମଧ୍ୟରେ ସେ ଲୋକଙ୍କୁ ସାହାଯ୍ୟ ମଧ୍ୟ କରୁଛନ୍ତି | କିଛି ଦିନ ପୂର୍ବରୁ ସେ ପାକିସ୍ତାନ କବ୍ଜାରେ ଥିବା କାଶ୍ମୀରରେ ଭାଷଣ ଦେଇଥିଲେ ଏବଂ ଲୋକଙ୍କ ହୃଦୟ ଜିତିବାକୁ ଚେଷ୍ଟା କରିଥିଲେ | ଏଥିରୁ ଗୋଟିଏ କଥା ଅନୁମାନ କରାଯାଉଛି ଯେ ସେ ରାଜନୀତିରେ ପାଦ ଥାପି ପାରନ୍ତି | ଆଫ୍ରିଦି ଯେଉଁ ରାସ୍ତାରେ ଚାଲୁଛନ୍ତି ସେହି ରାସ୍ତାରେ ଚାଲି ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଇମ୍ରାନ ଖାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଗଲେ | 

୨୦୧୬ ମସିହାରେ ସାହିଦ ଆଫ୍ରିଦି ପ୍ରଥମଥର ପାଇଁ ରାଜନୀତିକୁ ଓହ୍ଲାଇବାକୁ ଇଛା ପ୍ରକାଶ କରିଥିଲେ | ସେ ରାଜନୀତିକୁ ଓହ୍ଲାଇ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ | ଅପରପକ୍ଷରେ ସେ କହିଥିଲେ ଯେ ତାଙ୍କ ଶୁଭଚିନ୍ତକ ଚାହୁଁ ନାହାନ୍ତି ଯେ ସେ ରାଜନୀତିରେ ପ୍ରବେଶ କରନ୍ତୁ | ସାହିଦ ଆଫ୍ରିଦି କହିଛନ୍ତି ଯେ ରାଜନେତା ଜନତାଙ୍କ ସେବକ ଏବଂ ସେ ଏହି ଦାୟିତ୍ୱ ନିଷ୍ଠାର ସହ ତୁଲାଇ ପାରିବେ | 

ଉଭୟ ଇମ୍ରାନ ଖାନ ଓ ସାହିଦ ଆଫ୍ରିଦି ପାକିସ୍ତାନ ଟିମର ଭଲ ଖେଳାଳି | ଯେତେବେଳେ ଟିମ ମୁସକିଲର ସାମ୍ନା କରିଥାଏ ଏହି ଦୁଇ ଖେଳାଳି ନିଜ ଯୋଗଦାନରେ ଟିମକୁ ବିଜୟୀ କରିଛନ୍ତି | ଉଭୟ ଖେଳ ମଇଦାନରେ ଅଲରାଉଣ୍ଡର |

ଇମ୍ରାନ ଖାନ ସମାଜ ସେବାରୁ ରାଜନୀତି ଆରମ୍ଭ କରିଥିଲେ | ସେ ଅନେକ ଚାରିଟି ଖୋଲିଥିଲେ ଯାହା ପାକିସ୍ତାନରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଗାଉଥିଲା | ବର୍ତ୍ତମାନ ଆଫ୍ରିଦି ମଧ୍ୟ ସେହି ରାସ୍ତାରେ ଚାଲିବ ଆରମ୍ଭ କରିଦେଇଛନ୍ତି | କରୋନା ସଙ୍କଟ ସମୟରେ ଘର ଘର ବୁଲି ଲୋକଙ୍କୁ ରାସନ ଯୋଗାଇଥିଲେ | ସେ ଦୂର ଦୂର ଅଞ୍ଚଳକୁ ଯାଇ ମଧ୍ୟ ଲୋକଙ୍କୁ ସାହାଯ୍ୟ କରିଛନ୍ତି | ଆଫ୍ରିଦିଙ୍କ ଏହି ପଦକ୍ଷେପ ପାଇଁ ତାଙ୍କର ବହୁତ ପ୍ରଶଂସା ହୋଇଛି | ସାହିଦ ଆଫ୍ରିଦି ନିଜେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି | ଏହିଭଳି ପରିସ୍ଥିତିରେ ଅନେକ ଲୋକ ତାଙ୍କର ସୁସ୍ଥ କାମନା କରିଛନ୍ତି | 

ଖେବରରୁ ଆରମ୍ଭ କରି କରାଚୀ ଅନଂ ପେସାବର ପର୍ଯ୍ୟନ୍ତ ଲୋକେ ଇମ୍ରାନ ଖାନଙ୍କୁ ପସନ୍ଦ କରନ୍ତି | ତେବେ ଲୋକେ ଇମ୍ରାନ ଖାନଙ୍କୁ ପସନ୍ଦ କରିବାର ସବୁଠାରୁ ବଡ କାରଣ ହେଲା ସେ ପଠାଣ | ସାହିଦ ଆଫ୍ରିଦି ମଧ୍ୟ ପଠାଣ ହୋଇଥିବାରୁ ତାଙ୍କୁ ମଧ୍ୟ ଲୋକେ ବହୁତ ପସନ୍ଦ କରନ୍ତି | ପାକିସ୍ତାନ ରାଜନୀତିରେ ପଠାଣ ଫ୍ୟାକ୍ଟର ଏକ ମହତ୍ଵପୁର୍ଣ ଭୂମିକା ଗ୍ରହଣ କରିଥାଏ | ଯଦି ଆଫ୍ରିଦି ରାଜନୀତିରେ ପ୍ରବେଶ କରନ୍ତି ତାହେଲେ ସହଜରେ ବିଜୟୀ ହୋଇପାରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.